ସୁକତେଲ ପୋଲ ଦୁର୍ଘଟଣା: ଖସିଗଲେ ଠିକାଦାର-ଯନ୍ତ୍ରୀ; ନିର୍ମାଣକାରୀ ସଂସ୍ଥାର କର୍ମଚାରୀ ଗିରଫ

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ-ମୁଦଲସର ରାସ୍ତାରେ ସୁକତେଲ ନଦୀ ଉପରେ ନିର୍ମିତ ପୋଲ ଭାଙ୍ଗି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ୭ ଦିନ ପରେ ଲରମ୍ଭା ପୁଲିସ ବୁଧବାର ଜଣକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗତ ୨୯ ତାରିଖ ଦିନ ତମିଆଁ ଗ୍ରାମର ଗ୍ରାମରକ୍ଷୀ ଦେବଦତ୍ତ ବରିହା ଘଟଣା ସଂପର୍କରେ ଲିଖିତ ଏତଲା ଦେଇଥିଲେ । ଉକ୍ତ ଦିନ ଠାରୁ ପୁଲିସ ଅଟକ ରଖିଥିବା ନିର୍ମାଣକାରୀ ସଂସ୍ଥାର କର୍ମଚାରୀ ଦିନେଶ ନାୟାରଙ୍କୁ କୋର୍ଟ ଚାଲାଣ କରିଛି । ସୂଚନାରୁ ପ୍ରକାଶ ଯେ, ୬ କୋଟି ୯୭ ହଜାର ୨୭୮ ଟଙ୍କା ବ୍ୟୟ ଅଟକଳରେ ଠିକାଦାର ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ପୋଲ କାମ ନିର୍ମାଣ କରିଥିଲେ । ୧୮୩ ମିଟର ପୋଲର ୭ଟି ସ୍ପାନ ମଧ୍ୟରୁ ଗୋଟିଏ ସ୍ପାନ ଦବି ଯିବା ପରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଉକ୍ତ ସ୍ପାନକୁ ସଂପୂର୍ଣ୍ଣ ଭାଙ୍ଗି ନୂତନ ଭାବରେ ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨୯ ତାରିଖ ଦିନ କାମ ଚାଲିଥିବା ବେଳେ ହଠାତ୍‌ ତାହା ଭାଙ୍ଗି ପଡିବାରୁ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାରେ ନିର୍ମାଣକାରୀ ସଂସ୍ଥାର ମୁଖ୍ୟ ସଞ୍ଜୟ ଅଗ୍ରୱାଲ କିମ୍ବା କୌଣସି ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରି ଗିରଫ କରିବା ପରିବର୍ତ୍ତେ କାମ ତଦାରଖ କରୁଥିବା ଜଣେ କର୍ମଚାରୀଙ୍କୁ କୋର୍ଟ ଚାଲାଣ କରିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ବଲାଙ୍ଗିର ପୁଲିସ ପକ୍ଷରୁ ୨ଟି ଟିମ୍‌ ଗଠନ କରାଯାଇ ଠିକାଦାର ସଞ୍ଜୟ ଅଗ୍ରୱାଲଙ୍କୁ ଖୋଜା ଚାଲିଥିବା କୁହାଯାଉଛି । କିନ୍ତୁ ଘଟଣାର ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ସଞ୍ଜୟଙ୍କ ଟେର୍‌ ନପାଇବା ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଲୋକଙ୍କ ଯାତାୟତ ବନ୍ଦ ହୋଇଯିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

Comments are closed.