ଦୁର୍ଦ୍ଦିନରେ ମୁଖା କାରିଗର ; ସରକାରୀ ସହାୟତାକୁ ଅପେକ୍ଷା

ସୁଆଣ୍ଡୋ : ମହାମାରୀ କରୋନା କାହାକୁ ଛାଡିନି। ଉଣାଅଧିକେ ଏଥିରେ ସମସ୍ତେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖା ତିଆରି କରି ପେଟ ପୋଷୁଥିବା କାରିଗରମାନଙ୍କ ଦୁଃଖ କରୋନା କଟକଣା ଯୋଗୁ ବଢି ଯାଇଛି। କାହିଁ କେଉଁକାଳରୁ ଓଡିଶାରେ ନାଟକ ପରିବେଷଣ କ୍ଷେତ୍ରରେ ମୁଖାର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇ ରହିଆସିଛି। ମଣିଷ ଯେତେବେଳେ ପ୍ରଥମେ ମୁଖାକୁ ଆବିଷ୍କାର କଲା ନିଜେ ଜାଣି ନଥିଲା ଯେ ସେ ହେଉଛି ନାଟ୍ୟଶାସ୍ତ୍ରର ଜନ୍ମଦାତା। ସୋଲ, ସ୍ପଞ୍ଜ, ମଣ୍ଡଦିଆ ମୋଟାକାଗଜ, ବିଭିନ୍ନ କିସମର ମାଳି, ଜରି, ଛୋଟ ଛୋଟ ଦର୍ପଣ, ବିଭିନ୍ନ ରଙ୍ଗର କପଡାରେ ଏହି ମୁଖା ତିଆରି କରାଯାଇଥାଏ। ଓଡିଶାର ଲୋକ ନାଟକଗୁଡିକ ରାମାୟଣ, ମହାଭାରତ, ଭାଗବତ ଓ ପୁରାଣ ଉପରେ ଆଧାରିତ। ଏଥିରେ ଅଂଶଗ୍ରହଣ କରୁଥିବା ଚରିତ୍ରଗୁଡିକ ପରିଧାନ କରୁଥିବା ବେଶ, ପୋଷାକ ଓ ମୁକୁଟଗୁଡିକ ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ରରେ ଏହି କାରିଗରମାନେ ପୁରୁଷାନୁକ୍ରମେ କରିଥାନ୍ତି। କାରିଗରମାନେ ନିଜ ଘରେ କରିଥିବା ରଙ୍ଗଶାଳରେ ଏ ସବୁ ଜିନିଷ ତିଆରି କରିଥାନ୍ତି। ପୁରୀ, ନୟାଗଡ, ଭଞ୍ଜନଗର, ବୁଗୁଡା, ଚନ୍ଦନପୁର ଆଦି ସହରତଳି ବା ଗ୍ରାମାଞ୍ଚଳରେ ବସବାସ କରୁଥିବା ମୁଖା ଶିଳ୍ପୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅସମୟରେ ସରକାରୀ ସାହାଯ୍ୟପାଇଁ କାରିଗର ସଂଘ ସଭାପତି ରାଜୁ ଦାସ ଦାବି କରିଛନ୍ତି।

Comments are closed.