୩ବର୍ଷ ପରେ ଜନ୍ମମାଟିକୁ ଫେରିଲା ସୁହାନୀ

କେନ୍ଦ୍ରାପଡ଼ା: ତିନିବର୍ଷ ପରେ ଜନ୍ମମାଟିକୁ ଫେରିଛି ୧୦ବର୍ଷର ନାବାଳିକା ସୁହାନୀ। କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ାରୁ ଏକ ଟିମ ଉତ୍ତର ପ୍ରଦେଶର ନୋଏଡାକୁ ଯାଇ ସେଠାରୁ ନାବାଳିକା ସୁହାନୀକୁ ଉଦ୍ଧାର କରି ଆଜି ଏଠାରେ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ଏଠାରେ ପହଞ୍ଚିବା ପରେ ସୁହାନୀଙ୍କୁ ଜିଲାପାଳ ଶ୍ରୀ ଋତୁରାଜଙ୍କ ନିକଟରେ ହାଜର କରାଯାଇଥିଲା। ଜିଲାପାଳ ଏକ ସ୍କୁଲ ବ୍ୟାଗ, କଣ୍ଢେଇ, ଚକୋଲେଟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ। ୨୦୧୮ରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଗ୍ରାମର ସନ୍ତୋଷ କୁମାର ଜେନା ଦ୍ୱିତୀୟ ବିବାହ କରି ଗାଁରେ ଝିଅ ସୁହାନୀକୁ ଏକା ଛାଡ଼ିଦେଇ ଅନ୍ୟତ୍ର ଚାଲିଯାଇଥିଲେ। ଏଇଠୁ ଆରମ୍ଭ ହୋଇଥିଲା ସୁହାନୀଙ୍କ ଜୀବନରେ ଏକ ଦୁଃଖଦ ଅଧ୍ୟାୟ। ଏହାପରେ ସୁହାନୀର ଦାଦା ଓ ଖୁଡ଼ୀ ତାକୁ ଦେଖାଶୁଣା କରିବା ନିମନ୍ତେ ସାଙ୍ଗରେ ନେଇ ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ଦାଦା ଓ ଖୁଡ଼ୀ ସୁହାନୀର ଦେଖାଶୁଣା କରିବା ବଦଳରେ ତାକୁ ନିର୍ଯାତନା ଦେଇଥିଲେ।

ଏସମ୍ପର୍କରେ ସୁହାନୀଠାରୁ ଦିଲ୍ଲୀରେ ସେ ପଢୁଥିବା ସ୍କୁଲର ଶିକ୍ଷକ ଜାଣିବାକୁ ପାଇବା ପରେ ତୁରନ୍ତ ଏସମ୍ପର୍କରେ ସ୍ଥାନୀୟ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଦିଲ୍ଲୀର ଚାଇଲ୍ଡ ଲାଇନ ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ସୁହାନୀଙ୍କୁ ତାର ଦାଦାଙ୍କ ଘରୁ ୨୦୧୯ ଡିସେମ୍ବର ମାସରେ ଉଦ୍ଧାର କରାଯାଇ ସ୍ଥାନୀୟ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା। ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଶିଶୁମଙ୍ଗଳ ସମିତିଙ୍କ ନିର୍ଦେଶକ୍ରମେ ସୁହାନୀଙ୍କୁ ସେଠାକାର ‘ସାଇକୃପା ସେଲଟର ହୋମ’ରେ ରକ୍ଷାଯାଇଥିଲା। ୨୦୨୦ ଜାନୁଆରୀ ମାସରେ ଏସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ନୂଆଦିଲ୍ଲୀର ଆବାସିକ କମିସନର ଅବଗତ କରାଇଥିଲେ। କେନ୍ଦ୍ରାପଡ଼ା ଜିଲାପାଳଙ୍କ ପକ୍ଷରୁ ନୂଆଦିଲ୍ଲୀର ଶିଶୁ ମଙ୍ଗଳ ସମିତି ସହିତ ସୁହାନୀଙ୍କୁ ଅଣାଯିବା ନିମନ୍ତେ ଯୋଗାଯୋଗ କରାଯାଇଥିଲେ ବି କରୋନା କଟକଣା ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା ବୋଲି ଭାରପ୍ରାପ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଦିଲ୍ଲୀର ପ୍ରବାସୀ ଓଡିଆ ସଂଗଠନ ଓଡିଆ ମହାମଞ୍ଚ ନିର୍ଦେଶକ ଗୋବର୍ଦ୍ଧନ ଧଳ ସେଲ୍ଟର ହୋମରେ ପହଞ୍ଚି ସୁହାନୀଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲେ।

ଆବଶ୍ୟକ ପ୍ରକ୍ରିୟା ପରେ କେନ୍ଦ୍ରାପଡ଼ା ଜିଲା ଶିଶୁ ସୁରକ୍ଷା ୟୁନିଟର ଏକ ଟିମ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ଶିଶୁ ମଙ୍ଗଳ ସମିତି ସଭ୍ୟା ଲଳିତାଞ୍ଜଳି ଦାସ ୧୪ ତାରିଖରେ ନୂଆଦିଲ୍ଲୀ ଯାଇଥିଲେ। ଶନିବାର ଏହି ଟିମ୍ ସୁହାନୀଙ୍କୁ ଧରି ଫେରିଛନ୍ତି। ଜିଲାପାଳଙ୍କ ନିର୍ଦେଶକ୍ରମେ ସୁହାନୀଙ୍କୁ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଶିଶୁ ଯତ୍ନ ଗୃହରେ ଥଇଥାନ କରାଯାଇଛି। ଭାରପ୍ରାପ୍ତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ସଭ୍ୟା ସ୍ମୀତାଞ୍ଜଳି ମହାପାତ୍ର, କିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସୁହାନୀଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ କେନ୍ଦ୍ରାପଡ଼ା ଡିଏଭି ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସ୍ୱେଚ୍ଛାକୃତ ଭାବେ ବହନ କରିବେ ବୋଲି ଜିଲାପାଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.