+୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ବର: ମାଟ୍ରିକ୍‌ ବୋର୍ଡ଼ ପରୀକ୍ଷା ବାତିଲ କଲ, ତେବେ ଆମକୁ କାହିଁକି ଦ୍ବନ୍ଦ୍ବରେ ରଖି ସମସ୍ୟାରେ ପକାଉଛ। ଆମ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଉ। ଏଭଳି ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି +୨ ଛାତ୍ରଛାତ୍ରୀ। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମାଟ୍ରିକ୍‌ ପରୀକ୍ଷା ବାତିଲ ହେବା ପରେ ଏବେ ନିଜ ପରୀକ୍ଷାକୁ ନେଇ ଚିନ୍ତାରେ +୨ ଛାତ୍ରଛାତ୍ରୀ। ସେମାନଙ୍କ କହିବାନୁସାରେ, କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ମାଟ୍ରିକ୍‌ ପିଲାମାନଙ୍କ ପରୀକ୍ଷା ବାତିଲ କରି ଦିଆଗଲା। କିନ୍ତୁ +୨ ପରୀକ୍ଷାକୁ ସ୍ଥଗିତ ରଖାଗଲା। ଏହାଦ୍ବାରା ଆମର ମାନସିକ ଚାପ ବୃଦ୍ଧି ପାଉଛି। ଏହାସହିତ କରୋନା କାଳରେ କିଭଳି ଆମେ ଯାଇ ପରୀକ୍ଷା ଦେବୁ। ଆମକୁ କ’ଣ କରୋନା ହେବନି। ତେଣୁ ସରକାର ଆମ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଓ ପରୀକ୍ଷା ବାତିଲ କରନ୍ତୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବଢୁଥିବାରୁ ପ୍ରଥମେ ସିବିଏସଇ, ଆଇସିଏସଇ ଦଶମ ବୋର୍ଡ ଏବଂ ପରେ ରାଜ୍ୟର ମାଟ୍ରିକ ପରୀକ୍ଷା ବାତିଲ ହୋଇଛି। ମାଟ୍ରିକ ଛାତ୍ରଛାତ୍ରୀ ମଙ୍ଗଳବାର ଦିନ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିଲେ। ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ।

Comments are closed.