ଗୃହିଣୀରୁ ସଫଳ ଛତୁ ଚାଷୀ

ଦୃଢ ଇଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ

ଭୁବନେଶ୍ୱର: ସମୟ ଥିଲା, ନିଜର ସର୍ବନିମ୍ନ ଆବଶ୍ୟକତା ପାଇଁ ସ୍ୱାମୀଙ୍କ ପାଖରେ ହାତ ପତେଇବାକୁ ପଡୁଥିଲା। ଗାଁ ପାଖ ହାଟରୁ ଚୁଡି ଦୁଇପଟ କି କଜଳ କିଣିବାକୁ ବି ଟଙ୍କା ମିଳୁନଥିଲା। ଏବେ ସେ ସ୍ୱାବଲମ୍ବୀ। ଆଉ କାହାପାଖରେ ତାଙ୍କୁ ହାତ ପତେଇବାକୁ ପଡୁନାହିଁ। ତାଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ କିଣିବାକୁ ଲୋକେ ଚାହିଁବସୁଛନ୍ତି। ତାଙ୍କ ଭଳି ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଏହିଭଳି ଜଣେ ଗୃହିଣୀ ହେଉଛନ୍ତି ଭାରତୀ ମହାନ୍ତ।
୨୬ ବର୍ଷ ବୟସ୍କା ଭାରତୀ ଏବେ ଜଣେ ସଫଳ ଛତୁଚାଷୀ। ଭାରତୀ ମହାନ୍ତ ଓଡ଼ିଶାର ଯାଜପୁର ଜିଲା ଅନ୍ତର୍ଗତ ସୁକିନ୍ଦା ବ୍ଲକର କାଳିଆପାଣି ଗ୍ରାମର ଏକ କ୍ଷୁଦ୍ର ପଡାର ବାସିନ୍ଦା। ତାଙ୍କ ଗ୍ରାମରେ ଉପଲବ୍ଧ ସମ୍ବଳର ସର୍ବାଧିକ ଉପଯୋଗ କରି ସେ ଉପାର୍ଜନକ୍ଷମ ହୋଇପାରିଛନ୍ତି। ତାଙ୍କର ଦୃଢ ଇଛାଶକ୍ତି ଓ ନିଷ୍ଠାଆଗରେ ଦାରିଦ୍ର୍ୟ ହାରମାନିଛି।
ଛତୁଚାଷ କିଭଳି କରାଯାଏ ସେ ସମ୍ପର୍କରେ ସେ ଆଗରୁ କିଛି ଜାଣିନଥିଲେ। ଯେତେବେଳେ ନିଜ ପରିବାରର ଆର୍ଥିକ ଦୁଃସ୍ଥିତି ସୁଧାରିବାକୁ ସେ ଚିନ୍ତାକଲେ ସେତେବେଳେ ହୁଏତ ତାଙ୍କୁ ଗାଁ ବାହାରକୁ ଯିବାକୁ ପଡିଥାନ୍ତା, କିମ୍ବା କୋ÷ଣସି ବ୍ୟବସାୟ ପାଇଁ ଅର୍ଥର ଆବଶ୍ୟକତା। ଏହି ଦୁଇଟିଯାକ ତାଙ୍କପକ୍ଷେ ସମ୍ଭବ ନଥିଲା। ତାଙ୍କୁ ସହଯୋଗ କରିବାକୁ ହାତ ବଢାଇଥିଲା ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ‘ପ୍ରୋଜେକ୍ଟ ଉନ୍ନତି’। ଏହି ପ୍ରୟାସ ଅଧୀନରେ ଛତୁଚାଷ ସମ୍ପର୍କିତ ତାଲିମ ନେଇ ସେ ଜଣେ ଛତୁ ଚାଷୀ ହୋଇପାରିଛନ୍ତି। କେବଳ ସେତିକି ନୁହେଁ, ଦିନେ ଚୁଡି, କଜଳ ପାଇଁ ସ୍ୱାମୀଙ୍କୁ ଟଙ୍କା କେତେଟା ପାଇଁ ଅନୁରୋଧ କରୁଥିବା ଭାରତୀଙ୍କ ଠାରୁ ତାଙ୍କ ସ୍ୱାମୀ ଆବଶ୍ୟକ ସମୟରେ ଅର୍ଥ ନେଉଛନ୍ତି। ଏହା ଭିତରେ ଭାରତୀ କିଛି ଟଙ୍କା ମଧ୍ୟ ସଞ୍ଚୟ କରିପାରିଛନ୍ତି। ତାଙ୍କର ଏହି ପ୍ରୟାସର ସଫଳତା ତାଙ୍କ ମୁହଁରେ ଫୁଟି ଉଠୁଥିବା ଆତ୍ମତୃପ୍ତିର ହସ ହିଁ ପ୍ରତିପାଦିତ କରୁଛି।
ଭାରତୀ କହିଛନ୍ତି, ଛତୁଚାଷର ନିଜସ୍ୱ ଆପଦ ରହିଛି, ତାହା ଛତୁମଞ୍ଜି ସଂଗ୍ରହ ହେଉ, ପଲିବ୍ୟାଗ ଯୋଗାଡ ଅଥବା ଅଧିକ ଅମଳ ପାଇବାକୁ ବୈଷୟିକ ସହଯୋଗ ହେଉ। ସେ ମଧ୍ୟ ସେଥିରୁ ବାଦ୍‍ ପଡିନଥିଲେ। ନିଜ ପରିବାରକୁ ସହଯୋଗ କରିବାକୁ ସେ ଘର ପଛପଟ ବାଡିରେ ପନିପରିବା ଲଗାଉଥିଲେ। ତଥାପି ସେ ଖୁସି ନଥିଲେ ଏବଂ ଅନ୍ୟ କିଛି ବିକଳ୍ପ ଖୋଜୁଥିଲେ। ତେବେ ଅଧିକ ଆୟ ପାଇଁ ସେ ଗାଁ ଓ ପରିବାର ଠାରୁ ଦୂରକୁ ଯିବାକୁ ମଧ୍ୟ ଅନିଚ୍ଛୁକ ଥିଲେ। ସେହି ସମୟରେ ସେ ‘ପ୍ରୋଜେକ୍ଟ ଉନ୍ନତି’ ସଂସ୍ପର୍ଶରେ ଆସିଥିଲେ, ଯାହା କାଳିଆପାଣି ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ମଧ୍ୟରେ ଛତୁଚାଷକୁ ପ୍ରୋତ୍ସାହିତ କରିବା ଉପରେ ଆଧାରିତ ଥିଲା। ଭାରତୀ ୨୦୧୯ ଫେବ୍ରୁଆରୀରେ ପ୍ରଦାନ କରାଯାଇଥିବା ଛତୁଚାଷ ସମ୍ପର୍କିତ ୧୦ ଦିନିଆ ତାଲିମ (ପାଳକୁ କାଟି ପ୍ରସ୍ତୁତ କରିବା ଏବଂ ଅୟେଷ୍ଟର) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ତାଲିମ କାର୍ଯ୍ୟକ୍ରମ ଶେଷ କରିବା ପରେ ସେ ଛତୁଚାଷ କରିବାକୁ ପାଳ ଶଯ୍ୟା ପ୍ରସ୍ତୁତ କଲେ ଏବଂ ସେଥିରୁ ତାଙ୍କୁ ନୈରାଶ୍ୟଜନକ ଅମଳ ମିଳିଲା। ଆଶା ନହରାଇ ସେ ନିରଳସ ଭାବରେ ନିଜର ପ୍ରଚେଷ୍ଟା ଜାରି ରଖିଲେ ଏବଂ ପାରମ୍ପରିକ ପଦ୍ଧତି ବ୍ୟବହାର କରି ଘର ପଛପଟେ ପାଳଶଯ୍ୟା ସଂଖ୍ୟା ୧୦କୁ ବୃଦ୍ଧିକଲେ। ସେ ଛତୁଚାଷ କରୁଥିବା ଜାଣିବା ପରେ ପଡୋଶୀମାନେ ତାଙ୍କ ଠାରୁ ଛତୁ କିଣିବାକୁ ଚାହିଁଲେ। ସେ ଛତୁ ବିକ୍ରିକରି ଉପାର୍ଜନ କରିବା ଆରମ୍ଭକଲେ। ପରିଶେଷରେ ସେ ମୋଟ ଶଯ୍ୟା ସଂଖ୍ୟା ୪୦କୁ ବୃଦ୍ଧି କରିଥିଲେ। ତାଙ୍କ ସଫଳତା ଦେଖି ଉଦ୍ୟାନ କୃଷି ବିଭାଗ ତାଙ୍କ ପାଇଁ ସହଯୋଗର ହାତ ବଢାଇଲା। ୨୦୧୯ ଏପ୍ରିଲରେ ତାଙ୍କୁ ୨ଲକ୍ଷ ଟଙ୍କା ମୂଲ୍ୟର ୭୫୦ବର୍ଗଫୁଟ ଆଚ୍ଛାଦନ ସ୍ଥଳ ଭିତ୍ତିଭୂମି ଯୋଗାଇ ଦିଆଗଲା ଏବଂ ସେ ନିଜେ ବାଡ ବୁଜିବା, ଲୁହା ଥାକ ଆଣିବା, ଭିତର ଆଚ୍ଛାଦନ ପାଇଁ ୬୦ ହଜାର ଟଙ୍କା ଖର୍ଚ୍ଚକଲେ।
୨୦୧୯ ଜୁଲାଇଠାରୁ ଭାରତୀ ବ୍ୟବସାୟିକ ଆକାରରେ ଛତୁଚାଷ କରୁଛନ୍ତି ଯେଉଁଠାରେ ପ୍ରତିଥର ସେ ୮୦ରୁ ୧୧୦ଟି ଶଯ୍ୟା ପ୍ରସ୍ତୁତ କରୁଛନ୍ତି ଏବଂ ମାସକୁ ପ୍ରାୟ ୯୫୦୦ ଟଙ୍କା ଉପାର୍ଜନ କରୁଛନ୍ତି। ଯେହେତୁ ବର୍ଷକୁ ଆଠମାସ ସାଧାରଣତଃ ଛତୁଚାଷ କରାଯାଇଥାଏ ଏବଂ ଶୀତଋତୁରେ ଛତୁ ଫୁଟିନଥିାଏ, ସେଥିପାଇଁ ଶୀତ ଋତୁରେ ନଭେମ୍ବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ସମୟରେ ସେ ନିଜର ଅୟେଷ୍ଟର ଛତୁଚାଷ ସମ୍ପର୍କିତ ଅତିରିକ୍ତ ଜ୍ଞାନକୁ ଉପଯୋଗ କରି ମାସକୁ ପ୍ରାୟ ୩ରୁ ୪ ହଜାର ଟଙ୍କା ରୋଜଗାର କରୁଛନ୍ତି। ସେ ଖୁସି ଯେ ତାଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଉତ୍ପାଦ ବିଶେଷ ପରିଶ୍ରମ ନକରି ବିକ୍ରି ହୋଇଯାଉଛି। ବିକ୍ରିବଟା, ବୈଷୟିକ ଏବଂ ଛତୁମଞ୍ଜି ସଂଗ୍ରହ ଆଦି କ୍ଷେତ୍ରରେ ବିଆଇପିଏଫ୍‍ ଟିମ୍‍ ଦ୍ୱାରା ସମୟୋଚିତ ମାର୍ଗଦର୍ଶନ ଏବଂ ସମର୍ଥନ ତାଙ୍କର ଗ୍ରାମୀଣ ଉଦ୍ୟୋଗକୁ ସଫଳ କରିପାରିଛି।

 

Comments
Loading...