ଗୋପବନ୍ଧୁ ବାସଭବନକୁ ସରକାରଙ୍କୁ ହସ୍ତାନ୍ତର କଲେ ପରିବାର

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସୁଆଣ୍ଡୋସ୍ଥିତ ବାସଭବନକୁ ପରିବାରର ମୁଖ୍ୟ ଧୀରେନ୍ଦ୍ର ନାଥ ଦାସ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓବିସିସ ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନିର୍ବାହୀଯନ୍ତ୍ରୀ ମାଧବ ସୁନ୍ଦର ପାଢ଼ୀ, ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକ, ଟାଟା କମ୍ପାନୀ ପରିଚାଳନା ଇଂ. ସୁଦୀପ୍ତ ସ୍ୱାଇଁ, ଆର୍କୋଲୋଜିଷ୍ଟ ଅଶ୍ୱିନୀ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ। ବାସଭବନରେ ଥିବା ପୁଣାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଖଟ, ପିଢ଼ା, ଢ଼ାଳ ପ୍ରଭୃତିର ସାଧାରଣ ପରିଚାଳକ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ। ସେହିପରି ଗୋପବନ୍ଧୁଙ୍କ କୁଳ ଦେବତା ଶ୍ରୀ ରାଧା ବିନୋଦ ବିହାରୀ ଦେବ ଠାକୁର ଇତିମଧ୍ୟରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ନିର୍ବିତ ଦେବାଳୟ ଗୃହକୁ ସ୍ଥାନାନ୍ତର ହୋଇଯାଇଛନ୍ତି। ଏହି ଅବସରରେ ଗୃହ ପ୍ରତିଷ୍ଠା, ଯଜ୍ଞ, ନାମସଂକୀର୍ତ୍ତନ, କୃଷ୍ଣସହସ୍ର ନାମ, ଗୀତା ପାଠ, ପାଲା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ବିଡିଓ କ୍ଷୀରୋଦ କୁମାର ବେହେରା, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ। ପରିବାରର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ସୁଆଣ୍ଡୋରେ ନିର୍ମାଣାଧୀନ ପ୍ରକଳ୍ପ ଶେଷ ହେଲେ ମଧ୍ୟ ୫ ବର୍ଷ ପର୍ଯ୍ୟନ୍ତ ଓବିସିସି ରକ୍ଷଣାବେକ୍ଷଣ କରିବ ବୋଲି ଜଣାପଡ଼ିଛି। ମିଉଜିୟମର ଦୁଇଟି ସୁଦୃଶ୍ୟ ତୋରଣ କରାଯିବ ବୋଲି ଶ୍ରୀ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି।

Comments are closed.