ସଫଳତା ଓ ସାର୍ଥକତା

ସତ୍ୟର ରୂପ ଗୋଟିଏ, ମିଥ୍ୟାର ରୂପ ଅନେକ। ସତ୍ୟ ଓ ମିଥ୍ୟା ମଝିରେ ରହିଛି ଅର୍ଦ୍ଧସତ୍ୟ। ଅର୍ଦ୍ଧସତ୍ୟ ମଣିଷର ସ୍ୱାର୍ଥ ସାଧନରେ ସହଯୋଗ କରୁଥିବାରୁ ଏହାର ପ୍ରସାର ଖୁବ୍ ବେଶି। ଆଜି ଯାହା ସତ୍ୟ, କାଲି ତାହା ଅର୍ଦ୍ଧସତ୍ୟ କିମ୍ବା ସଂପୂର୍ଣ୍ଣ ମିଥ୍ୟା ହୋଇପାରେ। ଯେଉଁ ସମାଜ ଅଧିକ ରୁଗ୍ଣ ଓ ଅଧିକ ସଂକୀର୍ଣ୍ଣ ସେଠି ଅର୍ଦ୍ଧ ସତ୍ୟ ବେଶି ଆଦୃତ।
ଆଗଧାଡ଼ିର ଛାତ୍ରଛାତ୍ରୀମାନେ ଖୁବ୍ ଟାଲେଣ୍ଟେଡ୍ ଓ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି, କିନ୍ତୁ ସବୁଠୁଁ ଜିନିୟସ(ପ୍ରବୀଣ) ଛାତ୍ରଟି ପଛ ଧାଡ଼ିରେ ବା ଯେକୌଣସି ସ୍ଥାନରେ ବସିଥାଏ। ଭଲ/ବଡ଼ ଲୋକ ଓ ଧନୀ ଲୋକ ଅଲଗା। ଆଗ ଧାଡ଼ି ଛାତ୍ର ଇତିହାସ ଲେଖନ୍ତି, ପଛଧାଡ଼ିର ଛାତ୍ର ଇତିହାସ ସୃଷ୍ଟି କରନ୍ତି। ଆଗ ଧାଡ଼ି ଛାତ୍ର ଡାକ୍ତର-ଇଞ୍ଜିନିୟରର ପରିଚୟ ପଛରେ ଗୋଡ଼ାନ୍ତି, କିନ୍ତୁ ପଛଧାଡ଼ିର ଛାତ୍ର ନିଜ ପରିଚୟ ନିଜେ ସୃଷ୍ଟି କରନ୍ତି। ଏହାର ମାନେ ନୁହେଁ ପଛରେ ବସିଲେ ଜିନିୟସ ହେଇଯିବେ। ଭଲ ଛାତ୍ର ପରୀକ୍ଷାରେ ସଫଳତା ଅର୍ଜନ କରେ, କିନ୍ତୁ ଭଲ ପିଲା ଜୀବନରେ ସଫଳ ହୁଏ। ଜୀବନ ଓ ଜୀବିକା ଅଲଗା। ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ର, ଉତ୍ତମ ଛାତ୍ର ହୋଇପାରେ ବା ହୋଇନପାରେ, କାରଣ ଆମର ପରୀକ୍ଷା ପଦ୍ଧତି ତ୍ରୁଟିପୂର୍ଣ୍ଣ।
