‘ପୀଡ଼ିତା ନିଜ ପାଇଁ ନିଜେ ଲଢିବାର ସାହସ ଜୁଟାନ୍ତୁ’

ଆଧୁନିକ ଯୁଗରେ ବଦଳିଛି ଅପରାଧର ସ୍ବରୂପ। ନାବାଳିକା ​ଯୌନ ନିର୍ୟାତନା, ଗଣବାଳାତ୍କାର, ଏସିଡ ଆକ୍ରମଣ ଭଳି ବର୍ବରୋଚିତ ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏସବୁକୁ ଦୃଷ୍ଟିରେ ରଖି ମହିଳାଙ୍କ ସୁରକ୍ଷା ନିମନ୍ତେ ସମାଜର ପ୍ରତିଟି ବୁଦ୍ଧିଜୀବୀଙ୍କୁ ଆଗେଇ ଆସିବାକୁ ହେବ। କାରଣ ଆର୍ଥିକ ଅନଟନ, ଲୋକଲଜ୍ଜା ଭଳି ନାନା କାରଣରୁ ପୀଡ଼ିତା ଯେଭଳି ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସେ ଦିଗରେ ପ୍ରତିଟି ନାଗରିକ ସ୍ବର ଉଠାଇବା ସମୟର ଆହ୍ବାନ ପାଲଟିଛି। ନାରୀ ସୁରକ୍ଷାକୁ ନେଇ ସାମାଜିକ କର୍ମୀ ତଥା ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ଡେଭେଲପମେଣ୍ଟ (ଆଇଏସଡି)ର ନିର୍ଦେଶିକା ଶୁଭଶ୍ରୀ ଦାସଙ୍କ ସହିତ ସମାଜର ସହ-ସମ୍ପାଦିକା ପ୍ରୀତିଶ୍ରୀ ସ୍ବଦେଶଙ୍କ ଆଲୋଚନାର କିୟଦଂଶ…।

ପ୍ର: ଆପଣ ନିର୍ଦିଷ୍ଟ ଭାବେ କେବଳ ମହିଳାଙ୍କ ପାଇଁ କାମ କରି କେତେଦୂର ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି।
ଉ: ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକା ସଂଖ୍ୟାରେ ହିଂସାର ଶିକାର ହେଉଛନ୍ତି। ସମ୍ପ୍ରତି ହିଂସାର ସ୍ବରୂପ ମଧ୍ୟ ବଦଳିଛି। ଖାଲି ଘରୋଇ ହିଂସା ଓ ଯୌତୁକ ନୁହେଁ, ମହିଳାଙ୍କ ଉପରେ ଏସିଡମାଡ଼, ଅସଦାଚରଣ, ଏସିଡମାଡ଼, ସମ୍ପ୍ରତି ୩ ମାସର ଶିଶୁଠାରୁ ଆରମ୍ଭ କରି ୬୦ ବର୍ଷର ବୃଦ୍ଧାଙ୍କୁ ବଳାତ୍କାର ଭଳି ଘଟଣା ଘଟୁଛି। ଏଣୁ ଦେଶରେ ମହିଳାଙ୍କ ସୁରକ୍ଷା ଜରୁରୀ ହୋଇପଡିଛି। କାରଣ ମହିଳାଟିଏ ସୁରକ୍ଷିତ ରହିଲେ ତା’ ପରିବାର ସୁରକ୍ଷିତ ରହିପାରିବ। ଏହି ଆଭିମୁଖ୍ୟ ନେଇ ମୁଁ ମହିଳାଙ୍କ ସୁରକ୍ଷା ଦିଗରେ କାର୍ୟ୍ୟ କରୁଛି।
