ବିଦେଶରେ ଅଧ୍ୟାପନା ଛାଡ଼ି ଗଢ଼ୁଛନ୍ତି ‘ଇକୋ-ଭିଲେଜ’

ଉଲୁଣ୍ଡା  (ସଂଜୀବ କୁମାର ପାଣିଗ୍ରାହୀ) : ପିଲାଟି ଦିନରୁ ଶ୍ରବଣ ଶକ୍ତି ହରାଇଛନ୍ତି, ଅଥଚ ପେସା ତାଙ୍କର ଅଧ୍ୟାପନା, ତା’ ପୁଣି ବିଦେଶର ବିଶ୍ବବିଦ୍ୟାଳୟରେ। ତାହା ବି ତାଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ; କାରଣ ତାଙ୍କର ଲକ୍ଷ୍ୟ ଲକ୍ଷଲକ୍ଷ ଟଙ୍କା ଆୟ କରିବା ନୁହେଁ, ବରଂ ନିଜ ଅଞ୍ଚଳରେ ଏକ ‘ଇକୋ-ଭିଲେଜ୍‌’ ଗଢ଼ିବା ଯେଉଁଠି ସବୁକିଛି ପରିବେଶ କୋଳରେ ପ୍ରାକୃତିକ ଭାବେ ଗଢ଼ିଉଠୁଥିବ; ବଢ଼ିଚାଲୁଥିବ। ସେଇଥିପାଇଁ ସେ ବିଦେଶରେ ଅଧ୍ୟାପନା ବୃତ୍ତି ଛାଡ଼ି ଗାଁକୁ ଆସି କୋଡ଼ିକୋଦାଳ ଧରି ଜୈବିକ ପଦ୍ଧତିରେ କରୁଛନ୍ତି ଉଦ୍ୟାନ କୃଷି; ମୂକବଧିର ପିଲାଙ୍କ ପାଇଁ ଖୋଲିଛନ୍ତି ବି ଏକ ନିଆରା ସାଙ୍କେତିକ ଭାଷା ବିଦ୍ୟାଳୟ। ଏବେ କେବଳ ତାଙ୍କ କାର୍ଯ୍ୟ ପ୍ରଶଂସା ସାଉଁଟୁନି, ପ୍ରେରଣା ମଧ୍ୟ ପାଲଟିଛି। ଏହି ଅନନ୍ୟ ଅଧ୍ୟାପକଜଣକ ହେଲେ ଶିବାଜି ପଣ୍ଡା।

ଶିବାଜିଙ୍କ ଜନ୍ମ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମରେ। ଶିବାଜୀ ଲୋକଙ୍କ କଥା ଶୁଣି ପାରୁନଥିଲେ ମଧ୍ୟ ନିଜ ହାତରେ ସାଙ୍କେତିକ ଭାଷା କହି ପ୍ରତିଷ୍ଠିତ ହୋଇପାରିଛନ୍ତି। ଡକ୍ଟରେଟ ଡିଗ୍ରୀ ବି ହାସଲ କରିଛନ୍ତି। ହଲାଣ୍ଡ ଓ ଇଂଲଣ୍ଡରେ କିଛିବର୍ଷ ଅଧ୍ୟାପନା କରିଥିଲେ; କିନ୍ତୁ ତାହା ତାଙ୍କୁ ଖୁସି ଦେଇପାରିଲା ନାହିଁ। ତାଙ୍କର ସ୍ବପ୍ନ ଥିଲା ଭିନ୍ନ, ଯାହାକୁ ପୂରଣ କରିବା ପାଇଁ ସେ ବାର୍ଷିକ ୪୦-୪୨ ଲକ୍ଷ ଟଙ୍କା ବେତନକୁ ପାଦରେ ଏଡ଼ାଇ ଦେଇ ଚାଲିଆସିଥିଲେ ନିଜ ଅଞ୍ଚଳକୁ। ଏଥିପାଇଁ ସେ ଉଲୁଣ୍ଡା ବ୍ଲକର ନଦୀକୂଳିଆ ଗାଁ ଲକ୍ଷ୍ମଣପୁରରେ ସାଢେ ୪ ଏକରର ଏକ ଅପନ୍ତରା ପଡିଆକୁ ଚିହ୍ନଟ କରି ‘ଇକୋ ଭିଲେଜ’ ଗଢ଼ିବାରେ ଅବିରତ ଲାଗିପଡ଼ିଛନ୍ତି। ରାସାୟନିକ ସାର ପ୍ରୟୋଗ ବିନା ଚାଷକାମ ଅସମ୍ଭବ ଲାଗୁଥିବାବେଳେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ କରୁଛନ୍ତି ଉଦ୍ୟାନ ଚାଷ। ଏଥିରେ ବିଭିନ୍ନ ପ୍ରକାରର ଦେଶୀ ଏବଂ ବିଦେଶୀ ପନିପରିବା ସମେତ ସେଓ, ଅଙ୍ଗୁର, କରମଙ୍ଗା, ଲେମ୍ବୁ, ପଣସ, ଚିକୁ, ସପେଟା, ନାସପାତି, ଲିଚୁ, ପିଜୁଳି, ଆମ୍ବ ଆଦି ୪୦ ପ୍ରକାରର ଫଳଗଛ ଲଗାଇ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି। ଏଥିପାଇଁ ଜୈବିକ ସାରର ଆବଶ୍ୟକତା ଥିବାବେଳେ ଗୋ-ପାଳନ କରି ଗୋବର, ଗୋମୂତ୍ର ଆଦି ସଂଗ୍ରହ କରୁଛନ୍ତି। ପରିବା ତଥା ବିଭିନ୍ନ ଫଳ ଜାତୀୟ ଉଦ୍ଭିଦକୁ ପୋକ ଦାଉରୁ ରକ୍ଷା କରିବା ପାଇଁ ଫୁଲ ଗଛସବୁ ଲଗାଯାଇଛି। ବିଶେଷ କରି ‘ଇକୋ ଭିଲେଜ’ରେ ସୌରଶକ୍ତିର ବ୍ୟବହାର ଉଦାହରଣୀୟ। ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ପରିବର୍ତ୍ତେ ବ୍ୟାଟେରିଚାଳିତ ସାଇକଲ, ସୋଲାର ବଲ୍‌ବ, ମାଟି ଫ୍ରିଜ, ସୋଲାର ୱାଟର ହିଟର ପ୍ରଭୃତି ବ୍ୟବହାର କରାଯାଉଛି।

ଦିନକୁ ଦିନ ଅଧିକ ଉପାର୍ଜନ ଆଶାରେ ରାସାୟନିକ ସାର ଓ ଔଷଧ ବ୍ୟବହାର କରି ଆଜିର ମଣିଷ ବିଷାକ୍ତ ଖାଦ୍ୟ ଭୋଜନ କରୁଥିବାବେଳେ କମ ଖର୍ଚ୍ଚରେ ଜୈବିକ ସାର ପ୍ରୟୋଗ କରି ଅମୃତ ପରଷିବାକୁ ଚେଷ୍ଟା କରୁଛନ୍ତି ଶିବାଜୀ। ସେହିପରି ଆଧୁନିକତାର ଅୟସଆରାମ ଜୀବନ ବଞ୍ଚିବାପାଇଁ ମଣିଷ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର କରି ପରିବେଶ ପ୍ରଦୂଷଣ କରୁଥିବାବେଳେ ସୌରଶକ୍ତିଚାଳିତ ଦେଶୀ ଯନ୍ତ୍ରପାତିର ବ୍ୟବହାର ଲୋକଙ୍କୁ ଆକୃଷ୍ଟ କରିପାରିଛି। ଦେଢ ଏକର ଜମିରେ ପାରମ୍ପରିକ ପ୍ରଣାଳୀରେ ଜୈବିକ ସାର ବ୍ୟବହାରରେ ଧାନଚାଷ କରି ମଧ୍ୟ ସଫଳ ହୋଇଥିବା ଶିବାଜି ପ୍ରକାଶ କରିଛନ୍ତି।

