କ୍ରାନ୍ତି ପୁରୁଷର ଗାଥା

ଡ. ଦ୍ବାରିକାନାଥ ନାୟକ

ସେ ଥିଲେ କ୍ରାନ୍ତିପୁରୁଷ। କ୍ରାନ୍ତି, ବିପ୍ଳବ, ଆନ୍ଦୋଳନ, ପ୍ରତିବାଦ, ଉଲୁଗୁଲାନ ପାଇଁ ଯେମିତି ଜନ୍ମ ନେଇଥିଲେ ସେ। ସମ୍ବଲପୁର ରାଜବଂଶଧର ଖିଣ୍ଡା ଗୌନ୍ତିଆ ଧରମ ସିଂହଙ୍କ ଜ୍ୟେଷ୍ଠପୁତ୍ର ଭାବରେ ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ତାଙ୍କ ଜନ୍ମ। ଛଅ ଭାଇ ଓ ଏକ ମାତ୍ର ଭଉଣୀଙ୍କ ସହ ଖିଣ୍ଡାରେ ହିଁ ବଢ଼ିଲେ ଧରମ ସିଂହଙ୍କ ବଡ଼ଭାଇ ବଳରାମ ସିଂହଙ୍କ ତତ୍ତ୍ବାବଧାନରେ। ଦୁର୍ଦ୍ଧର୍ଷ ବଳରାମ ସିଂହଙ୍କ ସ୍ବାଭିମାନୀ ବ୍ୟକ୍ତିତ୍ବର ଛାୟାରେ ସୁରେନ୍ଦ୍ର ସାଏଙ୍କ ସହ ବାକି ଛ’ ଭାଇ ନିଜସ୍ବ ସମ୍ବଲପୁର ଗଡ଼କୁ ବ୍ରିଟିଶ ଶାସକଙ୍କ ଅଧୀନରୁ ମୁକ୍ତ କରିବା ପାଇଁ ଚକ୍ରାନ୍ତ କରି ରାମପୁର ଜମିଦାରୀକୁ ଧ୍ବଂସ କଲେ, ଦରିଆର ସିଂ ଆଦିଙ୍କୁ ହତ୍ୟା କରି ଚରମ ପ୍ରତିଶୋଧ ନେଲେ। ଡକାୟତି, ଜଳାପୋଡ଼ା, ହତ୍ୟା ଆଦି ଅପରାଧରେ ବଳରାମ ସିଂହଙ୍କ ସହ ସୁରେନ୍ଦ୍ର ସାଏ ଏବଂ ଉଦନ୍ତ ସାଏ ୧୮୪୦ ମସିହାରେ ବ୍ରିଟିଶ ବାହିନୀ ଦ୍ବାରା ଧରାପଡ଼ି ହଜାରୀବାଗ କାରଗାରକୁ ପଠା ହେଲେ ଏବଂ ସେଠାରେ ତାଙ୍କୁ ୧୮୪୦ରୁ ୧୮୫୭ ଦୀର୍ଘ ୧୭ ବର୍ଷ କାରାଜୀବନ ଅତିବାହିତ କରିବାକୁ ପଡ଼ିଥିଲା। ତେବେ ଉକ୍ତ ୧୭ ବର୍ଷର କାରା ଜୀବନ ତାଙ୍କୁ ଗଢ଼ିଥିଲା ଜଣେ ଅନମନୀୟ ମହାନ କ୍ରାନ୍ତିକାରୀ ଭାବରେ। ବ୍ରିଟିଶ ସରକାର ବିରୋଧରେ ସ୍ବର ଉତ୍ତୋଳନ କରି ​ଯେଉଁ କେତେକ ବିପ୍ଳବୀ ଗିରଫ ହୋଇଥିଲେ, ସେମାନଙ୍କ ମଧ୍ୟରେ ତାନ୍ତିଆ ତୋପେଙ୍କ ଭଳି ଅନେକ ସଂଗ୍ରାମୀ ହଜାରୀବାଗ କାରାଗାରରେ ବନ୍ଦୀ ଜୀବନ କାଟୁଥିଲେ। ସେହି ମହାନ ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସି ବ୍ରିଟିଶ ଶାସକମାନଙ୍କ ଏକଛତ୍ରବାଦ ଶାସନ ବିରୋଧରେ କୁହୁଳୁଥିଲା ସମ୍ବଲପୁର ମାଟିର ଏହି ଏହି ତିନି ସନ୍ତାନଙ୍କ ମନ ଓ ହୃଦୟ। କେବଳ ପ୍ରତୀକ୍ଷା ଥିଲା ସୁଯୋଗର। ଦୁର୍ଭାଗ୍ୟକୁ କାରାଗାର କକ୍ଷରେ ହିଁ କାକା ବଳରାମ ସିଂହଙ୍କ ଦେହାନ୍ତ ଘଟିଥିଲା। ତାଙ୍କ ପରି ମାର୍ଗଦର୍ଶକଙ୍କ ଅନୁପସ୍ଥିତିରେ ନିଃସଙ୍ଗ ଅନୁଭବ କରୁଥିବା ସୁରେନ୍ଦ୍ର ସାଏ ଓ ଉଦନ୍ତ ସାଏ ସୁଯୋଗ ଅପେକ୍ଷାରେ ଥିଲେ। ଆଉ ସେ ସୁଯୋଗ ଆସିଥିଲା ୧୮୫୭ରେ। ସମଗ୍ର ଦେଶରେ ସିପାହି ବିଦ୍ରୋହ ଚରମ ସୀମାରେ ଥିବା ବେଳେ ଏହି ସୁଯୋଗ ଆସିଥିଲା। ବିଦ୍ରୋହୀ ସିପାହି ଓ ସଂଗ୍ରାମୀମାନେ ହଜାରୀବାଗ କରାଗାର ଅକ୍ତିଆର କରି ବନ୍ଦୀମାନଙ୍କୁ ମୁକ୍ତ କଲେ। ସେହି ଅବସରରେ ଦୁଇ ଭାଇ ସୁରେନ୍ଦ୍ର ଓ ଉଦନ୍ତ ନିଜ ମା’ ମାଟିକୁ ବ୍ରିଟଶ ଶାସନରୁ ମୁକ୍ତ କରିବାର ବଜ୍ରଶପଥ ନେଇ ଫେରି ଆସି​ଲେ ସମ୍ବଲପୁର। ସେମାନଙ୍କ ପ୍ରତ୍ୟାବର୍ତ୍ତନ ଖିଣ୍ଡା ଓ ସମ୍ବଲପୁରବାସୀଙ୍କ ପାଇଁ ଯେତେ ଆନନ୍ଦ ଆଣି ନଥିଲା, ଇଂରେଜ ଶାସକମାନଙ୍କ ପାଇଁ ସେତିକି ମୁଣ୍ଡବ୍ୟଥାର କାରଣ ହୋଇଥିଲା। ବୁଢ଼ରାଜା ପାହାଡ଼ ତଳେ ଶହ ଶହ ସମ୍ବଲପୁରବାସୀ ଦୁଇ ଭାଇଙ୍କୁ ହାର୍ଦ୍ଦିକ ସ୍ବାଗତ କରିଥିଲେ।

