ଦିବ୍ୟାଙ୍ଗ ସ୍ବପ୍ନାଙ୍କ ସଫଳତା

ସଫଳତାର ସ୍ବାଦ କାହାକୁ ବା ଭଲ ନ ଲାଗେ। ମାତ୍ର ଏହି ସଫଳତାର ଶୀର୍ଷ ସୋପାନରେ ପହଞ୍ଚିବାକୁ ହେଲେ ଦୃଢ ମନୋବଳ, ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଓ ଉତ୍ସର୍ଗୀକୃତ ସାଧନା ନିତାନ୍ତି ଆବଶ୍ୟକ। ଏହାରି ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ ଏକଥାକୁ ପ୍ରମାଣ କରିପାରିଛନ୍ତି ଦିବ୍ୟାଙ୍ଗ ସ୍ବପ୍ନା। ସବୁ କାମ ହାତ ଦ୍ବାରା କରାଯାଏ ବୋଲି ସମସ୍ତଙ୍କର ଧାରଣା ଥିଲେ ମଧ୍ୟ ହାତ ବିନା ପାଦରେ ସୁନ୍ଦର ଚିତ୍ର ଆଙ୍କି ଦେଶ ବିଦେଶରେ ପରିଚିତି ହାସଲ କରିପାରିଥିବା ଝିଅ ସ୍ବପ୍ନା ଆଜି ବହୁ ଦିବ୍ୟାଙ୍ଗଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି।

କେରଳର ଏର୍ଣ୍ଣାକୁଲମ୍‌ସ୍ଥିତ ପେଇନ୍‌ଗୋଟୁର୍‌ ନିବାସୀ ହେଲେ ୪୩ ବର୍ଷୀୟା ଦିବ୍ୟାଙ୍ଗ ସ୍ବପ୍ନା ଅଗଷ୍ଟାଇନ୍। ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ଜୀବନଯୁଦ୍ଧରେ ମନୋବଳ ହରାଇନାହାନ୍ତି କି ହାରିଯାଇନାହାନ୍ତି ବରଂ ଆଜି, ସେ କେବଳ ଭାରତ ନୁହେଁ, ଦେଶବିଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିଥିବା ଏକ ସଫଳ ବ୍ୟକ୍ତିତ୍ବ। ହାତ ନଥାଇ ମଧ୍ୟ ସୁନ୍ଦର ସୁନ୍ଦର ଚିତ୍ର କରି ବେଶ୍ ସଫଳତା ଅର୍ଜନ କରିଛନ୍ତି, ଯାହା ତାଙ୍କୁ ସଫଳତାର ଶୀର୍ଷ ସୋପାନରେ ପହଞ୍ଚାଇ ଦେଇପାରିଛି। ମୁଖ୍ୟ କଥା ହେଉଛି, ଦୁଇ ହାତ ନଥିବା ସ୍ବପ୍ନା ପାଦରେ ହିଁ ଅତି ସୁନ୍ଦର ଚିତ୍ରମାନ ଆଙ୍କିଥା’ନ୍ତି।

