ସାବଧାନ ସରକାରୀ ବାବୁ, ସୂଚନା ଅଧିକାର ଆଇନରେ ତଥ୍ୟ ନ ଦେଲେ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର: ସରକାରୀ ଅଧିକାରୀମାନେ ଏଣିକି ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ମଗାଯାଇଥିବା ତଥ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦେବାକୁ ବାଧ୍ୟ। ଏଥିରେ ଅବହେଳା କଲେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ସମସ୍ତ ବିଭାଗକୁ ଚିଠି ଦ୍ବାରା ଅବଗତ କରାଇଛନ୍ତି। ସୂଚନାେଯାଗ୍ୟ ଯେ ଅନେକ ସମୟରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ପ୍ରଦାନ କରିବାରେ ବିଭାଗୀୟ ଅଧିକାରୀମାନେ ଅବହେଳା ପ୍ରଦର୍ଶନ କରି ଆସୁଥିଲେ। ଫଳରେ ଆବେଦନକାରୀ ସୂଚନା ଆୟୋଗଙ୍କ ନିକଟରେ ଫେରାଦ ହେଉଥିଲେ। ଏପରି ଅଭିେଯାଗ ତାଲିକା ଲମ୍ବି ଚାଲିଥିବାରୁ ସୂଚନା କମିଶନ ଅସନ୍ତୋଷ ବ୍ୟକ୍ତ କରିବା ସହ ଆରଟିଆଇ ସମ୍ପର୍କିତ ସମସ୍ତ ଚିଠିପତ୍ରକୁ ’ଏ’ ତାଲିକାଭୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଏହାଦ୍ବାରା କମ ସମୟ ମଧ୍ୟରେ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ କରିହେବ। ଯେଉଁ ବିଭାଗ ତଥ୍ୟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ନିର୍ଦେଶରେ ଉଲ୍ଲେଖ କରିଛନ୍ତି । ଏ ଦିଗରେ ସମସ୍ତ ବିଭାଗୀୟ ଅଧିକାରୀ ସଚେତନ ରହିବାକୁ ସୂଚନା ଓ ଲୋକସମ୍ପର୍କ ସଚିବଙ୍କ ଚିଠିରେ ପରାମର୍ଶ ଦିଆଯାଇଛି।

Comments are closed.