ଏମ୍ସ ଛାତରୁ ଡ଼େଇଁ କରୋନା ପୀଡ଼ିତଙ୍କ ଆତ୍ମହତ୍ୟା

ପାଟନା: କରୋନା ସଂକ୍ରମଣକୁ ନେଇ ସଂକ୍ରମିତଙ୍କ ମଧ୍ୟରେ ଡ଼ର ବଢ଼ିବାରେ ଲାଗିଛି । ଏହି ଡ଼ର ଏମିତି ହୋଇଛି ଯେ ପୀଡ଼ିତ ଭୟରେ ଆତ୍ମହତ୍ୟା କରି ଦେଉଥିବା ଦେଖିବାକୁ ମିଳିଛି । ପୁନେର ଏକ ଡ଼ାକ୍ତରଖାନାରେ ଗତ ମାସକ ମଧ୍ୟରେ ୨ ଜଣ ମହିଳା କରୋନା ରୋଗୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଅନୁରୂପ ଏକ ଘଟଣା ପାଟନାରେ ଘଟିଛି । ଜଣେ ୨୧ ବର୍ଷ ବୟସ୍କ କରୋନା ସଂକ୍ରମିତ ଯୁବକ ଏମ୍ସ ଛାତରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ଘର ବିହଟା ନିକଟସ୍ଥ ମହମ୍ମଦପୁର ଗାଁରେ ।

ବିହାର ରାଜଧାନୀ ପାଟନାର ଫୁଲବାରୀସରିଫସ୍ଥିତ ଏମ୍ସ ଛାତରୁ ଏହି ଯୁବକ ତଳକୁ ଡ଼େଇଁ ଆତ୍ମହତ୍ୟା କରିବା ପରେ ପୁରା ଡ଼ାକ୍ତରଖାନାରେ ଲୋକମାନେ ଭୟଭୀତ ହୋଇ ଯାଇଥିଲେ । ଖବର ପାଇ ଫୁଲବାରୀ ସରିଫ ଥାନା ଅଧିକାରୀ ଏମ୍ସରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଛାତ ଉପରୁ ଡ଼େଇଁ ଜୀବନ ହାରିଥିବା ଏହି ଯୁବକ କରୋନା ସଂକ୍ରମିତ ଥିଲେ ଓ ତାଙ୍କର ଚିକିତ୍ସା ଡ଼ାକ୍ତରଖାନାରେ ଚାଲିଥିଲା । ତାଙ୍କର ଘର ମହମ୍ମଦପୁର ଅଞ୍ଚଳରେ ଓ ନାଁ ରାଜେଶ କୁମାର ବୋଲି ଜଣାପଡ଼ିଛି।

Comments are closed.