ସାଧାରଣ କୃଷକ ପରିବାର‌ରେ ଜନ୍ମ ହୋଇଥିବା ଝିଅ ସ୍ବପ୍ନା ଜନ୍ମରୁ ଦିବ୍ୟାଙ୍ଗ। ବାପା ଅଗଷ୍ଟାଇନ୍ କିନ୍ତୁ ପିଲାଟି ବେଳୁ ଝିଅକୁ ସର୍ବଦା ଉତ୍ସାହିତ କରିଆସୁଥିଲେ ଏବଂ ‌ସେ ଜଣେ ଦିବ୍ୟାଙ୍ଗ ହେତୁ ବିଭିନ୍ନ କାମ କରିବାରେ ଯେ ଅସମର୍ଥ ହେବେ, ଏଭଳି ଭାବାନାରୁ ବିରତ ହେବା ପାଇଁ ସର୍ବଦା ତାକୁ ବୁଝାଉଥିଲେ। ତେଣୁ ଭିନ୍ନକ୍ଷମ ବିଦ୍ୟାଳୟ ପରିବର୍ତ୍ତେ ଅଗଷ୍ଟାଇନ୍ ଝିଅକୁ ସାଧାରଣ ବିଦ୍ୟାଳୟରେ ପଢ଼ାଇବାକୁ ସ୍ଥିର କଲେ। ସେ ସ୍କୁଲରେ ପଢୁଥିବା ବେଳେ ଛୋଟ ପିଲାମାନେ ଚପଳତା ହେତୁ କେତେବେଳେ କେମିତି ତାକୁ ଟାହିଟାପରା କଲେ ଛ’ ସାତ ବର୍ଷର ଝିଅ ସ୍ବପ୍ନା ସାଙ୍ଗସାଥିଙ୍କର ଏଭଳି ବ୍ୟବହାରରେ ରାଗି ସେମାନଙ୍କୁ ଗାଳି ଦେବା ସହ ଗୋଡ଼ରେ ମାରୁଥିଲେ। ଝିଅର ଏଭଳି ଆଚରଣ ଦେଖି ଅଗଷ୍ଟାଇନ ବୁଝାଇଥିଲେ ଯେ, ମା’ରେ ତୁ ତୋ କାମରେ ମନ ଦେ, ତୁ ଭଲ ପାଠ ପଢ଼ିଲେ ହିଁ ସେମାନଙ୍କୁ ଉଚିତ୍ ଜବାବ୍ ମିଳିବ ଏବଂ ସେମାନେ ନିଜ ଭୁଲ ବୁଝିପାରିବେ। ଛୋଟପିଲା ହେଲେ ମଧ୍ୟ ବାପାଙ୍କର ଏହି କଥାକୁ ସ୍ବପ୍ନା ଖୁବ୍ ମନଧ୍ୟାନ ଦେଇ ଗ୍ରହଣ କରିଥିଲା। ପାଠପଢି ବିଦ୍ୟାଳୟରୁ ଫେରିବା ପରେ ତାଙ୍କ ବଡ଼ ଭଉଣୀ ସ୍ବପ୍ନାଙ୍କୁ ପାଦରେ ଚିତ୍ର ଆଙ୍କିବା ଶିଖାଉଥିଲେ। ଧୀରେଧୀରେ ସ୍ବପ୍ନା ଚିତ୍ରଆଙ୍କିବାରେ ନିମଗ୍ନ ହେଲେ ମଧ୍ୟ। ମାତ୍ର ଆର୍ଥିକ ସ୍ବଚ୍ଛଳତା ନଥିବାରୁ ସ୍ବପ୍ନା ଏହି କାମରେ ଅଧିକ ଆଗେଇପାରୁନଥିଲେ କିମ୍ବା ଏଥିପାଇଁ କାହାର ଅନୁଗ୍ରହ ହାସଲ କରିବାକୁ ସ୍ବପ୍ନାଙ୍କର ସ୍ବାଭିମାନ ବାଧା ଦେଉଥିଲା।

