ଫିକା ପଡିଲା ଗୁଆଳିଗୋରଡା ଭାଗବତ ମେଳଣ

ସୁଆଣ୍ଡୋ : ଶହ ଶହ ବର୍ଷ ଧରି ହୋଇ ଆସୁଥିବା ଗୁଆଳିଗୋରଡା ଭାଗବତ ମେଳଣ କରୋନା କଟକଣା ଯୋଗୁ ଶୁକ୍ରବାର ଫିକା ପଡିଲା। ବୈଶାଖ ପୂର୍ଣ୍ଣିମା ଦିନ ମେଳଣର ଜମାଣ ହୁଏ। ପରଦିନ ଠାରୁ ମେଳଣଟି ଦୁଇ ଦିନ ଧରି ହୋଇଥାଏ । ବଳରାମପୁର ଗଡ ସାମନ୍ତ ହରପ୍ରସନ୍ନ ରାୟଙ୍କ ଘରେ ପୂଜିତ ଠାକୁର ସୁ ସଜ୍ଜିତ ବିମାନରେ ବିଜେ କରି ଘଣ୍ଟ ବାଜା ବାଜି ମେଳଣରେ ଥାନାପତି ଭାବେ ଖୁଣ୍ଟିଲାଗି ହୋଇଥିଲେ। ଗୁଆଳିଗୋରଡା ଖଡିକୁଦା ଗେଣ୍ଡାମାଳି ବ୍ରହ୍ମପୀଢ ବିଦ୍ୟାଧରପୁର କଅଳ ପଡା ଆଦି ୨୨ଟି ଗ୍ରାମରୁ ଠାକୁରଙ୍କ ବିମାନ ଆସିଥାନ୍ତି । ଲକ୍ ଡାଉନ୍ କଟକଣା ହେତୁ କେତେକ ଗ୍ରାମରୁ ଠାକୁରଙ୍କ ଆଜ୍ଞାମାଳ ଆସି ଖୁଣ୍ଟି ଛୁଇଁ ଯାଇଥିବା ବେଳେ ଅନ୍ୟ କେତେକ ବିମାନ ଖୁଣ୍ଟିଲାଗି ହୋଇଥିଲେ। ମେଳଣ ପରିଚାଳନା କମିଟି ପକ୍ଷରୁ ଠାକୁରଙ୍କ ଭୋଗ ପାଇଁ ଖଇ, କୋରା, ଚଣା, ଖଜା, କଦଳୀ ଆଦି ନୂଆମାଟି ହାଣ୍ଡିରେ ଦିଆଯାଇଥିଲା। ପୂଜକ ଠାକୁରଙ୍କୁ ଫୁଲ, ତୁଳସୀ, ଚନ୍ଦନ, ଫଗୁ ଆଦି ନେଇ ବାଟ ବରଣି କରିଥିଲେ। ମେଳଣ ପଡିଆ ଜନ ମାନବ ଶୁନ୍ୟ ହୋଇ ଖାଁ ଖାଁ ଦେଖିବାକୁ ମିଳିଥିଲା। ଠାକୁର ମେଳଣରେ ରହିଛନ୍ତି ବୋଲି କେତେ ଜଣ ପୂଜାରୀ ସେଠାରେ ଉପସ୍ଥିତ ରହିଥିଲେ ।

Comments are closed.