ନିଯୁକ୍ତି ଦକ୍ଷତା ବଢ଼ାଇବ ‘ସୁଦକ୍ଷ’, ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା କୋଚିଂ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ। ମଙ୍ଗଳବାର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଶୁଭାରମ୍ଭ କରିଛନ୍ତି।

ସୁନ୍ଦରଗଡ଼ ସହରର ପତ୍ରାପାଲିଠାରେ ଉଦଘାଟିତ ହୋଇଥିବା ‘ସୁଦକ୍ଷ’ କେନ୍ଦ୍ରରେ ପ୍ରାର୍ଥୀମାନଙ୍କର କୋଚିଂ ଆରମ୍ଭ ହୋଇଛି। ଏହି ସପ୍ତାହରେ ରାଉରକେଲା ଏବଂ ବଣାଇଁଠାରେ ଆଉ ଦୁଇଟି କେନ୍ଦ୍ର ଉଦଘାଟିତ ହେବା ନେଇ ସୂଚନା ଦିଆଯାଇଛି।

ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଚାକିରି ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଅନେକ ସମୟରେ ସଫଳତା ପାଇପାରୁ ନାହାନ୍ତି। ତେଣୁ ସେମାନଙ୍କୁ ମାଗଣାରେ ଆବଶ୍ୟକ କୋଚିଂ ଓ ଆନୁସଙ୍ଗିକ ସହଯୋଗ ଯୋଗାଇ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନକୁ ସଫଳ କରାଇବା ପାଇଁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଏକ ଅଭିନବ ପଦକ୍ଷେପ। ସୁନ୍ଦରଗଡ଼ ଜିଲା ଖଣିଜ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି।

ସୁଦକ୍ଷ କାର୍ଯ୍ୟକ୍ରମ ଅଧୀନରେ +୨ ଓ +୩ ପାସ୍ କରିଥିବା ତଥା ନିଯୁକ୍ତି ଆଶାୟୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି କୋଚିଂ ଦିଆଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଶେଷକରି ଜିଲାର ୬ଟି ଖଣି ପ୍ରଭାବିତ ବ୍ଲକ, ଅନୁସୂଚିତ ଜାତି ଓ ଜନଜାତି, ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସୁନ୍ଦରଗଡ଼ ଜିଲାପାଳ କହିଛନ୍ତି।

ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଡିଏମଏଫର ସିଇଓ ରସାଇ ଲାଗୁରୀ, ନିୟତି ଫାଉଣ୍ଡସନର ଅଧ୍ୟକ୍ଷ ନିର୍ମଳ କୁମାର ପଣ୍ଡା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଇତିଶ୍ରୀ ପଣ୍ଡା, ଡିଏମଏଫର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଦୀପୁ ଶଙ୍କର ସାମଲ ଏବଂ ଅଞ୍ଜନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସୁଦକ୍ଷ କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କିଙ୍ଗ୍, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୁଲିସ, ଅର୍ଦ୍ଧସାମରିକ ବାହିନୀ ଏବଂ ବୀମା କ୍ଷେତ୍ର ଆଦି ଲାଗି ମାଗଣାରେ ତିନିମାସିଆ କୋଚିଂ ପ୍ରଦାନ କରାଯାଉଛି। ଏଥିପାଇଁ ସୁଦକ୍ଷ କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ମାଗଣାରେ କୋଚିଂ ସହ ହଷ୍ଟେଲରେ ରହିବା, ଖାଇବା ପିଇବା ଏବଂ ୟୁନିଫର୍ମ ପ୍ରଦାନ କରାଯାଉଛି।

କୋଚିଂ କେନ୍ଦ୍ରରେ ନାମ ଲେଖାଇଥିବା ଜଣେ ଛାତ୍ରୀ ଯାଜ୍ଞସେନୀ ବାରିକ କୁହନ୍ତି, ମୁଁ ସେନାବାହିନୀରେ ଯୋଗଦେବାକୁ ଚାହୁଁଛି। ହେଲେ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିପାରୁ ନ ଥିଲି। ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ସୁଦକ୍ଷ’ କାର୍ଯ୍ୟକ୍ରମରେ ମୋତେ ମାଗଣାରେ କୋଚିଂ ନେବାର ସୁଯୋଗ ମିଳିଛି। ମୁଁ ମୋ ସ୍ବପ୍ନକୁ ସାକାର କରିବି।

ଅନ୍ୟ ଜଣେ ଛାତ୍ର ସୁବାସ ବାରିକ କହିଛନ୍ତି, ବିନା କୋଚିଂରେ ମୁଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିଲି। ହେଲେ ପରୀକ୍ଷାରେ ନିର୍ଦ୍ଦିଷ୍ଟ ଅବଧି ଭିତରେ କେମିତି ଉତ୍ତର ଦେବାକୁ ପଡ଼ିବ ତାହା ଜାଣି ନ ଥିଲି। ଏବେ ସୁଦକ୍ଷ କାର୍ଯ୍ୟକ୍ରମ ଅଧୀନରେ ମୁଁ ନାମ ଲେଖାଇଛି। ଏଠାରେ ଆବଶ୍ୟକ ପ୍ରଶିକ୍ଷଣ ନେଇ ମୁଁ ମୋର କ୍ୟାରିଅର ଗଢ଼ିବି।

Comments are closed.