ସମ୍ବଲପୁରବାସୀଙ୍କ ସହ ଲଇକେରା, ଭେଡ଼େନ, ଘେଁସ ଆଦି ଅଞ୍ଚଳର ଜମିଦାରଙ୍କ ଅକୁଣ୍ଠ ସମର୍ଥନରେ ସୁରେନ୍ଦ୍ର ମାଟିପ୍ରେମୀ ଆଦିବାସୀ ଯୋଦ୍ଧାଙ୍କୁ ଏକତ୍ର କଲେ। ସମ୍ବଲପୁରକୁ ଘେରି ରହିଥିବା ରେଢ଼ାଖୋଲ, ଗୁମ୍‌ଲେଇ, ରେଙ୍ଗାଲି, ସିଂହୋଡ଼ା, ପପଙ୍ଗା ଆଦି ପର୍ବତମାଳାରେ ଶିବିରମାନ ପ୍ରତିଷ୍ଠା କରି ସମ୍ବଲପୁର ଉପରେ ନିଜର ପ୍ରଭାବ ବିସ୍ତାର କରିବା ପ୍ରୟାସ କରିବାସହ ବ୍ରିଟିଶ-ରାଜ୍ ବିରୋଧରେ ଯୁଦ୍ଧ ଘୋଷଣା କଲେ। ବିଭିନ୍ନ ଘାଟି ଅଞ୍ଚଳରେ ବ୍ରିଟିଶ ସେନା ସହ ମୁହାଁମୁହିଁ ସଂଗ୍ରାମ କରି ବ୍ରିଟିଶ ଶାସକଙ୍କ ପାଇଁ ହୃତ୍‌କମ୍ପର କାରଣ ହେଲେ। ତାଙ୍କୁ ଧରିବା ପାଇଁ ବ୍ୟତିବ୍ୟସ୍ତ ବ୍ରିଟିଶ ଶାସକ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ସେନାବାହିନୀ ପଠାଇଲେ; ମାତ୍ର ତାହା ବିଫଳ ହେଲା। ସୁରେନ୍ଦ୍ରଙ୍କ ଅଦ୍ଭୁତ ରଣକୌଶଳ ଓ ନେତୃତ୍ବ ଆଗରେ ସେମାନେ ହାର୍‌ ମାନିଲେ। ଅନ୍ୟ ପକ୍ଷରେ ଏକାଧିକ ବ୍ରିଟିଶ ସେନାନାୟକ ବିଦ୍ରୋହୀଙ୍କ ଦ୍ବାରା ନିହତ ହେଲେ।

