ସୁଧିର ଭାର୍ଗବ ହେଲେ ନୂଆ ସିଆଇସି

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ସୂଚନା କମିସନର ମୁଖ୍ୟ ସୂଚନା କମିସନର (ସିଆଇସି) ଭାବେ ସୁଧିର ଭାର୍ଗବଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ୪ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ନୂତନ ସୂଚନା କମିସନରଙ୍କୁ ମଧ୍ୟ କେନ୍ଦ୍ର ସରକାର ନିଯୁକ୍ତ ଦେଇଛନ୍ତି। ଏମାନେ ହେଲେ ପୂର୍ବତନ ଆଇଏଫ୍‌ଏସ୍‌ ୟଶୱର୍ଦ୍ଧନ କୁମାର ସିହ୍ନା, ପୂର୍ବତନ ଆଇଆରଏସ୍‌ ଅଧିକାରୀ ବନଜା ଏନ୍‌ ସରନା, ପୂର୍ବତନ ଆଇଏଏସ୍‌ ନୀରଜା କୁମାର ଗୁପ୍ତା ଏବଂ ପୂର୍ବତନ ଆଇନ ସଚିବ ସୁରେଶ ଚନ୍ଦ୍ର। ଏମାନଙ୍କ ନିଯୁକ୍ତକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ଦେଇଛନ୍ତି। କମିସନରେ ୧୧ ଜଣ ସୂଚନା କମିସନର ନିଯୁକ୍ତ ହେବାର ବ୍ୟବସ୍ଥା ଥିବା ବେଳେ କେବଳ ମୁଖ୍ୟ ସୂଚନା କମିସନରଙ୍କ ସମେତ ୩ ଅଧିକାରୀଙ୍କୁ ନେଇ ଏହା କାର୍ଯ୍ୟ କରୁଥିଲା। ଭାର୍ଗବ ପୂର୍ବରୁ ସୂଚନା କମିସନର ଭାବେ ନିଯୁକ୍ତ ଥିଲେ। ସିହ୍ନା ୧୯୮୧ ବ୍ୟାଚ ଭାରତୀୟ ବୈଦେଶିକ ସେବା ଅଧିକାରୀ ଥିଲେ। ସେ ବ୍ରିଟେନ୍‌ରେ ଭାରତର ଉଚ୍ଚାଯୁକ୍ତ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ସିଆଇସିରେ ସରନା ଏକମାତ୍ର ମହିଳା ସୂଚନା କମିସନର ଭାବେ ନିଯୁକ୍ତି ପାଇଛନ୍ତି। ୧୯୮୦ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା ଅଧିକାରୀ ସରନା କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମାଶୁଳ୍କ ବୋର୍ଡର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ୧୯୮୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଗୁପ୍ତା ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପ୍ରବନ୍ଧନ ବିଭାଗରେ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେହିଭଳି ଚନ୍ଦ୍ରା ୨୦୧୮ରେ ଆଇନ ସଚିବ ଭାବେ ଅବସର ଗ୍ରହଣ କରିଛନ୍ତି। ସେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ତତ୍‌କାଳୀନ ଆଇନ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଉଲ୍ଲେଖ ଯେ ମୁଖ୍ୟ ସୂଚନା କମିସନ ଏବଂ ସୂଚନା କମିସନ ନିଯୁକ୍ତିରେ ସ୍ବଚ୍ଛତା ଅବଲମ୍ବନ କରିବା ସହିତ ଏ ସମ୍ବନ୍ଧୀୟ ସୂଚନା ୱେବ୍‌ସାଇଟରେ ପ୍ରକାଶ କରିବାକୁ କେନ୍ଦ୍ର ତଥା ରାଜ୍ୟଗୁଡିକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

Leave A Reply