ଶୁକସାରୀ ଦେଉଳ ପାର୍ଶ୍ବରେ ପ୍ରତ୍ନତତ୍ତ୍ବର ଖନନ ଜାରି

ଭୁବନେଶ୍ବର: ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୋମବାର ଶୁକସାରୀ ଦେଉଳ ପାର୍ଶ୍ବରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଖନନ ସମୟରେ ସାରୀ ଦେଉଳର ଉତ୍ତର ପୂର୍ବ କୋଣରେ ଆଉ ଏକ ମନ୍ଦିରର ଭଗ୍ନାବଶେଷ ଆବିଷ୍କୃତ ହୋଇଛି। ଏହା ସାରୀ ଦେଉଳ ଉତ୍ତର ପାର୍ଶ୍ବର ଚଟାଣ ଖୋଳିବା ସମୟରେ ଜଣାପଡ଼ିଛି।

ଆସନ୍ତାକାଲି ସାରୀ ଦେଉଳ ଉତ୍ତର ପୂର୍ବ କୋଣ ସମ୍ପୂର୍ଣ୍ଣ ଖୋଳାଯିବା ପରେ ଅଧିକ ତଥ୍ୟ ଆବିଷ୍କୃତ ହୋଇପାରିବ। ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଅରୁଣ ମଲ୍ଲିକ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଶୁକସାରୀ ପଞ୍ଚାୟତନ ଶୈଳୀରେ ନିର୍ମାଣ ହୋଇଥିବାରୁ ଦେଉଳ ଚତୁଃପାର୍ଶ୍ବରୁ ଅଦ୍ୟାବଧି ପ୍ରତ୍ନତତ୍ତ୍ବବିତ୍‌ ଦୁଇଟି ମନ୍ଦିରର ଭଗ୍ନାବଶେଷ ପାଇଥିବା ବେଳେ ଆଉ ଏକ ମନ୍ଦିରକୁ ଅକ୍ଷତ ଅବସ୍ଥାରେ ଆବିଷ୍କୃତ କରିଛି। ହେଲେ ଦକ୍ଷିଣ ପଶ୍ଚିମ କୋଣରେ ଆଉ ଏକ ମନ୍ଦିର ଥିବା ଅଧୀକ୍ଷକ ଶ୍ରୀ ମଲ୍ଲିକ କହିଛନ୍ତି। ବିଶୃଙ୍ଖଳା ଆଶଙ୍କାରେ ପୁଲିସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ।

Comments are closed.