‘ଇକୋ ଭିଲେଜ’ରେ ଖାଲି ଯେ ଚାଷ କାମ ହେଉଛି ତାହା ନୁହେଁ, ବରଂ ମୂକବଧିର ପିଲାଙ୍କ ପାଇଁ ଏକ ସ୍ବତନ୍ତ୍ର ବିଦ୍ୟାଳୟ ଖୋଲାଯାଇଛି। ବିନିକା ବ୍ଲକ ସିନ୍ଦୁରପୁର ଗ୍ରାମରେ ‘ହ୍ୟାପି ହେଣ୍ଡସ୍‌ ସ୍କୁଲ ଫର ଦି ଡେଫ’ ନାମକ ଏକ ବିଦ୍ୟାଳୟ ଖୋଲିଛନ୍ତି ଶିବାଜି। ଏହି ବିଦ୍ୟାଳୟରେ ବର୍ତ୍ତମାନ ୩୨ ଜଣ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଥିବାବେଳେ ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଶିକ୍ଷାଦାନ ପାଇଁ ୯ ଜଣ ସାଙ୍କେତିକ ଭାଷା (ସାଇନ ଲାଙ୍ଗୁଏଜ) ତାଲିମପ୍ରାପ୍ତ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। କୌଣସି ସରକାରୀ ସହାୟତା ଆସୁନଥିବାବେଳେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଏବଂ ଶିବାଜିଙ୍କ ନିଜସ୍ୱ ଖର୍ଚ୍ଚରୁ ବିଦ୍ୟାଳୟଟି ଚାଲୁଛି। ଭବିଷ୍ୟତରେ ସରକାର ସହାୟତା ଯୋଗାଇ ଦେଲେ ‘ଇକୋ-ଭିଲେଜ’ରେ ଥିବା ଉକ୍ତ ବିଦ୍ୟାଳୟର ଉନ୍ନତି ହୋଇପାରନ୍ତା; ସାଙ୍କେତିକ ଭାଷା ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରି ମୂକବଧିର ପିଲାଙ୍କୁ ଉପଯୁକ୍ତ ସାଙ୍କେତିକ ଶିକ୍ଷା ଦିଆଯିବା ସହ ଯେଉଁ ସ୍ୱପ୍ନ ନେଇ ଗାଁକୁ ଫେରିଛି ତାହା ପୂରଣ ହୋଇପାରନ୍ତା ବୋଲି ଶିବାଜି ଆଶା ପ୍ରକାଶ କରିଛନ୍ତି। ନିଜେ ସନ୍ନ୍ୟାସୀ ଭଳି ଜୀବନ ବଞ୍ଚୁଥିବା ଶିବାଜି ମୂକବଧିର ଛାତ୍ରଛାତ୍ରୀଙ୍କୁ ଗଢି ତୋଳିବାର ସ୍ୱପ୍ନକୁ ସାକାର କରିବା ପାଇଁ ବିଦେଶର ବିଭିନ୍ନ ସାଙ୍କେତିକ ଭାଷା ପ୍ରକଳ୍ପର ପରାମର୍ଶଦାତା ଭାବରେ କାର୍ଯ୍ୟକରି ଟଙ୍କା ରୋଜଗାର କରୁଥିବା ଜଣାପଡିଛି। ଏଥିସହ ସେ ସାଙ୍କେତିକ ଭାଷାର ପ୍ରଚାରପ୍ରସାର କରିବା ସାଙ୍ଗକୁ ଏହା ଉପରେ ଗବେଷଣା କରୁଥିବା କହିଛନ୍ତି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଇକୋ-ଭିଲେଜ ଉଦ୍‌ଘାଟନ କରିଥିବାବେଳେ ସରକାର ଏଥିପାଇଁ କିଛି ସହାୟତା ଯୋଗାଇଲେ ଶିବାଜିଙ୍କ ମହତ୍‌ ସ୍ବପ୍ନ ସାକାର ହୋଇପାରନ୍ତା।

Comments are closed.