ପ୍ର:ସମାଜ ସେବା କରିବା ବେଳେ ଏମିତି କେଉଁ ଘଟଣା ଆପଣଙ୍କ ମନକୁ ସର୍ବାଧିକ ଆନ୍ଦୋଳିତ କରିଥିଲା।
ଉ: ୧୯୯୯ରେ ମହାବାତ୍ୟାରେ ସର୍ବସ୍ବ ହରାଇ ଏରସମା ଭଳି ସ୍ଥାନରେ ରହିଯାଇଥିବା ମହିଳାମାନେ ନିଜ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହୋଇଥିଲେ। ସେତେବେଳେ ଯେଭଳି ସ୍ଥିତି ସୃଷ୍ଟି ହୋଇଥିଲା ତାହା ମୋତେ ଖୁବ ବ୍ୟଥିତ କରିଥିଲା। ଦ୍ବିତୀୟତଃ ଏସିଡ ଆକ୍ରମଣର ଶିକାର ପ୍ରମୋଦିନୀ ରାଉଳ ଆଥିର୍କ ସମସ୍ୟା କାରଣରୁ ନିଜ ପାଇଁ ନ୍ୟାୟ ଦାବି କରିବାରେ ନାନା ସମସ୍ୟାରେ ପଡିଥିଲେ। ତାଙ୍କ କାହାଣୀ ମୋ ମନକୁ ଆନ୍ଦୋଳିତ କରିଥିଲା। ୨୦୦୯ରେ ତାଙ୍କ ଉପରେ ଏସିଡ ଆକ୍ରମଣ ହୋଇଥିବା ବେଳେ ୨୦୧୨ରେ ପୁଲିସ ତାଙ୍କ ମାମଲା ବନ୍ଦ କରିଦେଇଥିଲା। ଏଣୁ ଉକ୍ତ ମାମଲା ପୁନଃ ଖୋଲିବା ଦୋଷୀକୁ ଦଣ୍ଡିତ କରିବାକୁ ପଦକ୍ଷେପ ନେଇଥିଲୁ। ଅନ୍ୟପଟେ ପ୍ରମୋଦିନୀ କିଭଳି ନିଜ କଥା ନିଜେ ସମାଜ ସମ୍ମୁଖରେ ଉପସ୍ଥାପନ କରି ନିଜ ପାଇଁ ସହାୟତା ଯୋଗାଡ କରିପାରିବେ ସେ ଦିଗରେ ଯତ୍ନଶୀଳ ହୋଇଥିଲୁ। ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ପ୍ରମୋଦିନୀକୁ ନ୍ୟାୟ ପ୍ରଦାନର ବାଟ ଖୋଲିଥିଲା।
ପ୍ର: ପ୍ରମୋଦିନୀ ରାଉଳଙ୍କ ଭଳି ଏସିଡ ପୀଡ଼ିତାଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଯୋଜନା ଅଣାଯିବା ଦରକାର କି?
ଉ: ନିଶ୍ଚିତ ଭାବରେ ଏଭଳି ବ୍ୟବସ୍ଥା ହେବା ଦରକାର। କାରଣ ଯେକୌଣସି ସ୍ଥାନରେ ମହିଳାମାନେ ଏସିଡ ମାଡ଼ର ଶିକାର ହେବା ପରେ ଆଇନ ଅନୁଯାୟୀ ସେମାନଙ୍କୁ ଯେତିକି କ୍ଷତିପୂରଣ ମିଳିବା କଥା ତାହା ମିଳିପାରି ନାହିଁ। ଭିନ୍ନକ୍ଷମ ଆଇନରେ ଥିବା ବ୍ୟବସ୍ଥା ସମ୍ବନ୍ଧରେ ଅଧିକ ପ୍ରଚାର ପ୍ରସାର କରାଯିବାର ମଧ୍ୟ ଆବଶ୍ୟକତା ରହିଛି।
ପ୍ର: ପ୍ରମୋଦିନୀଙ୍କ ଭଳି ଆଉ କେଉଁ ଏସିଡ ଆକ୍ରମଣ ପୀଡ଼ିତାଙ୍କ ପାଇଁ ଆପଣ କାମ କରିଛନ୍ତି?