ଲଖନପୁର ଜମିଦାର ବଳଭଦ୍ର ସିଂହ, ତାଙ୍କ ପୁତ୍ର ଗଜରାଜ ସିଂହ, କମଳ ସିଂହ, ନୀଳାମ୍ବର ସିଂହଙ୍କ ସହ ଖଗେଶ୍ବର ସିଂହ, ମୋହନ ସିଂହ, କୁମ୍ଭାରବନ୍ଧ ଗୌନ୍ତିଆ ଲୋକନାଥ ପଣ୍ଡା, ଘେଁସ ଜମିଦାର ମାଧୋ ସିଂହ, ତାଙ୍କ ଦୁଇ ପୁତ୍ର ହଟ୍ଟେ ସିଂହ ଓ କୁଞ୍ଜଳ ସିଂହ, ଅର୍ଡା ଗୌନ୍ତିଆ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ପରି ଯୋଦ୍ଧାଙ୍କ ସମର୍ଥନରେ ସୁରେନ୍ଦ୍ର ବ୍ରିଟିଶ ସେନା ବିରୋଧରେ ଜୋରଦାର ଲଢ଼େଇ ଆରମ୍ଭ କରିଦେଲେ। ପୁତ୍ର ମିତ୍ରଭାନୁ ମଧ୍ୟ ପିତା ସୁରେନ୍ଦ୍ରଙ୍କ ସେନାବାହିନୀରେ ଯୋଗଦେଲେ।

ସୁରେନ୍ଦ୍ରଙ୍କ ସାରା ଜୀବନ କଟିଥିଲା ପାହାଡ଼, ପର୍ବତ ଓ ଘଞ୍ଚ ଜଙ୍ଗଲରେ। ପାହାଡ଼ ଶୀର୍ଷ ଥିଲା ତାଙ୍କ ଆବାସ। ସେଠାରେ ରଣକୌଶଳ ନେଇ ଆଲୋଚନା ଓ ନିଷ୍ପତ୍ତି ହେଉଥିଲା। ବାରପାହାଡ଼ର ଡେବ୍ରିଗଡ଼ ଘାଟି ଥିଲା ସୁରେନ୍ଦ୍ରଙ୍କ ମୁଖ୍ୟ ଶିବିର।

ଇଂରେଜ ସେନାର ବିଶେଷତ୍ତ୍ବ ହେଲା ସମ୍ମୁଖ ଯୁଦ୍ଧରେ ବିଫଳ ହେଲେ ସେମାନେ କୂଟ ଚକ୍ରାନ୍ତ, ବିଶ୍ବାସଘାତକତା, ଛଳ ପ୍ରଭୃତି ଅନୈତିକ ପନ୍ଥା ଅବଲମ୍ବନ କରିବାକୁ ପଛାଉ ନଥିଲେ। ଶେଷରେ ସୁରେନ୍ଦ୍ରଙ୍କ ବିରୋଧରେ ସେମାନେ ସେଇ ପନ୍ଥା ଅବଲମ୍ବନ କଲେ। ଜମିଦାରୀ ଫେରାଇଦେବା, ପେନ୍‌ସନ୍‌ ଦେବା, ରାଜସ୍ବ ବୃଦ୍ଧି ନକରିବା, ଗାଁ ମାଟି ଫେରାଇ ଦେବା ପ୍ରଭୃତି ହାଲୁକା ପ୍ରତିଶ୍ରୁତି ଦେଇ ଇଂରେଜ ଶାସକ ଏହି ବିଦ୍ରୋହକୁ ପ୍ରଶମିତ କରିବାରେ ସଫଳ ହେଲେ। ତେବେ ଏହି ଚକ୍ରାନ୍ତ ବେଶୀ ଦିନ ଲୁଚି ରହି ନଥିଲା। ଅଳ୍ପ କିଛି ଦିନର ବ୍ୟବଧାନ ପରେ ବିିଦ୍ରୋହ ନିଆଁ ପୁଣି ଥରେ ଜଳି ଉଠିଲା। ପରିଶେଷରେ ଏହି ରୋମାଞ୍ଚକର ସଂଗ୍ରାମର ଅନ୍ତ ଘଟିଲା ୧୮୬୪ ମସିହାରେ।

