ଲକ ଡାଉନ୍ ଯୋଗୁ ରାଇଚକ୍ରଧର ପୁର ଅଶୋକାଷ୍ଟମୀ ଯାତ୍ରା ଫିକା ପଡିଲା

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରାଇଚକ୍ରଧର ପୁର ଶାସନରେ ଶହ ଶହ ବର୍ଷ ଧରି ହୋଇ ଆସୁଥିବା ଅଶୋକାଷ୍ଟମୀ ଯାତ୍ରା କରୋନା ଲକ ଡାଉନ ଯୋଗୁ ଫିକା ପଡିଥିଲା । ଗ୍ରାମର ବ୍ରାହ୍ମଣ ମହାଜନ କୋଠଙ୍କ ନିଷ୍ପତ୍ତି ଅନୁଯାଇ କେବଳ ଦେବନୀତି ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ରଥଯାତ୍ରା ବନ୍ଦ କରାଯାଇଥିଲା । ଗ୍ରାମଦାଣ୍ଡ ମଝିରେ ଠାକୁରଙ୍କ ରଥ ରଖାଯାଇଥିଲା । ସେଥରେ ବଁ ପାଳରୁ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବ ଓ ଗ୍ରାମଦେବତା ହରି ଶଙ୍କର ଓ ଦୋଳ ଗୋବିନ୍ଦ ବିଜେ କରିଥିଲେ । ଗ୍ରାମବାସୀ ମାନେ ସାମାଜିକ ଦୂରତା ରକ୍ଷା କରିବା ସହ ପରମ୍ପରା ଅନୁସରଣ କରି ନିଜ ଘରେ ପ୍ରସ୍ତୁତ କରିଥିବା ଚୁଡାଘଷା ଖଇ କୋରା କଦଳୀ ଆଦି ଫଳମୂଳ ଠାକରଙ୍କୁ ଭୋଗ ଲଗାଇଥିଲେ । ବିନା ବାଜା ବାଣ ଆଲୋକ ସଜ୍ଜା ଓଡିଶୀ ନୃତ୍ୟ ଭଜନ କୀର୍ତ୍ତନରେ ଠାକୁରଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମାତ୍ର ଦୁଇଜଣ ପୂଜକ ଠାକୁରଙ୍କ ସେବାରେ ନିୟୋଜିତ ରହିଥିବା ଦେଖା ଯାଇଥିଲା । ଶତାଧିକ ବର୍ଷର ଠାକୁରଙ୍କ ଅଶୋକାଷ୍ଟମୀ ରଥ ଯାତ୍ରା କରୋନା ସଂକ୍ରମଣ ଭୟରେ ବନ୍ଦ ହୋଇ ଯାଇଥିବା ଆଲୋଚନାର ବିଷୟ ହୋଇଛି ।

Comments are closed.