ଧାନ ସଂଗ୍ରହର ବକେୟା ସବ୍‌ସିଡି ତୁରନ୍ତ ପ୍ରଦାନ କର

କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି

ଭୁବନେଶ୍ବର : ରାଜ୍ୟକୁ ଧାନ ସଂଗ୍ରହ ବାବଦରେ ବକେୟା ସବସିଡ଼ି ଅର୍ଥ ତୁରନ୍ତ ପ୍ରଦାନ ନିମନ୍ତେ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ‌ପାଶ୍ବାନଙ୍କୁ ନୂଆଦିଲ୍ଲୀ ପାର୍ଲାମେଣ୍ଟସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟି ଅନୁରୋଧ କରିଛନ୍ତି। ଧାନସଂଗ୍ରହ ବାବଦକୁ ୨୦୧୯-୨୦ ଆର୍ଥିକ ବର୍ଷରେ ବକେୟା ଥିବା ୨୦୬୬ କୋଟି ଟଙ୍କାର ସବ୍‌ସିଡି ଅର୍ଥ ରାଜ୍ୟ ସରକାରଙ୍କ ପ୍ରମୁଖ ଧାନ ସଂଗ୍ରହକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ଯୋଗାଣ ନିଗମକୁ ତୁରନ୍ତ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ।
ଏହା ବ୍ୟତୀତ ୨୦୧୯ ବର୍ଷରେ ଡିସେମ୍ବର ୩୧ ତ୍ରୈମାସରେ ଅଗ୍ରିମ ସବ୍‌ସିଡି ବାବଦରେ ରାଜ୍ୟକୁ ୧୩୪୦ କୋଟି ଟଙ୍କା ମିଳିବାକୁ ଅଛି। ରାଜ୍ୟ ସରକାର ଅର୍ଥର ବିନିଯୋଗ ପ୍ରମାଣପତ୍ର ନିୟମିତ ଭାବେ ଦାଖଲ କରୁଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ତରଫରୁ ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଯୋଗାଣ ନିଗମର ବ୍ୟାଙ୍କ ଋଣ ଓ ସୁଧ ବୋଝ ବଢ଼ିଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁଧ ବାବଦ ଅର୍ଥକୁ ମଧ୍ୟ କେନ୍ଦ୍ର ସରକାର ଭରଣା କରିବା ପାଇଁ ସେ ଅନୁରୋଧ କରିଛନ୍ତିା
ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସହିତ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୨୦୧୫ ଅକ୍ଟୋବର ୩ ତାରିଖରେ ହୋଇଥିବା ବୁଝାମଣା ଅନୁଯାୟୀ ଧାନ ସଂଗ୍ରହ କରୁଥିବା ସଂସ୍ଥା ଧାନ ସଂଗ୍ରହ ବାବଦକୁ ଯେଉଁ ଅର୍ଥ ବ୍ୟୟ ହେବ, ତାହା ଆଗୁଆ ହିସାବ କରାଯାଇ ପ୍ରତି ୩ ମାସର ପ୍ରଥମ ମାସରେ ୯୦ ପ୍ରତିଶତ ଅର୍ଥ ସବ୍‌ସିଡି ଆକାରରେ କେନ୍ଦ୍ର ସରକାର ପ୍ରଦାନ କରିବ। ପରବର୍ତ୍ତୀ ସମୟରେ ଅଗ୍ରୀମ ଅର୍ଥକୁ ବାଦ ଦିଆଯାଇ ପ୍ରୋଭିଜନାଲ୍ ସବ୍ସିଡି ଧାନ ସଂଗ୍ରହକାରୀ ସଂସ୍ଥାକୁ ପ୍ରଦାନ କରିବା ନେଇ ଚୁକ୍ତି ହୋଇଛି। ମାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ସବ୍‌ସିଡି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ଧାନ ସଂଗ୍ରହକାରୀ ସଂସ୍ଥା ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି। ସେହିପରି ରାଜ୍ୟ ବର୍ଷକୁ ପ୍ରାୟ ୨୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆବଶ୍ୟକ କରୁଥିବା ବେଳେ ବଳକା ଚାଉଳ କେନ୍ଦ୍ର ଭଣ୍ଡାରକୁ ପ୍ରଦାନ କରାଯାଇଥାଏ।
ବିଗତ ଖରିଫ୍ ବିପଣନ ବର୍ଷରେ ଭାରତୀୟ ଖାଦ୍ୟ ନିଗମ ୧୭.୮୪ ଲକ୍ଷ ମେଟ୍ରିକ ଟନ୍ ବଳକା ଚାଉଳ ରାଜ୍ୟରୁ ସଂଗ୍ରହ କରିବାବେଳେ ଚଳିତ ବର୍ଷ ରେକର୍ଡ ପରିମାଣର ଧାନ ସଂଗ୍ରହ ହେବା ଆଶା କରାଯାଉଥିବା ଦୃଷ୍ଟିରୁ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଶୀଘ୍ର ଓ ଠିକ୍ ସମୟରେ ବଳକା ଚାଉଳ ଉଠାଣ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି।

Comments are closed.