ଶିକ୍ଷିତ ମାଆ(ମମି) ତା’ର ଛୁଆ ପାଇଁ ଆଦର୍ଶ। ପିଲାମାନଙ୍କୁ ଖୁବ୍ ଭଲ ଯତ୍ନ ନିଏ ଓ ପାଠ ପଢ଼ାଏ, କିନ୍ତୁ ଅଶିକ୍ଷିତ ମା’ ତାର ପିଲା ପାଇଁ ଆଶୀର୍ବାଦ; କାରଣ ପିଲାର ପ୍ରାକୃତିକ ବିକାଶ ସଂଗଠିତ ହୁଏ। ଯଦିଓ କୃତ୍ରିମତା ବେଶି ଆକର୍ଷଣୀୟ, ପ୍ରାକୃତିକ ବିକାଶ ସବୁବେଳେ କୃତ୍ରିମ ବିକାଶଠାରୁ ଅଧିକ ବଳିଷ୍ଠ। ଆଦର୍ଶ ପ୍ରାକୃତିକତାର ଶତ୍ରୁ ସାଜେ। ଭଲ ଛାତ୍ରମାନଙ୍କର ସ୍ମରଣଶକ୍ତି ଅଧିକ। ସେମାନେ ସମାଜରେ ଖୁବ୍ ସଫଳତା ହାସଲ କରନ୍ତି, କିନ୍ତୁ ସ୍ମରଣଶକ୍ତି ଆଧାରିତ ସଫଳତା ଅତି ସୀମିତ ମାତ୍ର। ଜୀବିକାରେ ସଫଳତା ଓ ଜୀବନରେ ସାର୍ଥକତା ଭିତରେ ପାର୍ଥକ୍ୟ ଅଛି। ମେଧାଶକ୍ତି ଓ ସ୍ମରଣ ଶକ୍ତି ଭିତରେ ପ୍ରଭେଦ ଅଛି।
ଆମର ଶିକ୍ଷା ବ୍ୟବସ୍ଥା କେବଳ ବ୍ୟକ୍ତିଗତ ସଫଳତା ଓ ସାମାଜିକ ପ୍ରତିଷ୍ଠା ହାସଲ କରିବାର ମାନସିକତା ସୃଷ୍ଟି କରୁଛି। ଶିକ୍ଷିତ ବ୍ୟକ୍ତି କିମ୍ବା ବୈଜ୍ଞାନିକମାନଙ୍କର ବ୍ୟକ୍ତିଗତ ସଫଳତା ଓ ପ୍ରତିଷ୍ଠା ଅର୍ଥହୀନ। ସେଥିରେ ସମାଜ ପାଇଁ ପ୍ରାସଙ୍ଗିକତା ବା ଅଙ୍ଗୀକାରବଦ୍ଧତା ନ ଥାଏ, କାରଣ ଆମର ଶିକ୍ଷା ବ୍ୟବସ୍ଥା ଓ ଗବେଷଣାଗାରର ବିଜ୍ଞାନ ସର୍ବଶେଷରେ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବା ପରିବର୍ତ୍ତେ ବ୍ୟକ୍ତିଗତ ପ୍ରତିଷ୍ଠା ଓ ପୁରସ୍କାର ପ୍ରାପ୍ତିର ମାଧ୍ୟମ ସାଜିଛି। ବୈଜ୍ଞାନିକମାନେ ଜୀବନରେ ମଙ୍ଗଳ ଖୋଜିବା ପରିବ‌େର୍ତ୍ତ, ମଙ୍ଗଳ ଗ୍ରହରେ ଯାଇ ଜୀବନ ଖୋଜୁଛନ୍ତି।
ଅଧିକ ଧନୀ ବ୍ୟକ୍ତି ଟଙ୍କା ପଇସା ଦ୍ୱାରା ଔଷଧ କିଣିପାରନ୍ତି, କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟ କିଣିହୁଏ ନାହିଁ। ଡାକ୍ତରୀ ଔଷଧ ନିର୍ଦିଷ୍ଟ ରୋଗକୁ ଭଲକରେ, କିନ୍ତୁ ସୁସ୍ଥ ଖାଦ୍ୟ ଅଭ୍ୟାସ ଓ ଜୀବନ ଶୈଳୀ ରୋଗକୁ ପ୍ରତିରୋଧ କରେ। ଆମେ ବିଶ୍ୱାସ କରୁ ବାପା ନଥିବା ପିଲାଟି ବିଶୃଙ୍ଖଳିତ ହୋଇଯାଏ। ବାସ୍ତବରେ ବାପା ନଥିବା ପିଲାଙ୍କ ଭିତରେ ୨୦% ବିଶୃଙ୍ଖଳିତ, କିନ୍ତୁ ମାଆ ନଥିବା ପିଲାଙ୍କ ଭିତରେ ୮୦% ନଷ୍ଟ ହୋଇଥାଆନ୍ତି। ଏହା ପୁରୁଷକୈନ୍ଦ୍ରିକ ସମାଜକୁ ଦେଖାଯାଏ ନାହିଁ। ପ୍ରତିବର୍ଷ ମାତ୍ର ୦.୦୦୫% ଲୋକ ଭୋକ ଉପାସରେ ମୃତ୍ୟୁବରଣ କରନ୍ତିି। ସାଧାରଣ ଜନତା ଏ କଥାକୁ ମଧ୍ୟ ବିଶ୍ୱାସ କରନ୍ତି, କିନ୍ତୁ ବାସ୍ତବରେ ଅଧିକ ଖାଦ୍ୟ ଖାଇ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ମରନ୍ତି।
ପିଲାମାନଙ୍କୁ ଆମେ ଉପଦେଶ ଦେଇଥାଉ ‘କଷ୍ଟ କଲେ କୃଷ୍ଣ ମିଳେ’। ବାସ୍ତବରେ କଷ୍ଟ କରିଥିବା ସବୁ ଲୋକଙ୍କୁ କୃଷ୍ଣ ପ୍ରାପ୍ତି ହୁଏ ନାହିଁ। ସଫଳତାର ରାସ୍ତା ଖୁବ୍ କଣ୍ଟକମୟ। ତା’ ମାନେ ନୁହେଁ ଜଣେ ବ୍ୟକ୍ତି କେବଳ ଜାଣିଜାଣି ଦୁଃଖ କଷ୍ଟରେ ରହିଲେ ସଫଳତା ହାସଲ କରି ପାରିିବ। ଆମେ ଜାଣୁ କିଛି ଲକ୍ଷ୍ୟ ହାସଲ କଲେ ସଫଳତା ଆସେ। ସଫଳତା ଥାଏ ରାସ୍ତାରେ, ଲକ୍ଷ୍ୟରେ ନୁହେଁ। ସାଧାରଣତଃ ସଫଳତା କିଛି ପ୍ରାପ୍ତିକୁ ବୁଝାଏ, କିନ୍ତୁ ପ୍ରକୃତ ସଫଳତା ଲକ୍ଷ୍ୟ ହାସଲ କରିବାରେ ବିଶ୍ୱାସ କରେ ନାହିଁ। ସେ ହେବାରେ ବିଶ୍ୱାସ କରେ। ସଫଳତାର ଆନନ୍ଦ କ୍ଷଣସ୍ଥାୟୀ, କିନ୍ତୁ ଆନନ୍ଦରୁ ମିଳିଥିବା ସଫଳତା କାଳଜୟୀ। କୁହାଯାଏ, ଲୋକସଂଖ୍ୟା ବୃଦ୍ଧି ଆମ ଦେଶର ମୁଖ୍ୟ ସମସ୍ୟା। ଦାରିଦ୍ର୍ୟ, ବେକାରୀ, ନିରକ୍ଷରତା, ପୁଷ୍ଟିହୀନତା, ଅନ୍ଧବିଶ୍ୱାସ ଏ ସବୁ ବହୁଳ ଲୋକ ସଂଖ୍ୟା ସାଙ୍ଗେ ଯୋଡ଼ିହୋଇ ରହିଥିବାରୁ ଆମେ ଏ କଥାକୁ ଆଜିଯାଏ ବିଶ୍ୱାସ କରି ଆସିଛୁ, କିନ୍ତୁ ଭଲ ମଣିଷଙ୍କ ସଂଖ୍ୟା ହ୍ରାସ ଦେଶର ହିଁ ମୁଖ୍ୟ ସମସ୍ୟା। ଅଧିକ ଲୋକସଂଖ୍ୟା ଦାରିଦ୍ର୍ୟର ଆଦୌ କାରଣ ନୁହେଁ।
