ବିଷକ୍ରିୟା ଯୋଗୁଁ ମୃତ୍ୟୁ: ରିପୋର୍ଟ

0

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବଉଳଝୋଳି ଗ୍ରାମ ଶୌଚାଳୟରୁ ଜଣେ ନବବଧୂର ମୃତଦେହ ମିଳିବା ଘଟଣାର ୪ ଦିନ ବିତିଯାଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ବର୍ତମାନ ମଧ୍ୟ ସନ୍ଦେହ ଘେରରେ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ପହଞ୍ଚିଥିବା ବେଳେ ମୃତ ମନୀଷାଙ୍କ ବିଷ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏନେଇ ସଦର ଥାନା ପୋଲିସ୍ ମଙ୍ଗଳବାର ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଖବରରୁ ପ୍ରକାଶ ଯେ, ମନୀଷାଙ୍କ ବାପା ଓ ମା ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ମନୀଷା ଓ ତାଙ୍କ ଭାଇ ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ବର ଗ୍ରାମରେ ମାମୁଁଙ୍କ ପାଖରେ ରହୁଥିଲେ । କିଛିଦିନ ପରେ ମନୀଷାଙ୍କୁ ସଦର ଥାନା ଅନ୍ତର୍ଗତ ବଉଳଝୋଳୀ ଗ୍ରାମର ସିମାଂଚଳ ବିଷୋଇଙ୍କ ପୁଅ ଭାଗିରଥୀଙ୍କ ସହ ବୈଦିକ ରୀତିରେ ବିବାହ କରାଇଥିଲେ । ଇତି ମଧ୍ୟରେ ମନୀଷା ଏବଂ ତାଙ୍କ ସାନଭାଇଙ୍କ ନାମରେ ମିଳିତ ଭାବେ ରହିଥିବା ଏକ ଜମିକୁ ବିକ୍ରୀ କରାଯାଇଥିଲା। ସେହି ଟଙ୍କାକୁ ଶ୍ୱଶୁର ଘର ଲୋକେ ଆଣିବାକୁ ଦାବି କରୁଥିବା ବେଳେ ମନୀଷା ଏଥିରେ ଅରାଜି ଥିଲେ । ଏହାପରେ ଶ୍ୱଶୁର ଘର ଲୋକେ ମନୀଷାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଗତ ୨୪ ତାରିଖରେ ଗ୍ରାମର ଶୌଚାଳୟରୁ ମନୀଷାଙ୍କ ମୃତଦେହ ମିଳିଥିଲା । ଖବର ପାଇ ମାମୁଁ ନରେଶ ପହଞ୍ଚିଥିଲେ । ଭାଣିଜିକୁ ହତ୍ୟା କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Leave A Reply