ଉ: ମୋ ନିକଟରେ ଥିବା ସୂଚନା ଅନୁସରରେ ୨୦୦୧ରୁ ୨୦୧୯ ମଧ୍ୟରେ ଓଡ଼ିଶାରେ ୫୯ଟି ଏସିଡ ଆକ୍ରମଣ ଘଟଣା ଘଟିଛି। ଏମାନଙ୍କ ମଧ୍ୟରୁ ୧୨-୧୫ ଜଣଙ୍କୁ ବିଭିନ୍ନ ସହାୟତା ପ୍ରଦାନ ଦିଗରେ କାମ କରିଛୁ। ଏସିଡ ଆକ୍ରମଣ ପୀଡ଼ିତାମାନଙ୍କ ଥଇଥାନ ଲାଗି ସାମାଜିକ କର୍ମୀ ଶୁଭଶ୍ରୀ ଦାସ ‘ଷ୍ଟପ ଏସିଡ ଆଟାକ’ ଅଭିଯାନ ଅଧୀନରେ ଉଦ୍ୟମ ଜାରି ରଖିଛି।
ପ୍ର:ଏସିଡ ପୀଡ଼ିତାଙ୍କ ପ୍ରତି ସାଧାରଣ ଲୋକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଛି କି?
ଉ: ଏଭଳି ମହିଳାଙ୍କୁ ସାଧାରଣତଃ ଟେଲିଭିଜନ ମାଧ୍ୟମରେ ଲୋକେ ଦେଖିଥାଆନ୍ତି। ପ୍ରତ୍ୟକ୍ଷ ଦେଖିବା ପରେ କେହିକେହି ଭୟ କରନ୍ତି ଅଥବା ସେମାନଙ୍କ ସହିତ କଥା ହେବାକୁ କୁଣ୍ଠା ପ୍ରକାଶ କରନ୍ତି। ଯଦି ଏଭଳି ମହିଳାଙ୍କୁ ଏକତ୍ର କାମ କରିବା ତଥା ଗୋଟିଏ ଛାତ ତଳେ ଏକାଠି ବସି ନିଜ ମଧ୍ୟ ଆଲୋଚନା କରିବାର ସୁଯୋଗ ମିଳେ ତା’ହେଲେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଏଣୁ ସେମାନଙ୍କୁ ନିଜ ଗୋଡରେ ଛିଡା ହେବାର ଓ ଆତ୍ମବିଶ୍ବାସର ସହିତ ବଞ୍ଚିବାର ସୁଯୋଗ ମିଳିବା ଦରକାର।
ପ୍ର: ଓଡ଼ିଶାରେ ଶିରୋଜ କାଫେ ପ୍ରତିଷ୍ଠା ଦ୍ବାରା ଏଠାକାର ଏସିଡ ପୀଡ଼ିତା ଉପକୃତ ହୋଇପାରନ୍ତେ ବୋଲି ଆପଣ ଭାବୁନାହାନ୍ତି କି?
