ପ୍ରେମିକାକୁ ହତ୍ୟା କରି ମୃତଦେହ ଖଣ୍ଡଖଣ୍ଡ କଲା ପ୍ରେମିକ

ରାଜସ୍ଥାନରେ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ପୁନରାବୃତ୍ତି

ଜୟପୁର : ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ପୁନରାବୃତ୍ତି ରାଜସ୍ଥାନରେ ଘଟିଛି। ରାଜସ୍ଥାନ ନାଗୌର ଅଞ୍ଚଳରେ ଜଣେ ଯୁବକ ତାଙ୍କ ପ୍ରେମିକାକୁ ହତ୍ୟା କରି ତାର ମୃତଦେହକୁ ଖଣ୍ଡଖଣ୍ଡ କରି ଏଣେତେଣେ ଫୋଫାଡି ପ୍ରମାଣ ନଷ୍ଟ କରିଦେଇଛି। ପ୍ରେମିକା ଜଣଙ୍କ ବିବାହ ପାଇଁ ବାଧ୍ୟ କରିବାରୁ ପ୍ରେମିକ ତାକୁ ହତ୍ୟା କରିଥିଲା। ହତ୍ୟାକାରୀ ପ୍ରେମିକ ହେଉଛି ଆନୋପରମ। ହତ୍ୟା ପରେ ପ୍ରେମିକାର ମୃତଦେହକୁ ଖଣ୍ଡଖଣ୍ଡ ବିଭିନ୍ନ ସ୍ଥାନରେ ଫିଙ୍ଗିଦେଇଥିଲା ଆନୋପରମ। ପୁଲିସ ଅଭିଯୁକ୍ତ ଆନୋପରମକୁ ଗିରଫ କରିଛି। ପ୍ରେମିକାକୁ ହତ୍ୟା କରିଥିବା ନେଇ ଆନୋପରମ୍ ସ୍ବୀକାର କରିଛି। ହତ୍ୟାକାଣ୍ଡକୁ ୨୫ଦିନ ବିତିଯାଇଥିବାବେଳେ ପୁଲିସ ପୀଡିତାର ମୃତଦେହକୁ ଉଦ୍ଧାର କରିପାରି ନାହିଁ। ମୃତଦେହକୁ ଉଦ୍ଧାର ନିମନ୍ତେ ପୁଲିସ ସହିତ ଏନଡିଆରଏଫ୍ ଓ ଏସଡିଆରଏଫ ଦଳ ଲାଗିଛନ୍ତି।
ପୁଲିସ କହିବା ଅନୁଯାୟୀ ପୀଡିତା ଜଣେ ବିବାହିତା। ତାଙ୍କ ଘର ନାଗୌର ଜିଲା ଶ୍ରୀବାଲାଜୀ ଥାନା ଅଞ୍ଚଳରେ। ଜାନୁଆରୀ ୨୦ରେ ସେ ନିଜ ବାପଘରୁ ଶ୍ବଶୁର ଘର ଅଭିମୁଖେ ଆସିଥିଲା। ସେହିଦିନ ଅପରାହ୍ଣ ୩ଟା ୩୦ରେ ପୀଡିତାର ମୋବାଇଲ ବନ୍ଦ ହୋଇଯାଇଥିବା ଜଣାପଡିଥିଲା। ଜାନୁଆରୀ ୨୨ରେ ପୀଡିତାଙ୍କ ସର୍ମ୍ପକୀୟ ଶ୍ରୀବାଲାଜି ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। ଜାନୁଆରୀ ୨୮ରେ ମହିଳାଙ୍କ ଲୁଗାପଟା, ଚୁଟି, ଦାନ୍ତ ମାଢି ଆଦି ନାଗୌର ସହର ମାଲୱା ରାସ୍ତାକଡ ବୁଦାରୁ ମିଳିଥିଲା। ପରିବାର ଲୋକ ଜିନିଷକୁ ଚିହ୍ନଟ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ପରେ ପୀଡିତା ଗୁଡ୍ଡିର ପ୍ରେମିକକୁ ପୁଲିସ ଗିରଫ କରିଥିଲା। କାରଣ ଗୁଡ୍ଡି ନିଖୋଜ ଦିନ ହିଁ ପ୍ରେମିକ ଆନୋପରମ୍ ସହିତ ମୋଟରସାଇକଲରେ ବସି ଯାଇଥିବା ଗ୍ରାମବାସୀ ଦେଖିଥିଲେ। ଗିରଫ ପରେ ଆନୋପରମ ସ୍ବୀକାର କରିଥିଲା ସେ ଯେ ଗୁଡ୍ଡିକୁ ହତ୍ୟା କରିଛି। ହତ୍ୟାପରେ ତାର ମୃତଦେହକୁ ଖଣ୍ଡଖଣ୍ଡ କରି ଏଣେତେଣେ ଫୋପାଡି ଦେଇଥିଲା। ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ପୁନାୱାଲା ହତ୍ୟା କରି ମୃତଦେହକୁ ଖଣ୍ଡଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ପ୍ରମାଣ ନଷ୍ଟ କରିଥିଲା। ଶ୍ରଦ୍ଧା ୱାକରଙ୍କ ହତ୍ୟାର ଅନୁରୂପ ଘଟଣା ଏବେ ଦେଶର ବିଭିନ୍ନ ସ୍ଥାନରେ ଘଟିବାର ଦେଖିବାକୁ ମିଳୁଛି।

Comments are closed.