ଆମେ ସବୁବେଳେ କହୁ ‘ଅଭାବରୁ ସ୍ୱଭାବ ନଷ୍ଟ’। ସମସ୍ତେ ବିଶ୍ୱାସ କରନ୍ତି ଯେ ଗରିବ ଲୋକମାନେ ଚୋରି କରନ୍ତି, କିନ୍ତୁ ବାସ୍ତବରେ ଧନୀ ଲୋକମାନଙ୍କର ଲୋଭ ବେଶି। ଗୋଟିଏ ଧନୀ ଲୋକର ଦୁର୍ନୀତିର ସାମାଜିକ ଭାର ସମସ୍ତ ଚୋରଙ୍କର ଚୋରିଧନ ଠାରୁ ଅଧିକ। ଚୋରି କରିବା ଏକ ପ୍ରବଣତା ଯାହା ଉଭୟ ଧନୀ ଓ ଗରିବଙ୍କ ପାଖେ ଥାଏ। ତେଣୁ ଦାରିଦ୍ର୍ୟ ଏହାର କାରଣ ନୁହେଁ। ଅନ୍ଧ ଦେଖିପାରେ ନାହିଁ, କିନ୍ତୁ ଆଖିଥିବା ଲୋକ(ଶିକ୍ଷିତ ଲୋକ) ଦେଖନ୍ତି ନାହିଁ। ଅଶିକ୍ଷିତ ଲୋକ କହେ ମୁଁ କିଛି ଜାଣେ ନାହିଁ, ଶିକ୍ଷିତ ଲୋକ କହେ ମୁଁ କିଛି ଖାତିର କରେ ନାହିଁ। କାରଣ ସେମାନେ ବେଶି ପରିମାଣରେ ସ୍ୱାର୍ଥାନ୍ଧ ଓ ଅର୍ଥାନ୍ଧ।
ଆମ ଦେଶର ଅର୍ଥନୈତିକ ପ୍ରଗତି ହେଉଥିବା କୁହାଯାଉଛି, କିନ୍ତୁ ଆମ ଦେଶ ପ୍ରକୃତ ବିକାଶ ପ୍ରକ୍ରିୟାରେ ଅଗ୍ରସର ହେଉନାହିଁ। ସହରମାନଙ୍କରେ ଲୋକମାନେ ଖୁବ୍ ଆଧୁନିକତା ଉପଲବ୍ଧି କରିପାରୁଛନ୍ତି, କିନ୍ତୁ ଜୀବନ ନିର୍ବାହର ମାନ ହ୍ରାସ ପାଉଛି। ଆଧୁନିକତା ସାଜିଛି କୃତ୍ରିମତା। ସାମାଜିକ ମୂଲ୍ୟବୋଧ ହ୍ରାସ ଘଟୁଛି। ସାଂସ୍କୃତିକ ଅଧୋଗତି , ଆଧ୍ୟାତ୍ମିକତା ଓ ସମ୍ପର୍କର ସଂକଟ ଘନଭୂତ ହେଉଛି। ଲୋକମାନେ ସହରରେ ଉପଭୋକ୍ତାବାଦରେ କବଳିତ। ସୁଖଠାରୁ ଶାନ୍ତି ଅଲଗା ହୋଇ ଯାଇଛି। ଧନୀ ଘରେ ଆନନ୍ଦର ଘୋର ଅଭାବ। ପ୍ରକୃତ ଆନନ୍ଦ ଉପଲବ୍ଧି କରିଥିବା ଲୋକଟି ସୁଖ ଶାନ୍ତିର ଊର୍ଦ୍ଧ୍ବରେ ଥାଏ। ସୁଖ ଦୁଃଖ ତାକୁ ଛୁଇଁ ପାରେ ନାହିଁ।
