ବର୍ଷାରେ ଉଜୁଡ଼ି ଯାଇଛି ରବିଫସଲ, ଚାଷୀଙ୍କ ମୁଣ୍ଡରେ ଚଡକ

ସୁଆଣ୍ଡୋ : ଦୁଇଦିନ ଧରି ଚାଲିଥିବା ବର୍ଷାରେ ଚାଷ ହୋଇଥିବା ରବି ଫସଲ ଉଜୁଡି ଯାଇଛି । କିଏ ବିଲରେ ଉପାଡି ପକେଇଛି ତ କିଏ ଖଳାକୁ ବୋହିଛି । ଲଗାଣ ବର୍ଷା ଯୋଗୁଁ ଉପଡା ହୋଇଥିବା ମୁଗ ବିରି କୋଳଥ ଆଦି ରବି ଫସଲ ପାଣିରେ ଭିଜି ଯାଇଛି । ସେଥି ମଧ୍ୟରୂ ଅଧିକାଂଶ ଗଜା ହୋଇ ଗଲେଣି । ଆଉ ଆଠଦିନ ଭିତରେ ଚାଷୀ ତା’ର ରବି ଫସଲ ସବୁ ଅମଳ କରି ସାରିଥାନ୍ତା । ହେଲେ ଅଦିନିଆ ବର୍ଷା ଚାଷୀର ଫସଲ ନଷ୍ଟ କରିବା ସହ ଚାଷୀ ମୁଣ୍ଡରେ ଚଡକ ପଡିଲା ଭଳି ହୋଇଛି ବୋଲି କୁହାଯାଉଛି । ଏ ସମ୍ପର୍କରେ କେତେକ ଚାଷୀଙ୍କୁ ପଚାରିବାରୁ ସେମାନେ କହନ୍ତି ମୂଲିଆ ଅଭାବ ହେତୁ ପିଲାଛୁଆଙ୍କୁ ଧରି ଫସଲ ଅମଳ କାମ କରିଥିଲୁ କିନ୍ତୁ ଅଦିନିଆ ବର୍ଷା ସେସବୁକୁ ନଷ୍ଟ କରିଦେଲା। ହଳ ବିହନ ସହିତ ରୋଗ ପୋକ ଦାଉରୁ ଫସଲକୁ ରକ୍ଷା କରି ଆସିଥିବା ଚାଷୀ ଏବେ ଅମଳ ଫସଲ ହରେଇ ମୁଣ୍ଡରେ ହାତଦେଇ ବସିଛି । ତେବେ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି ।