ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀମାନଙ୍କର ନିଜସ୍ୱ କ୍ୟାଡର ମନୋନୟନ କରିବାର କୌଣସି ଅଧିକାର ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ପ୍ରାର୍ଥୀମାନଙ୍କର ନିଜସ୍ୱ କ୍ୟାଡର ମନୋନୟନ କରିବା କିମ୍ବା ନିଜ ରାଜ୍ୟ କ୍ୟାଡର ବାଛିବାର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୋର୍ଟ କହିଛନ୍ତି ସେମାନଙ୍କୁ ମନୋନୀତ କରାଯିବା ସମୟରେ ସେମାନେ ଦେଶର ଯେକୌଣସି ସ୍ଥାନରେ କାର୍ଯ୍ୟ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ବେ ପରେ ସେମାନେ ନିଜ ରାଜ୍ୟ କ୍ୟାଡରକୁ ଚାଲିଯାଉଛନ୍ତି ।
କେରଳ ହାଇକୋର୍ଟଙ୍କ ଏକ ରାୟ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଜଣେ ମହିଳା ପ୍ରଶାସନିକ ସେବା ଅଫିସର ଏ.ଶାଇନାମୋଲଙ୍କୁ କେରଳ କ୍ୟାଡରକୁ ବଦଳି କରିବା ପାଇଁ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ସେହି ପ୍ରଶାସନିକ ସେବା ଅଫିସରଙ୍କୁ ହିମାଚଳ ପ୍ରଦେଶରେ ନିଯୁକ୍ତି ଦିଆଯାଇଥିଲା। ଜଷ୍ଟିସ୍‍ ହେମନ୍ତ ଗୁପ୍ତା ଓ ଭି. ରାମସୁବ୍ରମଣ୍ୟନ୍‍ଙ୍କୁ ନେଇ ଗଠିତ ଖଣ୍ଡପୀଠ କେରଳ ହାଇକୋର୍ଟଙ୍କ ରାୟକୁ ଖାରଜ
କରିଦେଇଛନ୍ତି। ସୁପ୍ରିମକୋର୍ଟ ମଣ୍ଡଳ ମାମଲାରେ ଏକ ଐତିହାସିକ ରାୟକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।
ସେହି ରାୟ ଅନୁସାରେ ଅନୁସୂଚିତ ଜାତି, ଅନୁସୂଚିତ ଉପଜାତି ଓ ଅନ୍ୟାନ୍ୟ ପଛୁଆବର୍ଗର ପ୍ରାର୍ଥୀମାନେ ଯଦି ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କ ଶ୍ରେଣୀରେ ମନୋନୀତ ହୋଇଥିବେ, ତେବେ ସେମାନଙ୍କୁ ଅଣସଂରକ୍ଷିତ ବର୍ଗର ଖାଲି ସ୍ଥାନ ଗୁଡ଼ିକ ପାଇଁ ନିଯୁକ୍ତି ଦିଆଯାଇ ପାରିବ ।

Comments are closed.