ଉ: ଏସିଡ ଆକ୍ରମଣର ଶିକାର ମହିଳାମାନଙ୍କ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ଭାବେ ଶିରୋଜ କାଫେ ବ୍ୟବସ୍ଥା କରିବାର ଆବଶ୍ୟକ। ଯେଉଁଠି ସେମାନେ ସ୍ବତନ୍ତ୍ର ଭାବେ କାମ କରିପାରିବେ ଏବଂ ନିଜେ ରୋଜଗାରକ୍ଷମ ହୋଇପାରିବେ। ଏମାନଙ୍କୁ ସୁରକ୍ଷିତ ଭାବେ ନିଯୁକ୍ତି ପ୍ରଦାନ କରାଯାଇପାରିବ। ଏଥିନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସଏସପିଡି) ବିଭାଗ ସହିତ ଯୋଗାଯୋଗ କରିଥିଲୁ। କାଫେ ପାଇଁ ଜାଗା ଚିହ୍ନଟ କଲେ ସମସ୍ତ ସହଯୋଗ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ମାତ୍ର ଜାଗା ଚିହ୍ନଟ କରିବା ଆମ ପକ୍ଷେ ସମ୍ଭବ ହେଉ ନାହିଁ। ଏଣୁ ସରକାର ନିଜେ ଜାଗା ଚିହ୍ନଟ କରି କାଫେ ବ୍ୟବସ୍ଥା କରି ତାହାକୁ ଚଳାଇବାର ଦାୟିତ୍ବ ଆମକୁ ପ୍ରଦାନ କଲେ ନିଶ୍ଚିତ ଭାବେ ଆମେ ତାହା ସୁଚାରୂ ରୂପେ ଚଳାଇବାର ଦାୟିତ୍ବ ନେଇପାରିବୁ।
ପ୍ର: ଏସିଡ ଆକ୍ରମଣକାରୀଙ୍କୁ ଦଣ୍ଡିତ କରିବା ଲାଗି ଉଦ୍ଦିଷ୍ଟ ଦଣ୍ଡବିଧାନ ସମ୍ବନ୍ଧରେ କ’ଣ କହିବେ?
ଉ: ବଳାତ୍କାର ଯେଭଳି ଜଣେ ମହିଳାକୁ ପଙ୍ଗୁ କରିପାରେ ଏସିଡ ଆକ୍ରମଣ ମଧ୍ୟ ଅନୁରୂପ ଭାବେ ବର୍ବରୋଚିତ ଅପରାଧ। ଏଣୁ ଏଭଳି ଅପରାଧ ଘଟାଉଥିବା ଅବରାଧିଙ୍କୁ କଡ଼ା ଦଣ୍ଡ ଦିଆଯିବା ଦରକାର। ଏପରିକି ସେମାନଙ୍କୁ ଯେଭଳି ଜାମିନ ନ ମିଳିବ ସେ ବ୍ୟବସ୍ଥା ହେବା ଆବଶ୍ୟକ। କାରଣ ପ୍ରମୋଦିନୀଙ୍କ କେସକୁ ଯେଭଳି ଭାବେ ପୁଲିସ ବନ୍ଦ କରିଥିଲା ତାହା ଅନ୍ୟ ମାମଲଗୁଡିକରେ ମଧ୍ୟ ଘଟିପାରେ। କିନ୍ତୁ ସବୁ ମାମଲା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ପହଞ୍ଚି ପାରୁ ନାହିଁ। ସେଭଳି ମହିଳା ନ୍ୟାୟ ପାଇବାର ବଞ୍ଚିତ ହେବେ। ଏଣୁ ଆଇନ କଡ଼ାକଡ଼ି ଲାଗୁ ହେବା ସହିତ ଖୋଲାରେ ଏସିଡ ବିକ୍ରି ବନ୍ଦ ହେବା ଆବଶ୍ୟକ।
ପ୍ର: ପ୍ରମୋଦିନୀଙ୍କ ଜୀବନକୁ ନୂତନ ଦିଗ ପ୍ରଦାନ କରିବାରେ ଆପଣଙ୍କ ଭୂମିକା କିଭଳି?
