ଏସଟିପିଆଇ ଏଲିଟ୍‍ କଂପ୍ଲେକ୍ସ ପରିଦର୍ଶନ କଲେ ସୁବ୍ରତୋ ବାଗ୍‍ଚୀ

ଭୁବନେଶ୍ୱର: ଓଡ଼ିଶା କୁଶଳତା ବିକାଶ ପ୍ରାଧିକରଣ (ଓଏସ୍‍ଡିଏ)ର ଅଧ୍ୟକ୍ଷ ସୁବ୍ରତୋ ବାଗ୍‍ଚୀ ୨୦୨୧ ଅଗଷ୍ଟ ୨୭ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଏସଟିପିଆଇ ଏଲିଟ୍‍କୁ ପ୍ରଥମ ଥର ପାଇଁ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ସେ ଏସଟିପିଆଇ ଭୁବନେଶ୍ୱରଠାରେ ଉଦ୍‍ଭବନ ସ୍ଥିତିରେ ଥିବା ଷ୍ଟାର୍ଟଅପ୍‍ ଏବଂ ଆଇଟି ୟୁନିଟ ଏବଂ ଭୁବନେଶ୍ୱରସ୍ଥିତ ଇଲେକ୍‍ଟ୍ରୋପ୍ରିନ୍ୟୋର ପାର୍କ (ଏସଟିପିଆଇ ଦ୍ୱାରା ସ୍ଥାପିତ ଏକ ଇଏସଡିଏମ୍‍ ଉଦ୍‍ଭବନ କେନ୍ଦ୍ର)ରେ ଥିବା ୟୁନିଟଗୁଡିକ ସହିତ ପ୍ରାୟ ଦୁଇ ଘଣ୍ଟା ଆଲୋଚନା କରିଥିଲେ। ଏସଟିପିଆଇ ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା ଏବଂ ଏସଟିପିଆଇ ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ଏସ ଆର ପାତ୍ର ଓ ଏ କେ ପଣ୍ଡାଙ୍କ ସମେତ ବରିଷ୍ଠ ଅଧିକାରୀଗଣ ଏହି ଆଲୋଚନା କାଳରେ ଉପସ୍ଥିତ ଥିଲେ। ଭୁବନେଶ୍ୱର ଇଲେକ୍‍ଟ୍ରୋପ୍ରିନ୍ୟୋର ପାର୍କର ସିଓଓ ଲୋପା ମିଶ୍ର ଜାନ୍‍ ଏହି ଆଲୋଚନାକୁ ସଂଚାଳନ କରିଥିଲେ।
୧୦ରୁ ଅଧିକ ଷ୍ଟାର୍ଟଅପ ଏବଂ ଦୁଇଟି ଆଇଟି ୟୁନିଟ୍‍ର ପ୍ରତିଷ୍ଠାତା ଓ ସହ-ପ୍ରତିଷ୍ଠାତାଗଣ ଶ୍ରୀ ବାଗ୍‍ଚୀଙ୍କ ସହିତ ଏକ ମୁକ୍ତ ଓ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ଭାବ ବିନିମୟ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେମାନଙ୍କର ପୃଷ୍ଠଭୂମି, ବିକାଶ ଅବସ୍ଥାରେ ଥିବା ଉତ୍ପାଦ ଓ ସେବା, ନବସୃଜନ ଏବଂ ସେମାନଙ୍କ ବ୍ୟବସାୟର ବିଶେଷତ୍ୱ ତଥା ବିପଣନ କୋ÷ଶଳ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଷ୍ଟାର୍ଟଅପ୍‍ଗୁଡିକ ସହିତ ମତ ବିନିମୟ କରି ଶ୍ରୀ ବାଗ୍‍ଚୀ କେତେକ ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଥିଲେ। ଏସଟିପିଆଇ, ଭୁବନେଶ୍ୱର ଦ୍ୱାରା ନିର୍ମିତ ଅନନ୍ୟ ଷ୍ଟାର୍ଟଅପ ପରିବ୍ୟବସ୍ଥାକୁ ଶ୍ରୀ ବାଗ୍‍ଚୀ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଓଡ଼ିଶାକୁ ଦେଶର ଅନ୍ୟତମ ଅଗ୍ରଣୀ ଆଇଟି ରାଜ୍ୟ ଭାବରେ ରୂପାନ୍ତରିତ କରିବାରେ ଏହାର ଅବଦାନକୁ ପ୍ରଶଂସା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏସଟିପିଆଇ ଦେଶରୁ ସଫ୍ଟୱେର ଏବଂ ସେବା ରପ୍ତାନିକୁ ପ୍ରୋତ୍ସାହିତ କରିବା କାର୍ଯ୍ୟରେ ନିୟୋଜିତ ରହିଛି ଏବଂ ରାଜ୍ୟରେ ଆଇଟି ଅଭିବୃଦ୍ଧି ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଇଲେକ୍‍ଟ୍ରୋପ୍ରିନ୍ୟୋର ପାର୍କ, ଭୁବନେଶ୍ୱର (ଇଏସଡିଏମ୍‍ ଉଦ୍‍ଭବନ ପାଇଁ ଏକ ସିଓଇ) ଇଏସଡିମ୍‍ ଷ୍ଟାର୍ଟଅପ୍‍ଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣା ଓ ବିକାଶ, ନବସୃଜନ, ଉତ୍ପାଦର ବିକାଶ, ଭୁବନେଶ୍ୱରରେ ଇଏସ୍‍ଡିଏମ କ୍ଷେତ୍ରରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ସକାଶେ ଓଡ଼ିଶା ସରକାରଙ୍କ ସମର୍ଥନରେ ଏସଟିପିଆଇ ଦ୍ୱାରା ସ୍ଥାପନ କରାଯାଉଛି।

Comments are closed.