କୋହଳ ହେଲା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ ; ଲକ୍‌ ଡାଉନ୍‌ରେ ୧୦ ବର୍ଷ ହୋଇଥିଲେ ବାଳିକା ଖୋଲିପାରିବେ ଖାତା

- ଶେଷ ସମୟସୀମା ଜୁଲାଇ ୩୧

ନୂଆଦିଲ୍ଲୀ : କୋହୋଳ ହେଲା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ । କୋଭିଡ୍‌ ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବାଳିକାଙ୍କ ପାଇଁ ନିବେଶ ଉପରେ ସବୁଠୁ ଆକର୍ଷଣୀୟ ରିଟର୍ଣ୍ଣ ଦେଉଥିବା ଏହି ଲୋକପ୍ରିୟ ଯୋଜନାରେ କେତେକ ସଂଶୋଧନ କରିଛି । ​‌କୋଭିଡ୍‌ -୧୯ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅନୁଯାୟୀ, ଲକ୍‌ ଡାଉନ୍‌ ସମୟରେ ୧୦ ବର୍ଷରେ ପହଞ୍ଚିଥିବା ବାଳିକାମାନେ ଡାକଘରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲିପାରିବେ । ଏଥିପାଇଁ ଚଳିତମାସ ୩୧ ଶେ​‌ଷ ସମୟସୀମା ରଖାଯାଇଛି ।

ବଦଳିଯାଇଛି ସୁକନ୍ୟା ସମୃଦ୍ଧି ଯୋଜନା ନିୟମ । ଲକ୍‌ଡାଉନ୍‌ ସମୟରେ ଅନେକ ଅଭିଭାବକ ସେମାନଙ୍କର କନ୍ୟା ସନ୍ତାନର ସୁକନ୍ୟା ସମୃଦ୍ଧି ଯୋଜନା​‌ରେ ଡାକଘରେ ଖାତା ଖୋଲିପାରିନାହାନ୍ତି । ଏହାକୁ ଦୃ​ଷ୍ଟିରେ ରଖି ଡାକ ବିଭାଗ ପକ୍ଷରୁ ଖାତା ଖୋଲିବା ପାଇଁ ଅଭିଭାବକଙ୍କୁ ତିନି ମାସର ରିଆତି ଦିଆଯାଇଛି । ଏହି ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୨୫ରୁ ଜୁନ୍‌ ୩୦ ମଧ୍ୟରେ ଯେଉଁ କନ୍ୟା ସନ୍ତାନଙ୍କ ବୟସ ୧୦ ବର୍ଷ ହୋଇଥିବ ସେମାନଙ୍କର ସୁକନ୍ୟା ସମୃଦ୍ଧି ଯୋଜନାରେ ଏକ ଖାତା ଖୋଲାଯାଇପାରିବ । ଏ କ୍ଷେତ୍ରରେ ଜନ୍ମ ତାରିଖକୁ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ । ସମ୍ପ୍ରତି ସରକାରଙ୍କ ପକ୍ଷରୁ ଦେଶରେ ଯେତେଗୁଡିଏ ସଞ୍ଚୟ ଯୋଜନା ପରିଚାଳନା କରାଯାଉଛି, ସେଗୁଡିକ ମଧ୍ୟରେ ସୁକନ୍ୟା ସମୃଦ୍ଧି ଯୋଜନା ସବୁଠାରୁ ଅଧିକ ୭.୬% ସୁଧହାରରେ ପ୍ରଦାନ କରୁଛି । ଏହି ଯୋଜନାରେ ଜଣେ ​ଗୋଟିଏ ଆର୍ଥିକବର୍ଷରେ ଖାତାରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ଜମା କରିପାରିବେ । ତେବେ ଆପଣ ଖାତାରେ ​କେତେତଥର ଖାତାରେ ଅର୍ଥ ଜମା କରିପାରିବେ ସେ ନେଇ କୌଣସି ସୀମା ଧାର୍ୟ୍ୟ କରାଯାଇନାହିଁ । ଜଣେ କନ୍ୟା ସନ୍ତାନଙ୍କ ନାମରେ ଏହି ଯୋଜନାରେ କେବଳ ଗୋଟିଏ ଖାତା ଖୋଲାଯାଇପାରିବ । ଗୋଟିଏ ଖାତାରେ ୧୫ ବର୍ଷ ଯାଏ ଅର୍ଥ ଜମା କରାଯାଇପାରିବ । କନ୍ୟା ସନ୍ତାନ ଜଣକ ୧୮ ବର୍ଷ ବୟସରେ ପଦାର୍ପଣ କରିବା ପରେ ତାଙ୍କ ନାମରେ ଖୋଲାଯାଇଥିବା ସୁକନ୍ୟା ସମୃଦ୍ଧି ଯୋଜନା ଖାତାରୁ ଆଶିଂକ ଭାବେ ଅର୍ଥ ଉଠାଣ କରାଯାଇପାରିବ । ତେବେ କନ୍ୟା ସନ୍ତାନ ୨୧ ବର୍ଷରେ ପଦାର୍ପଣ କରିବା ପରେ ଏହି ଖାତାକୁ ବନ୍ଦ କରାଯାଇପାରିବ ।

Comments are closed.