ଗ୍ରହାଣୁ ଧକ୍କାରେ ଦିନେ ନଷ୍ଟ ହୋଇଯିବ ପୃଥିବୀ, ଏଭଳି ସାମ୍ଭାବ୍ୟ ପ୍ରଳୟକୁ ନେଇ ବୈଜ୍ଞାନିକ ଚିନ୍ତିତ

ଭୁବନେଶ୍ବର: ‘ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ’; ଏଭଳି ଏକ ଭୟାନକ ଖବର ନେଇ ଲୋକେ ଭୟଭୀତ ହୋଇଯାଇଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ମଧ୍ୟଗ୍ରହାଣୁ ଧକ୍କା ଦ୍ବାରା ପୃଥିବୀ ରେ ହେବାକୁ ଥିବା ସମ୍ଭାବ୍ୟ ପ୍ରଳୟ ବିଷୟରେ ସଦା ସର୍ବଦା ଚିନ୍ତିତ ରହୁଛନ୍ତି। ଏଠାରେ ସ୍ମରଣ କରାଯାଇ ପାରେ ଯେ ଆଜିକୁ ଠିକ୍ ୧୧୨ ବର୍ଷ ତଳେ ୧୯୦୮ ମସିହା ଜୁନ ୩୦ରେ ରୁଷୀୟ ଦେଶର ସାଇବେରିଆର ତୁଙ୍ଗାସ୍କା ଅଞ୍ଚଳରେ ଏକ ଗ୍ରହାଣୁ ଖସିବା ଫଳରେ ସେଠି ପ୍ରାୟ ୨ହଜାର ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲରେ ଥିବା ୮ କୋଟିରୁ ଅଧିକ ଗଛ ଓ ସେଠାରେ ଥିବା ଅନେକ ପଶୁ ପକ୍ଷୀ ନିମିଷକ ମଧ୍ୟରେ ପୋଡି ଯାଇଥିଲେ। ସୌଭାଗ୍ୟବଶତଃ କୌଣସି ମନୁଷ୍ୟ ମୃତାହତ ହେବାର ଖବର ନାହିଁ । ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଏକ ବିରାଟ ଜାଗା ଯାହା ଭୁବନେଶ୍ବର ସହର ଠାରୁ ୧୫ ଗୁଣ ଓ ମୁମ୍ବାଇ ମହାନଗର ଠାରୁ ୩ ଗୁଣ ବଡ ଅଟେ। ଏଭଳି ଏକ ବିରାଟ ଧ୍ଵଂସ ଲୀଳା ଘଟାଇଥିଲା ମାତ୍ର ୨୦୦ ଫୁଟ ରୁ ୪୦୦ ଫୁଟ ଲମ୍ବର ସାମାନ୍ୟ ଏକ ପଥୁରିଆ ପିଣ୍ଡ ବା ଗ୍ରହାଣୁ। ଆଜିକୁ ପ୍ରାୟ ୪୫୦ କୋଟି ବର୍ଷ ପୂର୍ବେ ପୃଥିବୀ ସହ ଏହିଭଳି ଏକ ବିରାଟ ପିଣ୍ଡର ସଙ୍ଘାତ ଫଳରେ ଚନ୍ଦ୍ର ସୃଷ୍ଟି ହୋଇଛି ବୋଲି କିଛି ବୈଜ୍ଞାନିକ ମତ ଦିଅନ୍ତି। ସେହିପରି ଅନେକ ବର୍ଷ ତଳେ ଡାଇନୋସର୍ ଗୁଡିକ ଏହିଭଳି ଏକ ଗ୍ରହାଣୁ ଧକ୍କା ଫଳରେ ଲୋପ ପାଇଯାଇଥିଲେ ଓ ପୃଥିବୀରେ ଶୀତଳ ଯୁଗ ଆସିଥିବାର ଅନୁମାନ କରାଯାଏ । ପୃଥିବୀ ପୃଷ୍ଠରେ ଅନେକ ସ୍ଥାନରେ ଗ୍ରହାଣୁ ଧକ୍କା ଦ୍ବାରା ଗର୍ତ୍ତମାନ ସୃଷ୍ଟି ହୋଇଥିବାର ନଜିର ରହିଛି। ଭାରତର ମହାରାଷ୍ଟ୍ର ଠାରେ ଥିବା ଲୋନା ସରୋବର ଓ ଆରିଜୋନାଠାରେ ଏକ ବିରାଟ ଗର୍ତ୍ତ ମଧ୍ୟ ଗ୍ରହାଣୁ ଧକ୍କାରୁ ସୃଷ୍ଟି ହୋଇଛି। କିଏ ଜାଣେ,ଏଭଳି ଗୋଟିଏବଡ ଗ୍ରହାଣୁ ଧକ୍କା ପୃଥିବୀ ରୁ ଜୀବ ସତ୍ତା ଲୋପ କରିଦେଇପାରେ। ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ମାନଙ୍କ ମତରେ ଗ୍ରହାଣୁର ଆକାର ଯେତେ ବଡ ପୃଥିବୀରେ ସେଗୁଡିକ ପଡିବା ଅଥବା ଧକ୍କା ହେବାରର ସମ୍ଭାବନା ସେତେ କମ । ଚନ୍ଦ୍ରକୁ ସୃଷ୍ଟି କରିଥିବା ପରି ବିରାଟ ଗ୍ରହାଣୁ ୪୦୦ କୋଟି ବର୍ଷରୁ ଅଧିକ ସମୟରେ ଥରେ ପଡୁଥିଲା ବେଳେ ଶୀତଳ ଯୁଗ ଆଣିଥିବା ଗ୍ରହାଣୁ ୨୦୦ କୋଟି ବର୍ଷରୁ ଅଧିକ ସମୟରେ ଥରେ ପଡିଥାଏ। କିନ୍ତୁ ୧୯୦୮ ମସିହାରେ ସାଇବେରିଆର ତୁଙ୍ଗାସ୍କା ଅଞ୍ଚଳରେ ପଡିଥିବା ଗ୍ରହାଣୁ ଭଳି ଅନ୍ୟ ଏକ ଗ୍ରହାଣୁ ୧ହଜାର ବର୍ଷରେ ଥରେ ଖସିବାର ସଂଭାବନା ରହିଛି। ପୃଥିବୀ ନିକଟରେ ଥିବା ଏହି ଭଳି ପିଣ୍ଡ ମାନଙ୍କୁ ଠାବ କରି ସେମାନଙ୍କ ଆକାର, ଗଠନ ତଥା କକ୍ଷପଥ ଗଣନା କରାଯାଉଛି ଓ ପୃଥିବୀ ସହିତ ଧକ୍କା ହେବାର ସମ୍ଭାବନାଙ୍କୁ ଆକଳନ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଗଲାଣି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାରଟି ଏପରି ପିଣ୍ଡ ଠାବ କରାଯାଇଛି ଯାହାକି ଭବିଷ୍ୟତରେ ପୃଥିବୀରେ ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁ ଗୁଡିକର ଗତିବିଧି ଉପରେ କଡା ନଜର ରଖାଯାଇଛି। ସେଗୁଡିକୁ କିପରି ମହାକାଶରେ ଧ୍ଵଂସ କରାଯାଇପାରିବ ନଚେତ ସେମାନଙ୍କ ଗତିପଥକୁ ସାମାନ୍ୟ ବଦଳାଇଦେଇ ପୃଥିବୀ କକ୍ଷ ପଥରୁ ଦୁରେଇଦିଆଯାଇପାରିବ ସେଥିପାଇଁ ଅନେକ ପ୍ରକାରର ଉପାୟ ତଥା ଯୋଜନା ମାନ ପ୍ରସ୍ତୁତ କରାଯାଉଛି। ନିକଟରେ ୨୦୧୬ ମସିହା ଡିସେମ୍ବର ମାସରେ ଜାତିସଂଘର ସାଧାରଣ ଅଧିବେଶନରେ ସର୍ବସମ୍ମତ୍ତି ଦ୍ଵାରା ଅନୁମୋଦିତ କରାଯାଇ ସ୍ଥିର କରଯାଇଥିଲା ଯେ ପ୍ରତି ବର୍ଷ ଜୁନ ମାସ ୩୦ ତାରିଖକୁ ଆନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ କରାଯିବ ଓ ସେହିଦିନଠାରୁ ବିଶ୍ଵ ର ସବୁ ଦେଶ ଏହାକୁ ପାଳନ କରିଆସୁଛନ୍ତି। ୧୯୪ ଟି ଦେଶର ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ମାନେ ମିଳିତ ଭାବରେ ପୃଥିବୀ ପ୍ରତି ବିପଦ ଥିବା ସବୁ ପିଣ୍ଡ ଉପରେ ଗବେଷଣା କରିବା ସହ ସେମାନେ ଯେପରି ପୃଥିବୀର କୌଣସି କ୍ଷତି କରିପାରିବେନାହିଁ ସେଥିପାଇଁ ଯତ୍ନବାନ ଅଛନ୍ତି । ଏଭଳି ଘଟଣା ଘଟିବାର ଅନେକ ସମୟ ପୂର୍ବରୁ କିପରି ଏହାର ସୂଚନା ମିଳିପାରିବ ସେଥିପାଇଁ ଅନେକ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକ ଏହି ଭଳି ଗ୍ରହାଣୁ ମାନଙ୍କୁ ଠାବ କରି ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି।ଆସନ୍ତା କିଛି ବର୍ଷ ମଧ୍ୟରେ ଏପରି କୌଣସି ପିଣ୍ଡ ଦ୍ଵାରା ପୃଥିବୀ ପ୍ରତି କିଛି ବିପତ୍ତି ନାହିଁ ତେଣୁ ସେଥିପାଇଁ ଆମର ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଭୁବନେଶ୍ଵର ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments
Loading...