ଶୁକସାରୀ ଦେଉଳ ପାର୍ଶ୍ବ ମାଟିତଳୁ ବାହାରିଲା ଅଁଳା

ଭୁବନେଶ୍ୱର: ଶୁକସାରୀ ଦେଉଳ ପାର୍ଶ୍ବରୁ ମାଟିତଳୁ ନୂଆ ନୂଆ କୀର୍ତ୍ତିରାଜି ଆବିଷ୍କୃତ ହେବାରେ ଲାଗିଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଯେତେ ଖନନ କରୁଛି, ସେତିକି ନୂଆ ନୂଆ ସାମଗ୍ରୀ ପାଉଛି। ଯାହାକୁ ନେଇ ଏଏସଆଇ ପକ୍ଷରୁ ଖନନ କାର୍ଯ୍ୟରେ ଆଗ୍ରହ ବଢିବାରେ ଲାଗିଛି। ଶୁକସାରୀ ଦେଉଳ ଚଟାଣ ପରେ ଅନେକ ଛୋଟ ମନ୍ଦିର ଗଠନର ଭଗ୍ନାବେଶଷ ଆବିଷ୍କୃତ କରି ସାରିଥିବା ବେଳେ ଶନିବାର ଏଏସଆଇ ଖନନ ସମୟରେ ମନ୍ଦିରର ଅଁଳା ଆବିଷ୍କାର କରିଛି। ଗୋଟିଏ ଅକ୍ଷତ ଅଁଳା ହୋଇଥିବା ବେଳେ ଅନ୍ୟଟି ଅଁଳାର ଅଧାଅଂଶ ଆବିଷ୍କୃତ ହୋଇଛି। ଏହି ଅଁଳା ମନ୍ଦିର ଶିଖରରେ ବ୍ୟବହାର ହୋଇଥାଏ।

ମନ୍ଦିର ଚତୁଃପାର୍ଶ୍ବରୁ ଯେଉଁ ସବୁ ଭଗ୍ନାବଶେଷ ମନ୍ଦିର ବାହାରିଛି ତାହାର ଏସବୁ ଅଂଶ ବୋଲି ଅନୁମାନ କରୁଛି। ଶନିବାର ମନ୍ଦିରର ପୂର୍ବପାର୍ଶ୍ବ ଖନନ ସମୟରେ ଏହି ଅଁଳା ଆବିଷ୍କୃତ ହୋଇଛି। ଆଜି ପର୍ଯ୍ୟନ୍ତ ଯେଉଁ ସବୁ କୀର୍ତ୍ତିରାଜି ଏଏସଆଇ ଠାବ କରିଛି ତାହାକୁ ଅତି ଯତ୍ନର ସହକାରେ ସାଇତି ରଖିଛି। ମାଟିତଳୁ ଯେଉଁସବୁ ଭଗ୍ନ ମନ୍ଦିର ବାହାରିଛି ତାହା କେତେ ବର୍ଷର ପୁରୁଣା ତାହା ଜାଣିବା ପାଇଁ ସେସବୁ ସାମଗ୍ରୀ ବିଭାଗର ପରୀକ୍ଷାଗାରକୁ ପଠାଇ ବୟସ ନିର୍ଦ୍ଧାରଣ କରୁଛି। ଦଶମ ଶତାବ୍ଦୀର ଶୁକସାରୀ ଦେଉଳ ସହିତ ଏହି ଭଗ୍ନାବଶେଷ ସମସାମୟିକ ନାଁ ତା’ ଠାରୁ ଆଉ ଅଧିକ ବର୍ଷର ପୁରୁଣା ତାହା ଐତିହାସିକ ଓ ଗବେଷକଙ୍କ ଦ୍ବାରା ଅନୁସନ୍ଧାନ କରାଯାଉଛି। ମନ୍ଦିରସ୍ଥଳରେ ଖନନ ସମୟରେ ଅନେକ ମାଟିପାତ୍ର ଆବିଷ୍କୃତ ହୋଇଛି। ତାହାର ବୟସ ଅନୁସାରେ ମନ୍ଦିର କେତେ ବର୍ଷର ପୁରୁଣା ତାହା ସହଜରେ ଆକଳନ ହୋଇପାରିବ ବୋଲି ଖନନ ସ୍ଥାନରେ କାର୍ଯ୍ୟ ତଦାରଖ କରୁଥିବା ପ୍ରତ୍ନତତ୍ତ୍ବବିତ୍‌ କହିଛନ୍ତି। ଦରକାର ପଡିଲେ ବିନ୍ଦୁସାଗର କୂଳ ପର୍ଯ୍ୟନ୍ତ ଖନନ କରାଯାଇପାରେ ବୋଲି ସେ କହିଛନ୍ତି। ମାଟିତଳୁ ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ କୀର୍ତ୍ତିରାଜି ମିଳିବା ବହୁ ବିରଳ।

ଗତ ୨୫ ତାରିଖ ଠାରୁ ଏଏସଆଇ ପୁଣି ଖନନ ପ୍ରକ୍ରିୟା ଆରମ୍ଭ କରିଛି। ଶୁକସାରୀ ଦେଉଳ ପାର୍ଶ୍ବରେ ଏତେ ସବୁ କୀର୍ତ୍ତିରାଜି ପ୍ରମାଣିତ କରୁଛି କି, ଏହାପାର୍ଶ୍ବରେ ଅନେକ ଛୋଟ ଛୋଟ ମନ୍ଦିର ରହିଛି। ହେଲେ ଭଗ୍ନ ମନ୍ଦିର ଭିତରୁ କୌଣସି ଦେବଦେବୀଙ୍କ ମୂର୍ତ୍ତି ଆବିଷ୍କୃତ ହୋଇନଥିବା ବେଳେ କେବଳ ଶିବ ଲିଙ୍ଗ ଆକୃତିର ଏକ ମୂର୍ତ୍ତି ଆବିଷ୍କୃତ ହୋଇଥିଲା। ଆଗକୁ ଏହି ଖନନ ପ୍ରକ୍ରିୟା ଉତ୍ତର ପୂର୍ବ ଦିଗକୁ ଜାରି ରହିବ ବୋଲି ଏଏସଆଇ ଅଧୀକ୍ଷକ ଅରୁଣ ମଲିକ କହିଛନ୍ତି। ଖନନ ସମୟରେ ଲୋକଙ୍କ ଗହଳି ହେଉଥିବାରୁ ସେ ଅଞ୍ଚଳକୁ ଯିବା ଲାଗି ବିଭାଗ ପକ୍ଷରୁ ବାରଣ କରାଯିବା ସହ ଫଟୋ ନ ଉଠାଇବାକୁ କୁହାଯାଉଛି। ଅନ୍ୟପକ୍ଷରେ ଗବେଷକ ତଥା ଐତିହାସିକମାନେ ଏକାମ୍ରରୁ ମାଟିତଳୁ ଆବିଷ୍କୃତ ବିରଳ କୀର୍ତ୍ତିରାଜି ଦେଖିବା ଲାଗି ଭିଡ ଜମାଉଥିବା ଦେଖିବାକୁ ମିଳୁଛି।

Comments are closed.