କରୋନା ସଚେତନତା ଓ ମଦ ବିରୋଧରେ ଗୋପବନ୍ଧୁଙ୍କ ଜନ୍ମମାଟିରୁ ପଦଯାତ୍ରା ଆରମ୍ଭ

ସୁଆଣ୍ଡୋ: ମହାମାରୀ କରୋନା ସଚେତନତା ପାଇଁ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋରୁ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରା ଗାନ୍ଧୀ ସ୍ମୃତିପୀଠ ବେରବୋଇ ପର୍ଯ୍ୟନ୍ତ ଯିବ। ପଦଯାତ୍ରାରେ ଅଂଶଗ୍ରହଣକାରୀ କରୋନା ସଚେତନତା ସାଙ୍ଗକୁ ମଦ ବିରୋଧରେ ସଚେତନତା ସୃଷ୍ଟି କରିବେ। ଏହି ପଦଯାତ୍ରା ଦାଣ୍ଡମୁକୁନ୍ଦପୁର ଜନସ୍ବାର୍ଥ ସୁରକ୍ଷା ସମିତି ଓ ପିପିଲି ଉତ୍କଳମଣି ଯୁବମୋର୍ଚ୍ଚା ମାନବ କଲ୍ୟାଣ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ପଦଯାତ୍ରା ଅଂଶଗ୍ରହଣକାରୀ ପ୍ରଥମେ ଉତ୍କଳମଣିଙ୍କ ଷଠିଘରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଧୂପଦୀପ ପ୍ରଜ୍ବଳନ କରି ଆଶୀର୍ବାଦ କାମନା କରିଥିଲେ । ଗାନ୍ଧୀଜୀ ଗୋପବନ୍ଧୁ ଜୟପ୍ରକାଶ ନାରାୟଣ ଓ ଅବଦୁଲ କଲାମଙ୍କ ଜନ୍ମମାସ ଅକ୍ଟୋବର ମାସ ହୋଇଥିବାରୁ ଅନୁଷ୍ଠାନ ପକ୍ଷରୁ ଏହି ସଚେତନତା ପଦଯାତ୍ରା କରାଯାଇଛି।

ବିଶ୍ବରଞ୍ଜନ ମିଶ୍ର, ସୁଶାନ୍ତ ମଲ୍ଲିକ, ଜୟଜିତ ମହାପାତ୍ର, ଅମିତ ମହାପାତ୍ର, ଟିଟନ ପଣ୍ଡା ଓ ବିଶ୍ବଜିତ ଆଚାର୍ଯ୍ୟଙ୍କ ନେତୃତ୍ବରେ ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ କମ୍ରେଡ ଗୋବିନ୍ଦ ମହାପାତ୍ର ମହିଳା ମହାସଂଘର ସଭାନେତ୍ରୀ ରୀନା ମଳିକ, କୈଳାସ ଜେନା, ସୁଦାମ ବରାଳ, ରଘୁନାଥ ସେଠି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବଳପୁର, ପଟ୍ଟନାୟିକିଆ, ତେଇସିପୁର, ମୁକୁନ୍ଦପୁର, ପିପିଲି, ଡେଲାଙ୍ଗ ଆଦି ଗ୍ରାମ ପରିକ୍ରମା କରି ବେରବୋଇରେ ପହଞ୍ଚିବ ବୋଲି ନବକିଶୋର ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.