ଆଇଏନ୍‌ଏସ୍‌ ରଣବିଜୟରୁ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଆଇଏନ୍‌ଏସ୍‌ ରଣବିଜୟରୁ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍‌ ଭର୍ସନ ସଫଳ ପରୀକ୍ଷଣ ହୋଇଛି। ସୂଚନାଅନୁସାରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ବହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଆଣ୍ଟି-ସିପ୍‌ ଭର୍ସନ ପରୀକ୍ଷଣ କରାଯାଇଛି।। ୩୦୦ କିଲୋମିଟରର ଷ୍ଟ୍ରାଇକ ରେଞ୍ଜ ସହ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ଏହି ପରୀକ୍ଷଣକୁ ସଫଳତାପୂର୍ବକ ସମାପନ କରିଛି ଭାରତୀୟ ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ।


ଡିଆରଡିଓ ପକ୍ଷରୁ ଏହି ମିସାଇଲକୁ ଭାରତୀୟ ନୌସେନାର ଆଇଏନଏସ ରଣବିଜୟରୁ ଦିନ ୯ଟା ୨୫ରେ ଲଞ୍ଚ କରାଯାଇଥିଲା । ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲ୍ୟାଣ୍ଡ ଆଟାକ ଭର୍ସନର ମଧ୍ୟ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ହେଉଛି ବିଶ୍ବର ଦ୍ରୁତତମ କାର୍ଯ୍ୟକ୍ଷମ ପ୍ରଣାଳୀ ।

ଆଜି ପରୀକ୍ଷା କରାଯାଇଥିବା ଏହି କ୍ଷେପଣାସ୍ତ୍ରକୁ ବୁଡ଼ାଜାହାଜ, ଜଳଜାହାଜ, ଲଢ଼ୁଆ ବିମାନ ଏପରିକି ସ୍ଥଳ ପ୍ଲାଟଫର୍ମରୁ ମଧ୍ୟ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇ ପାରିବ। ୨୯୦ରୁ ୪୦୦ କିଲୋମିଟର ଦୂରତ୍ବ ମଧ୍ୟରେ ରହିଥିବା ଶତ୍ରୁପକ୍ଷର ଟାର୍ଗେଟ ଉପରେ ଏହି ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।  ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ନିକଟରେ କ୍ଷେପଣାସ୍ତ୍ର ସିଷ୍ଟମ ସୀମାକୁ ୨୯୮ କିଲୋମିଟରରୁ ପ୍ରାୟ ୪୫୦ କିଲୋମିଟରକୁ ବୃଦ୍ଧି କରିଛି।

Comments are closed.