ଦିନକର କଥା। ପଡ଼ିଶାଘରର ଜଣେ ମହିଳା ସ୍ବପ୍ନାଙ୍କର ଏସବୁ କାମ ଦେଖି ତାଙ୍କୁ ସୁଇଜରଲ୍ୟାଣ୍ଡର ଏମ୍‌ଏଫ୍‌ପିଏ ସଂସ୍ଥା ସମ୍ପର୍କରେ ଅବଗତ କରାଇଲେ। ଦିବ୍ୟାଙ୍ଗଙ୍କୁ କର୍ମକ୍ଷମ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ କାମକୁ ବିଶ୍ବସ୍ତରରେ ପରିଚିତ କରାଇବା ଏହି ସଂସ୍ଥାର ମୂଳ ଲକ୍ଷ୍ୟ ବୋଲି ସେମାନେ ଜାଣିବାକୁ ପାଇଲେ। ସ୍ବପ୍ନା ସେମାନଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ କଥାର ସତ୍ୟତା ଜାଣିବା ନିମନ୍ତେ ସୁଇଜରଲ୍ୟାଣ୍ଡରୁ ସ୍ବତନ୍ତ୍ର ଦଳ ଆସିଲେ। ପାଦରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିପାରୁଥିବା ଏହି ଦିବ୍ୟାଙ୍ଗ ଝିଅଟିର କାମକୁ ଦେଖି ସେମାନେ ଭୂରିଭୂରି ପ୍ରଶଂସା କରିଥିଲେ। ୧୯୯୯ ମସିହାରେ ଏହି ସଂସ୍ଥାର ସଦସ୍ୟ ଭାବେ ସ୍ବପ୍ନାଙ୍କୁ ମନୋନୀତ କରାଗଲା। ଏହା ପରେ ମଧ୍ୟ ତାଙ୍କ ସଂଘର୍ଷର ଯାତ୍ରା ଶେଷ ହୋଇନଥିଲା। ୪ ବର୍ଷ କାଳ ତାଙ୍କୁ ଜଣେ ପ୍ରଶିକ୍ଷକଙ୍କ ନିକଟରୁ ତାଲିମ ଦିଆଗଲା ଏବଂ ସେ ଅଧିକରୁ ଅଧିକ ସୁନ୍ଦର ଚିତ୍ରମାନ ଆଙ୍କିବାରେ ସମର୍ଥ ହେଲେ।

ସଂପ୍ରତି ତାଙ୍କ ପାଦ ଅଙ୍କା ଚିତ୍ର ଏହି ସଂସ୍ଥା ଜରିଆରେ ବିଶ୍ବ ବଜାରରେ ବିକ୍ରି ହେଉଛି। ଯାହାଙ୍କ ପାଇଁ ସ୍ବପ୍ନା ଆଜି ଏହି ସ୍ତରରେ ପହଞ୍ଚିପାରିଛନ୍ତି, ମାତ୍ର ସେ ସଫଳତା ଦେଖିବା ପାଇଁ ସେହି ବ୍ୟକ୍ତି ଅର୍ଥାତ୍ ତାଙ୍କର ବାପା ନାହାନ୍ତି, ଏହା ହିଁ ସ୍ବପ୍ନାଙ୍କର ସବୁଠୁ ବଡ଼ ଅବଶୋଷ ବୋଲି ସେ କହନ୍ତି। ମା’ଙ୍କ ସହ ରହୁଥିବା ସ୍ବପ୍ନା କହିଛନ୍ତି, ଯେ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ତାଙ୍କର ଏଇ ଜୟଯାତ୍ରାକୁ ନେଇ ସେ ବିଶେଷ ଆନନ୍ଦିତ। ଗତ କିଛି ବର୍ଷ ମଧ୍ୟରେ ସେ ବିଶ୍ବର ବିଭିନ୍ନ ପ୍ରାନ୍ତକୁ ସଂସ୍ଥା ତରଫରୁ ଯାତ୍ରା କରିବା ପରେ ସେ କହନ୍ତି ଯେ, ବିଦେଶରେ କର୍ମକ୍ଷେତ୍ରରେ ମହିଳାମାନଙ୍କୁ ବେଶ୍ ସମ୍ମାନ ଦିଆଯାଉଥିବା ବେଳେ ଆମ ଭାରତରେ ସେଭଳି ସମ୍ମାନ ମିଳେ ନାହିଁ। ଏହି ମାନସିକତା ପରିବର୍ତ୍ତନ ହେବା ଜରୁରୀ ବୋଲି ସ୍ବପ୍ନା ମତ ଦେଇଛନ୍ତି।

Comments are closed.