ବୃତ୍ତି ମୋର ପୋଷେ କୁଟୁମ୍ବ

ସୁଆଣ୍ଡୋ(ଧୀରେନ୍ଦ୍ର ଦାସ): କରୋନା ମହାମାରୀକୁ ନେଇ ବିଶ୍ୱ ଆଜି ଚିନ୍ତିତ ଥିବା ବେଳେ ଚାଷୀଟିଏ ସେ ସବୁକୁ ଖାତିର ନକରି ନିଜ ବୃତ୍ତିକୁ ଛାଡି ନାହି । ଏହାର ଉଦାହରଣ ଦେଖିବାକୁ ମିଳିଛି ପୁରୀଜିଲା ସତ୍ୟବାଦୀବ୍ଲକ ସୁଆଣ୍ଡୋ ଗ୍ରାମରେ । ତାଙ୍କ ନାଁ ପ୍ରହଲ୍ଲାଦ ସ୍ୱାଇଁ । ତାଙ୍କର ଦୁଇ ଏକର ଜମି ରହିଛି । ସେହି ଜମିକୁ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଏବେ କରୋନା ଲକ ଡାଉନ ଯୋଗୁ ସେ ଚାଷ କରିଥିବା ବନ୍ଧା କୋବି ବିକ୍ରିକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ସେ ଏଥିରେ ଭାଙ୍ଗିପଡି ନ ଥିଲେ । ଏବେ କରୋନା କଟକଣା କୋହଳ ହୋଇଛି । ଇତିମଧ୍ୟରେ ତାଙ୍କ କୋବି ଦଶ / ବାର ଟଙ୍କାରେ ବିକ୍ରି ହେଲାଣି । ବେପାରୀମାନେ ଗାଡି ଓ ଲୋକ ସାଙ୍ଗରେ ଆଣି ବିଲ ପାଖରୁ ପରିବା ନେଇ ଯାଉଛନ୍ତି । ଫସଲ ନଷ୍ଟ ହେବାର ସମ୍ଭାବନା ଦୂର ହୋଇଛି ।

ଏ ସମ୍ପର୍କରେ ଶ୍ରୀ ସ୍ୱାଇଁ କୁହନ୍ତି ; କରୋନା ସଙ୍କଟ ସବୁଦିନ ନଥିବ । ଚାଷ ନ କଲେ ଆମର ଭେଳା ବୁଡିଯିବ । ଆମେ ତେଣିକି ବଞ୍ଚିବୁ କିପରି ? ଖାଇବୁ କଣ ? ମୋ କୁଟୁମ୍ବକୁ ପୋଷିବି କିପରି ? ଯାହା ବି ହେଉ ଆମ କୌଳିକ ବୃତ୍ତି କୁ ଛାଡି ପାରିବୁ ନାହିଁ ବୋଲି କହନ୍ତି । ତେବେ କରୋନାରେ ଜୀବନକୁ ଜୟ କରିବାକୁ ଯାଇ ଯେପରି କାହାର ଜୀବନ ନ ଯାଉ । ଚାଷୀର ଉତ୍ପାଦିତ ଫସଲ ବିକ୍ରି ପାଇଁ ସରକାର ସେତୁବନ୍ଧ ଟିଏ ତିଆରି କରିବାର ସମୟ ଆସିଛି ବୋଲି କୁହାଯାଉଛି ।

Comments are closed.