୧୮୬୪ ଜାନୁଆରୀ ୨୩ ତାରିଖ ା ସେଦିନ ଥିଲା ପୌଷପୂର୍ଣ୍ଣିମା। ୨୨ ତାରିଖ ମଧ୍ୟରାତ୍ରିରେ ମେଜର କମ୍ବର୍ଲେଙ୍କ ନେତୃତ୍ବରେ ଏକ ପୁଲିସ ଦଳ ଅତ୍ୟନ୍ତ ଗୋପନ ଅଭିଯାନରେ ବାହାରି ମହାନଦୀ କୂଳରେ ଥିବା ବର ଗାଁ ପହଞ୍ଚିଲା। ସେଠାରେ ସକାଳୁ ସକାଳୁ ଅତର୍କିତ ଚଢ଼ଉ କରି ଅପ୍ରସ୍ତୁତ ସୁରେନ୍ଦ୍ର ସାଏଙ୍କ ସମେତ ମିତ୍ରଭାନୁ, ଧ୍ରୁବ ସାଏ, ଧରଣୀଧର ମିଶ୍ର ପ୍ରମୁଖଙ୍କୁ ଗିରଫ କରାଗଲା।

ବଡ଼ଲାଟଙ୍କ ଆଦେଶରେ ୧୯୬୮ ଜାନୁଆରୀ ୨୬ତାରିଖରେ ସମ୍ବଲପୁରଠାରେ ଅବସ୍ଥାପିତ ପଦାଧିକାରୀମାନେ ସୁରେନ୍ଦ୍ର, ତାଙ୍କ ଭାଇ ଓ ସହଯୋଗୀମାନଙ୍କୁ ରାଜବନ୍ଦୀ ଭାବରେ ରାୟପୁରକୁ ପଠାଇଲେ। ସୁରେନ୍ଦ୍ରଙ୍କ ସହିତ ଉଦନ୍ତ ସାଏ, ଧ୍ରୁବ ସାଏ, ମେଦିନୀ ସାଏ ପ୍ରମୁଖ ଚାରିଭାଇ, ପୁତ୍ର ମିତ୍ରଭାନୁ, ଭାଇ ଧ୍ରୁବଙ୍କ ଚାରି ପୁଅ, ଲୋକନାଥ ପଣ୍ଡା, ଧରଣୀଧର ମିଶ୍ର ଓ ଶ୍ରଦ୍ଧାକର ମଲ୍ଲିକ ପ୍ରମୁଖଙ୍କୁ ଜଣେ ଲେଫ୍ଟନେଣ୍ଟଙ୍କ ନେତୃତ୍ବରେ କୋଡ଼ିଏ ଜଣ ପଦାତିକ, କୋଡ଼ିଏ ଜଣ ଅଶ୍ବାରୋହୀ ସୈନ୍ୟଙ୍କ ଘେରରେ ରାୟପୁର ନିଆଯାଇଥିଲା। ସେଠାରେ ଦୀର୍ଘଦିନ ଧରି ମକଦ୍ଦମା ଚାଲିବା ପରେ ସୁରେନ୍ଦ୍ରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ଅପରାଧୀ ସାବ୍ୟସ୍ତ କରି ମଧ୍ୟପ୍ରଦେଶର ଅସିରଗଡ଼ ଦୁର୍ଗରେ ବନ୍ଦୀ କରାଗଲା। ସେଠାରେ ଦୀର୍ଘ ବନ୍ଦୀ ଜୀବନ ଅତିବାହିତ କରି ମହାନ ସଂଗ୍ରାମୀ ସୁରେନ୍ଦ୍ର ସାଏ ୧୮୮୪ ଫେବୃଆରୀ ୨୮ତାରିଖରେ ଜରାଗ୍ରସ୍ତ, ରୁଗ୍ଣ ତଥା ଦୟନୀୟ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସାରା ବିଶ୍ବର ଦେଶପ୍ରେମୀଙ୍କ ପାଇଁ ସୁରେନ୍ଦ୍ର ଏକ ଚିର ଜାଜ୍ବଲ୍ୟମାନ ଉଦାହରଣ। କ୍ରାନ୍ତିରେ ଜନ୍ମ, କ୍ରାନ୍ତିରେ ଜୀବନ, କ୍ରାନ୍ତିରେ ଦେହତ୍ୟାଗ। ତାଙ୍କ ମୃତ୍ୟୁ ନାହିଁ। ସେ ଚିର ଅମର।

Comments are closed.