ବିଧାନସଭା ସାମ୍‌ନାରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର: ବିଧାନସଭା ବଜେଟ୍ ଅଧିବେଶନ ଅବ୍ୟବହିତ ପୂର୍ବରୁ ବୁଧବାର ଅପରାହ୍ଣରେ ଜଣେ ବ୍ୟକ୍ତି ଆତ୍ମାହୁତି ଦେବା ଲାଗି ହାତରେ ପେଟ୍ରୋଲ ଧରି ବିଧାନସଭା ଫାଟକ ନିକଟରେ ଚାଲି ଚାଲି ପହଞ୍ଚି ଯାଇଥିଲେ। ଗତ ବିଧାନସଭା ଅଧିବେଶନ ସମୟରେ ଲଗାତାର ୩ ଥର ଆତ୍ମାହୁତି ଉଦ୍ୟମ କରାଯାଇଥିଲା। ଗୋଟିଏ ଦମ୍ପତି, ୩ ଜଣ ଚାଷୀ ଏବଂ ମା’ଓ ପୁଅଙ୍କୁ ମିଶାଇ ୭ ଜଣ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଗତ ବିଧାନସଭାର ଶେଷ ପ୍ରାନ୍ତରକୁ ଚାରିପଟ ରାସ୍ତାକୁ ସିଲ୍‌ କରିଦିଆଯାଇଥିଲା। ତେବେ ଏଥର ବିଧାନସଭା ଅଧିବେଶନ ସମୟରେ ପୁଲିସ ଚାରିପଟ ସିଲ୍‌ କରିବାକୁ ଚିନ୍ତା କରୁଥିବା ବେଳେ ବୁଧବାର ଜଣେ ବ୍ୟକ୍ତି ଏଭଳି ପଦକ୍ଷେପ ନେଇ ପୁଲିସର ଚିନ୍ତା ବଢ଼ାଇ ଦେଇଥିଲେ। ଆଗକୁ ଅନେକ ଆତ୍ମାହୁତି ଉଦ୍ୟମ କରିବା ଆଶଂକା ସୃଷ୍ଟି ହେବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ଏନେଇ ପୁଲିସ କମିସନର ନିର୍ଦେଶନାମା ଜାରି କରିଛନ୍ତି।

ବୁଧବାର ଉକ୍ତ ବ୍ୟକ୍ତି ଜଣକ ସନ୍ଦେହଜନକ ଭାବେ ବିଧାନସଭା ଭିତରକୁ ଯିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କର ତାଙ୍କ ଉପରେ ନଜର ପଡିଥିଲା। ସେମାନେ ଫଟୋ ଉତ୍ତୋଳନ କରିବା ସହିତ ତାଙ୍କୁ ପଚରାଉଚରା କରିଥିଲେ। ପରେ ପୁଲିସର ନଜର ପଡିବାରୁ ତାଙ୍କୁ କାବୁ କରି ନିଆଯାଇଥିଲା। ପୁଲିସ ପଚରାଉଚରା କରିବାରୁ ଉକ୍ତ ବ୍ୟକ୍ତି ଜଣକ ହଂସପାଳର ମାଗୁଣି ସାହୁ ବୋଲି ଜଣାପଡିଥିଲା। ମାଗୁଣିଙ୍କ ଅଭିଯୋଗ ଉପରେ ମଞ୍ଚେଶ୍ବର ଥାନା ପୁଲିସ କାର୍ୟ୍ୟାନୁଷ୍ଠାନ କରୁ ନ ଥିବାରୁ ସେ ବାଧ୍ୟ ହୋଇ ସେ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଆସିଥିବା କହିଥିଲେ। ଗତ ପ୍ରାୟ ଏକ ମାସ ହେବ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କ ମାମଲାରେ କୌଣସି ପଦକ୍ଷେପ ନ ନେବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଗଣମାଧ୍ୟମକୁ କହିଛନ୍ତି।

Comments are closed.