ସୁବ୍ରମଣ୍ୟନ୍ ହେଲେ ଜାତୀୟ ନିରାପତ୍ତା ପରିଷଦର ଅଧ୍ୟକ୍ଷ

ସେଖରୀପୁରମ ନାରାୟଣନ ସୁବ୍ରମଣ୍ୟନ୍ ଆସନ୍ତା ୩ ବର୍ଷ ପାଇଁ ଜାତୀୟ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କର ଅଭିଜ୍ଞତା ଜାତୀୟ ନିରାପତ୍ତା ପରିଷଦକୁ ମାର୍ଗଦର୍ଶନ କରିବ ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ କହିଛି। ନୂତନ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ସର୍ତ୍ତାବଳୀ ଅଧୀନରେ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏକ ପ୍ରମୁଖ ଭୂମିକା ରହିଥିବା ବେଳେ ସୁବ୍ରମଣ୍ୟନ୍ ଏହାକୁ ଅଧିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟାନ୍ୱୟନ କରାଇ ପାରିବେ ବୋଲି ମନ୍ତ୍ରାଳୟ କହିଛି।

ଜାତୀୟ ନିରାପତ୍ତା ପରିଷଦ ମୁଖ୍ୟତଃ ବିଗତ ୫୦ ବର୍ଷ ହେବ କାରଖାନା ଓ ଶ୍ରମ ନିର୍ଦ୍ଦେଶାଳୟ ଦ୍ୱାରା ବୃତ୍ତିଗତ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପରିଚାଳନା କରୁଥିବା ନିୟମାବଳୀକୁ ନୂଆ ରୂପ ଦେବା ସହ ତୃତୀୟ ପକ୍ଷ ଅଡିଟ୍ ଏବଂ ସାର୍ଟିଫିକେଟ୍ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ। ଏହା ସହ ବୃତ୍ତିଗତ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ପ୍ରତିଷ୍ଠାନଗୁଡିକର ସୁରକ୍ଷା ମୂଲ୍ୟାୟନ ଏବଂ ଯାଞ୍ଚ ବ୍ୟବସ୍ଥା ନିୟନ୍ତ୍ରିତ ହୋଇପାରିବ ବୋଲି କୁହାଯାଇଛି।

ଏଲ ଆଣ୍ଡ ଟି ଲିମିଟେଡର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁବ୍ରମଣ୍ୟନ ଜଣେ ପ୍ରତିଷ୍ଠିତ ଇଞ୍ଜିନିୟର ଯିଏ କି ଦୀର୍ଘ ବର୍ଷ ଧରି ଏଲ ଆଣ୍ଡ ଟି’ର ଭିତ୍ତିଭୂମି ବ୍ୟବସାୟର ନେତୃତ୍ୱ ନେଇଛନ୍ତି ଏବଂ ଏହାକୁ ଦେଶର ବୃହତ୍ତମ ନିର୍ମାଣ ସଂଗଠନ ତଥା ବିଶ୍ୱର ୧୪ତମ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି।

Comments are closed.