ଉ: ୨୦୧୭ରେ ଏକ ଟେଲିଭିଜନ ଚ୍ୟାନେଲରେ ତାଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ତାଙ୍କ କାହାଣୀ ଶୁଣିଲା ପରେ ବିଭିନ୍ନ କାର୍ୟ୍ୟକ୍ରମରେ ତାଙ୍କୁ ନିଜ ସହିତ ଘଟିଯାଇଥିବା ଘଟଣା କହିବାକୁ ଉତ୍ସାହିତ କରିଥିଲି। ‘ପରିଚୟ’ ପକ୍ଷରୁ ଆୟୋଜିତ ଏକ ଫ୍ୟାଶନ କାର୍ୟ୍ୟକ୍ରମରେ ତାଙ୍କୁ ସାମିଲ କରାଯାଇଥିଲା। ସେହି କାର୍ୟ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ତାଙ୍କ ସମସ୍ୟା ଉପସ୍ଥାପନ କରିଥିଲୁ। ଏହିସବୁ ପ୍ରକ୍ରିୟାରେ ମୋର ଭୂମିକା ଏକ ଗୁଣ୍ଡୁଚିମୂଷା ସଦୃଶ।
ପ୍ର:ଆପଣ ଯେଉଁ ଆଭିମୁଖ୍ୟ ନେଇ ସମାଜ ସେବା କରୁଛନ୍ତି ସେହିଭଳି କେତେଜଣଙ୍କୁ ଗଢିଛନ୍ତି?
ଉ: ପ୍ରଥମ ଦିନରୁ ପ୍ରମୋଦିନୀଙ୍କୁ ମୁଁ କହିଥିଲି ଯେ ତାଙ୍କୁ ନ୍ୟାୟ ପ୍ରଦାନ ଲାଗି ମୁଁ ସ୍ବର ଉଠାଇବା ଅପେକ୍ଷା ସେ ନିଜେ ନିଜର କରୁଣ କାହାଣୀ ଲୋକଙ୍କ ସମ୍ମୁଖରେ ନିଜ କଣ୍ଠରେ ଉପସ୍ଥାପନ କରିବା ଦାରକାର। ଯାହାକି ଖୁବ ପ୍ରଭାବଶାଳୀ ହେବ। ନିଜ ଭଳି ଏସିଡ ପୀଡ଼ିତାଙ୍କ ପାଇଁ କାମ କରିବାକୁ ମଧ୍ୟ ମୁଁ ତାଙ୍କୁ ପ୍ରୋତ୍ସାହିତ କରିଥିଲି। ଖାଲି ସେ ନୁହେଁ ତାଙ୍କ ଭଳି ଓଡ଼ିଶାର ଯେକୌଣସି ଏସିଡ ପୀଡ଼ିତା ସମ୍ମୁଖକୁ ଆସି ନିଜର ଅଧିକାର ପାଇଁ ଲଢିଲେ ମୁଁ ସେମାନଙ୍କୁ ନିଶ୍ଚିତ ସମର୍ଥନ ପ୍ରଦାନ କରିବି।
ପ୍ର: ‘ମାଧ୍ୟମ’ କେନ୍ଦ୍ର ହିଂସାର ପୀଡ଼ିତାଙ୍କ ସହଯୋଗ ଦିଗରେ କିଭଳି କାର୍ୟ୍ୟ କରୁଛି?
ଉ: ଆଇଏସଡି ଓ କମିସନରେଟ ପୁଲିସର ମିଳିତ ଉଦ୍ୟମରେ ୨୦୧୪ ସେପ୍ଟେମ୍ବରରୁ ମାଧ୍ୟମ ସେଣ୍ଟର ସ୍ଥାପନ କରାଯାଇଛି। ଯାହାକି କଟକର ମହିଳା ପୁଲିସ ଷ୍ଟେସନ ଏବଂ ଭୁବନେଶ୍ବରର ଡିସିପି ଅଫିସଠାରେ କାର୍ୟ୍ୟ କରୁଛି। ବିଭିନ୍ନ ପ୍ରକାର ହିଂସାର ଶୀକାର ହେଉଥିବା ମହିଳା ଓ ଯୁବତୀମାନଙ୍କୁ ଏଠାରେ କାଉନସେଲିଂ କରାଯାଏ। ପ୍ରତିବର୍ଷ ମାଧ୍ୟମ ପାଖାପାଖି ୭୦୦ କେସରେ କଉନସେଲିଂ କରୁଛି।

Comments are closed.