କରୋନା ଉଜାଡି ଦେଲା ସଂସାର : ଜୀବନ ରଖିଛି ସରକାରୀ ଚାଉଳ

ସୁଆଣ୍ଡୋ : କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ରହିଛି। ତେବେ ଦୀର୍ଘଦିନ ଧରି ଏହା ଚାଲୁ ରହିବା ଯୋଗୁଁ ଲକ୍ଷ ଲକ୍ଷ ଶ୍ରମଜୀବୀ ଓ ଦିନ ମଜୁରିଆଙ୍କ ପରିବାରର ଅବସ୍ଥା ଦୟନୀୟ ହୋଇ ପଡିଲାଣି । ମାସାଧିକ କାଳ ସେମାନଙ୍କୁ କାମ ମିଳୁନି କି ମଜୁରୀ ମିଳୁନି । କେମିତି ଚଳିବେ ସେମାନେ। ଏହିପରି ଅଭାବ ଅନାଟନରେ ପଡିଛନ୍ତି ପୁରୀଜିଲା ନଡ଼ିଆ ବହୁଳ ସାକ୍ଷୀଗୋପାଳ ଅଞ୍ଚଳର ନଡ଼ିଆ ତୋଳାଳି ମାଳୁଆ। ନଡ଼ିଆ ପଇଡ ତୋଳି ଦିନକୁ ତିନି/ ଚାରି ଶହ ଟଙ୍କା ରୋଜଗାର କରୁଥିବା ଲୋକଟି ଲକ୍ ଡାଉନ ମାଡରେ କାମ ନପାଇ ଉପବାସରେ ଘର କଣରେ ପଡିଛି । କୁନି କୁନି ପିଲାମାନେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । ଏଭଳି କ୍ଷେତ୍ରରେ କେମିତି ଚଳିବେ ସେମାନେ ।

ଏନେଇ ମାଳୁଆ କହନ୍ତି, ନଡ଼ିଆ ପଇଡ ତୋଳି ନିଜର ଗୁଜୁରାଣ ମେଣ୍ଟାଉଥିଲୁ । କି କରୋନା ରୋଗ ଆସିଛି ଯେ ସବୁ ବନ୍ଦ । ଚାଉଳ ଗଣ୍ଡାକ ସରକାର ଦେଉଛନ୍ତି ବୋଲି ଯାହିତାହି ବଞ୍ଚିଛୁ । ସେଇ ଚାଉଳ ବିକି ଆଳୁ ପିଆଜ କେତେଦିନ କିଣି ଖାଇବୁ ବୋଲି କହିଥିଲେ।  ତେବେ ମୂଲ୍ୟବାନ ମାନବ ଜୀବନ ସୁରକ୍ଷା ପାଇଁ କଟକଣାର ଆବଶ୍ୟକତା ଯେତିକି ରହିଛି ସେହିପରି ଦିନ ମଜୁରିଆ ଓ ଖଟିଖିଆମାନଙ୍କ ସମସ୍ୟାର ଗୁରୁତ୍ବ ମଧ୍ୟ ସେତିକି ରହିଛି ବୋଲି ସାଧାରଣରେ କୁହାଯାଉଛି।

Comments are closed.