ରେଡ଼ିଓରେ ପଢିବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର : କରୋନା ଯୋଗୁଁ ରାଜ୍ୟରେ ପୂଜା ଛୁଟି ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପାଠ୍ୟକ୍ରମ ମଧ୍ୟ କମ୍‌ କରାଯାଇଛି। ଶ୍ରେଣୀଗୃହ ପାଠପଢା ବନ୍ଦ ଥିବାରୁ ଅଧିକ ବିଦ୍ୟାର୍ଥୀଙ୍କୁ ବିକଳ୍ପ ପଦ୍ଧତିରେ ପାଠ ପଢାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିବିଧ ପଦକ୍ଷେପ ହାତକୁ ନିଆଯାଇଛି। ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପଦାଧିକାରୀଙ୍କୁ ନେଇ ନିୟମିତ ବୈଠକ କରାଯାଇଛି। କିଭଳି ଅଧିକ ଛାତ୍ରଛାତ୍ରୀ ଶିକ୍ଷା ପାଇପାରିବେ ସେଥିପାଇଁ ନୂତନ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରେଡ଼ିଓ ଜରିଆରେ ପାଠ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ପକ୍ଷରେ ଆସନ୍ତାକାଲି (ସୋମବାର)ଠାରୁ ଦୂରଦର୍ଶନରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଠପଢା ଦୂରଦର୍ଶନରେ ପ୍ରସାରଣ କରାଯିବ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପ୍ରିଲ ୨୦ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଦୂରଦର୍ଶନ ଜରିଆରେ ପାଠ ପଢାଯାଇଛି। ରାଜ୍ୟରେ ପ୍ରାୟ ୭୦ % ଅର୍ଥାତ୍‌ ସାଢେ ତିନି ଲକ୍ଷ ଛାତ୍ରଛାତ୍ରୀ ଦୂରଦର୍ଶନରେ ପାଠ ପଢୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବାହ୍ଣ ୧୧ରୁ ମଧ୍ୟାହ୍ନ୧୨ଟା ପର୍ଯ୍ୟନ୍ତ ପ୍ରସାରଣ କରାଯିବା ସହ ଅପରାହ୍ଣ ୩.୩୦ ରୁ ୪.୩୦ ପର୍ଯ୍ୟନ୍ତ ପୁନଃ ପ୍ରସାରଣ କରାଯାଉଛି। ନବମ ବିଦ୍ୟାର୍ଥୀଙ୍କୁ ମଧ୍ୟ ଦୂରଦର୍ଶନରେ ପାଠ ପଢାଇବା ପାଇଁ ଭିଡିଓ ରେକଡିଂ କାର୍ଯ୍ୟ ଆରମ୍ଭ ହୋଇଛି। ଶୀଘ୍ର ନବମ ବିଦ୍ୟାର୍ଥୀଙ୍କୁ ମଧ୍ୟ ଦୂରଦର୍ଶନରେ ପାଠ ପଢାଯିବ।

ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ପାଠପଢା ଦୂରଦର୍ଶନରେ ପ୍ରସାରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଠ ପଢାଯିବ। ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏଁ ଏକଘଣ୍ଟା ଧରି ପଢାଯିବ। ସୋମବାରରୁ ଶୁକ୍ରବାର ଯାଏଁ ପାଠ ପଢା ସମ୍ବଳିତ ଭିଡ଼ିଓ ଦୂରଦର୍ଶନରେ ପ୍ରସାରଣ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଠ ପଢା ପ୍ରସାରଣ କରିବାକୁ ଯୋଜନା ରହିଛି। ପାଠପଢା ସମ୍ବଳିତ ଭିଡ଼ିଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସୋପା) ଓ ଦୂରଦର୍ଶନର ୟ୍ୟୁଟୁବ୍‌ ଚ୍ୟାନେଲ୍‌ରେ ଉପଲବ୍ଧ ରହିବ।

ବିଦ୍ୟାର୍ଥୀ ଚାହିଁଲେ ପରବର୍ତ୍ତୀ ସମୟରେ ଏହାକୁ ମଧ୍ୟ ଦେଖି ପାରିବେ। ସେହିପରି ଦୀକ୍ଷା ଆପ୍‌ରେ ମଧ୍ୟ ଭିଡିଓ ଅପଲୋଡ୍‌ କରାଯାଉଛି। ପାଠପଢା ପରେ ବିଦ୍ୟାର୍ଥୀଙ୍କର ଯାହା ଦ୍ବନ୍ଦ୍ବ ପାଇଁ ପ୍ରଶ୍ନ ରହିବ ସେମାନେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ଗଠନ କରାଯାଇଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଅଧ୍ୟାପକଙ୍କୁ ପ୍ରଶ୍ନ ପଚାରିପାରିବେ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ପାଇଁ ଅଭିଜ୍ଞ ଶିକ୍ଷକଶିକ୍ଷୟତ୍ରୀଙ୍କୁ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। ବିଭାଗ ପକ୍ଷରୁ ରେକଡିଂ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ରେକଡିଂ ସରିବା ପରେ ତାହା ରେଡିଓରେ ପ୍ରସାରଣ କରାଯିବ। ଏହାଦ୍ବାରା ବିଦ୍ୟାର୍ଥୀ ଘରେ ରହି ସହଜରେ ପାଠ ପଢିପାରିବେ। ପାଠ୍ୟକ୍ରମ କମାଯିବା ପରେ ସିଲାବସ୍‌ ଅନୁସାରେ ରେକଡିଂ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ପୁନିଆ କହିଛନ୍ତି ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବାକୁ ବିଭିନ୍ନ ଯୋଜନା କରିଛୁ। ଦଶମ ପିଲାଙ୍କୁ ଦୂରଦର୍ଶନର ପାଠ ପଢାରେ ସୁଫଳ ମିଳୁଛି। ସେଥିପାଇଁ ଆସନ୍ତାକାଲିଠରୁ ଯୁକ୍ତ ଦୁଇ ବିଜ୍ଞାନ ବିଦ୍ୟାର୍ଥୀଙ୍କୁ ପଢାଯିବ। ପ୍ରଥମରୁଅଷ୍ଟମ ବିଦ୍ୟାର୍ଥୀଙ୍କୁ ରେଡିଓରେ ପାଠ ପଢାଇବାକୁ ଯୋଜନା ରହିଛି। ଅଭିଭାବକମାନେ ଛାତ୍ରଛାତ୍ରୀ କିଭଳି ଭାବେ ପାଠପଢାର ପ୍ରସାରଣ ବିଦ୍ୟାର୍ଥୀ ଦୂରଦର୍ଶନରେ ନିୟମିତ ଭାବେ ଦେଖିବେ ସେ ଦିଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Comments are closed.