ଆମେ କହୁ ସୁଖର ସାଥି ସମସ୍ତେ ଓ ଦୁଃଖ ସମୟରେ ସାଥି କେହି ମିଳନ୍ତି ନାହିଁ। ବାସ୍ତବରେ ଦେଖାଯାଏ ଅତି ସୁଖ ସମୟରେ ସାଥି ମଧ୍ୟ ଈର୍ଷାପରାୟଣ ହୁଏ। ଅତି ଦୁଃଖରେ ଓ ଅତି ସୁଖରେ କେହି ପାଖରେ ନ ଥାଆନ୍ତି। ବ୍ୟକ୍ତି ସବୁବେଳେ ଏକାକୀ। ସେଥିପାଇଁ ରବୀନ୍ଦ୍ର ନାଥ ଠାକୁର ‘ଏକଲା ଚଲୋ’ ବୋଲି କହିଥିଲେ। ଆମେ ଜାଣୁ ଯେ ଗରିବ ଲୋକମାନେ ଅତ୍ୟନ୍ତ ଦୁଃଖରେ ଥାଆନ୍ତି, କିନ୍ତୁ ବାସ୍ତବରେ ଧନୀ ଲୋକମାନଙ୍କର ସମସ୍ୟା ଅସୀମିତ ଏବଂ ସେମାନେ ବେଶି ପରିମାଣରେ ଅଶାନ୍ତିରେ କାଳକଟାନ୍ତି। ଧାର୍ମିକ ଲୋକଟି ନିଜକୁ ଦୟାଳୁ ସାବ୍ୟସ୍ତ କରେ। ଧର୍ମ କାମ ମାଧ୍ୟମରେ ସେ ନିଜକୁ ଭଲଲୋକ ଓ ଆଦର୍ଶ ବ୍ୟକ୍ତି ହିସାବରେ ସମାଜରେ ପ୍ରମାଣ କରେ। ଧର୍ମ ବିଶ୍ୱାସର ଏକ ପୁଞ୍ଜି। ଏହା କେବଳ ରୀତି, ନୀତି, ନିୟମ, ପୂଜା-ପାଠ ଓ ବିଧିର ସମ୍ଭାର, କିନ୍ତୁ ଆଧ୍ୟାତ୍ମିକତା ଏକ ଦିବ୍ୟ ଚେତନାର ମାର୍ଗ। ଭଲ ମଣିଷର ରାସ୍ତା। ଭଲ ବୁଦ୍ଧି, ବିବେକ, ବିଚାର, ବ୍ୟବହାର, ସମ୍ବେଦନଶୀଳତା, ଅତ୍ମୀୟତା ଓ ଭଲ ମଣିଷପଣିଆର ରାସ୍ତା ହିଁ ଆଧ୍ୟାତ୍ମିକତା। ତେଣୁ ଧର୍ମ ଆଧ୍ୟାତ୍ମିକତାର ଶତ୍ରୁ ସାଜିଛି। ଧର୍ମ ହେଉଛି ଡାଳ। ଆଧ୍ୟାତ୍ମିକତା ହେଉଛି ମୂଳ। ମୂଳ ବିନା ଡାଳ ଅର୍ଥହୀନ। ଧର୍ମ ଅନ୍ଧପୁଟୁଳି ବାନ୍ଧିଦିଏ, କିନ୍ତୁ ଆଧ୍ୟାତ୍ମିକତା ସମସ୍ତ ଅନ୍ଧପୁଟୁଳି ଖୋଲିଦିଏ।

କୁମାର ବର ଦାସ

ପୂର୍ବତନ କୁଳପତି 
ଫକିରମୋହନ ବିଶ୍ବବିଦ୍ୟାଳୟ

Comments
Loading...