ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ, ଦିଲ୍ଲୀରେ ନେତାଜୀଙ୍କ ହଲୋଗ୍ରାମ୍ ପ୍ରତିମାର ହେବ ଲୋକାର୍ପଣ

ନୂଆଦିଲ୍ଲୀ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ଦେଶର ମହାନ୍ ସୁପୁତ୍ର ନେତାଜୀଙ୍କ ପରାକ୍ରମ ଆଗରେ ମଥାନଥ କରୁଛି ଦେଶ । ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ଗ୍ରାନାଇଟ୍ ପ୍ରତିମାର ହଲୋଗ୍ରାମ୍ ଲୋକାର୍ପଣ ହେବ । ହଲୋଗ୍ରାମ୍ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଆଗକୁ ଇଣ୍ଡିଆ ଗେଟ୍‍ ନିକଟରେ ନେତାଜୀଙ୍କ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ ହେବ । ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ ନହେବା ଯାଏ ହଲୋଗ୍ରାମ୍ ପ୍ରତିମା ସ୍ଥାପନ କରାଯିବ ବୋଲି କୁହାଯାଇଛି । ସୂଚନା ମୁତାବକ, କିଙ୍ଗ୍ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । କିଙ୍ଗ୍ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତି ୧୯୬୮ ମସିହାରେ ହଟାଇ ଦିଆଯାଇଥିଲା। ଏହି ସ୍ଥାନରେ ବର୍ତ୍ତମାନ ନେତାଜୀଙ୍କ ୨୮ ଫୁଟ ଉଚ୍ଚ ଏବଂ ୬ ଫୁଟ ଚଉଡା ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସୂଚନା ଦିଆଯାଇଛି । ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍‍ ଯୋଗେ ସୂଚନା ଦେଇଥିଲେ ।

Comments are closed.