MEllora 950×100

ଦଉଡ଼ି ଟାଣିଲେ ଡଙ୍ଗା ଚାଲେ, ସ୍କୁଲ ଯା’ନ୍ତି ପିଲେ

କୋରାପୁଟ : ପିଲାଙ୍କ ଭିତରେ ପାଠପଢି ବଡ ହେବାର ସ୍ବପ୍ନ। କିନ୍ତୁ ସ୍ବପ୍ନ ସାକାର ପଥରେ ବାଧକ ପିତେଇ। ପିତେଇ କୋୖଣସି ବ୍ୟକ୍ତିବିଶେଷ ନୁହେଁ, କୋରାପୁଟ ଜିଲା ସଦର ବ୍ଲକ ବଡ଼ସୁକୁ ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ଏକ ନଈ। ନଈର ନାମାନୁସାରେ ଗ୍ରାମର ନାମ ବି ପିତେଇ ରଖାଯାଇଛି। ପିତେଇ ପଛକୁ ଆଉ ଏକ ଗାଁ ଶିରସି ରହିଛି। ଏହି ଦୁଇ ଗ୍ରାମବାସୀଙ୍କ ସହିତ କୋରାପୁଟ ବ୍ଲକର ଗୁଲେଲପୁଟ, କେଚଲା, ନାରାଜପୁଟ, ସେମଳା, ପଇଦାପୁଟ, ଗିରିଲିଆଗୁଡ଼ା ପ୍ରଭୃତି ନଈ ଆରପଟେ ରହିଥିବାବେଳେ ଲମତାପୁଟ ବ୍ଲକର ଟିକରପଡ଼ା, କୁମାରଗନ୍ଧଣା, ଉମ୍ବେଲ ପ୍ରଭୃତି ଅଞ୍ଚଳ ରହିଛି। ଏସବୁ ଅଞ୍ଚଳ ପାଇଁ ସବୁ ପ୍ରଗତିରେ ପ୍ରତିବନ୍ଧକ ପାଲଟିଛି ପିତେଇ। ଗ୍ରାମବାସୀ ବି ପିତେଇ ସହିତ ଅଭ୍ୟସ୍ତ ହୋଇଗଲେଣି। ନଈରେ ନା ପୋଲ ଅଛି ନା ସରକାରୀ ଡଙ୍ଗା। ଗ୍ରାମବାସୀ କହି କହି ଥକିଗଲେ, ଶେଷରେ ନିଜ ସମସ୍ୟାର ସମାଧାନ ପାଇଁ ନିଜେ ଉପାୟ କରିଛନ୍ତି। ଭଡାରେ ଡଙ୍ଗାଆଣି ନଈ ପାର ହେଉଛନ୍ତି। ଗାଁର କୁନି କୁନି ପିଲା ବି ଏଥିସହ ଅଭ୍ୟସ୍ତ ହୋଇଗଲେଣି। କୁନି କୁନି ହାତରେ ଆହୁଲା ମାରି ଡଙ୍ଗା ଚଳାଇବା ସମ୍ଭବ ନୁହେଁ। ସେଥିପାଇଁ ଗ୍ରାମବାସୀ ନଦୀର ଏକୂଳରୁ ସେ କୂଳକୁ ଏକ ତାର ବାନ୍ଧି ଦେଇଛନ୍ତି। କୂଳରେ ବନ୍ଧାଯାଇଥିବା ଡଙ୍ଗା ଫିଟାଇ ତାରକୁ ଧରି ଟାଣିଲେ ଡଙ୍ଗା ଆଗକୁ ବଢେ, ଆରପାରିରେ ପହଞ୍ଚେ।
ଯିଏ ଯେଝା କାମ ସାରି ପୂର୍ବ ବ୍ୟବସ୍ଥାରେ ଫେରନ୍ତି। ଉପରୋକ୍ତ ଗାଁଗୁଡିକର ଦୈନିକ ହଜାରରୁ ଊର୍ଦ୍ଧ୍ବ ଲୋକେ ଏହି ଡଙ୍ଗାଘାଟ ଉପରେ ନିର୍ଭର କରନ୍ତି।
କୁନି କୁନି ପିଲା ନଈ ଆରପଟେ ବଡସୁକୁରେ ଥିବା ସ୍କୁଲକୁ ଯିବା ସମୟରେ ସାଙ୍ଗରେ କୋୖଣସି ଅଭିଭାବକ ବା ବୟୋଜ୍ୟେଷ୍ଠ ଲୋକ ନଥାନ୍ତି। ସେମାନେ ନିଜେ ଡଙ୍ଗା ଚଢି ତାର ଟାଣି ଟାଣି ଡଙ୍ଗାକୁ ଆରପଟେ ପହଞ୍ଚାଇ ସ୍କୁଲ ଯାଆନ୍ତି। ଫେରନ୍ତି ମଧ୍ୟ ଠିକ୍‌ ସେହିଭଳି। ଏହା ନିତିଦିନିଆ ଘଟଣା। ସମସ୍ତଙ୍କ ଭରସା ଡଙ୍ଗାଖଣ୍ଡିକ। ବର୍ଷାଦିନେ କିନ୍ତୁ ସେମାନଙ୍କ ଦୁଃଖ ବଳେଇଯାଏ। ନଦୀ ସ୍ରୋତରେ ତାର ଧରି ପାରିହେବା କଷ୍ଟକର ଓ ବିପଦଶଙ୍କୁଳ ହୋଇଯାଏ। ଏହି ଗାଁ ପାଇଁ କୋରାପୁଟରୁ ସିଧାସଳଖ ପକ୍କା ରାସ୍ତା ନଥିବାବେଳେ ଏମାନେ ୨୦ କିଲୋମିଟର ବୁଲି ରେଳବାଇ ପୋଲ ଦେଇ ବିପଦଜନକ ଭାବେ ଯାତାୟାତ କରୁଛନ୍ତି। ଗାଁ ନିକଟରେ ପୋଲ ନିର୍ମାଣ ହେଲେ କୋରାପୁଟ ସଦରମହକୁମାକୁ ଦୂରତ୍ବ ଅନ୍ତତଃପକ୍ଷେ ୧୦ କିଲୋମିଟର କମିଯିବ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରି କହିଛନ୍ତି। ସୁକୁ ଯିବାକୁ ରାସ୍ତା ଦେଇ ଗଲେ ୨୦ରୁ ଅଧିକା କିଲୋମିଟର ଯିବାକୁ ପଡ଼େ। କିନ୍ତୁ ଏହି ଡଙ୍ଗଘାଟ ଦେଇ କମ ସମୟ ଭିତରେ ପହଞ୍ଚି ହୁଏ। ମୁଖ୍ୟ କଥା ହେଉଛି ପିତେଇ ଗାଁର ଅଧିକାଂଶ ଜମି ନଦୀ ଆର ପଟେ ରହିଛି। ଯେଉଁଠିକୁ ନିଜର ଜୀବନଜୀବିକା ପାଇଁ ପିତେଇ ଗ୍ରାମ ମହିଳା ପୁରୁଷମାନେ ଚାଷ କରିବାକୁ ଯାଆନ୍ତି ଓ ଧାନ ମାଣ୍ଡିଆ ଇତ୍ୟାଦି କାଟିବାକୁ ଯାଇଥାନ୍ତି। ଏପରିକି ହଳ କରିବାକୁ ମଧ୍ୟ ବଳଦ ନେଇ ଯାଇଥାନ୍ତି। ଡଙ୍ଗାରେ ଚାଷୀ ବସିଥିବାବେଳେ ଡଙ୍ଗା କଡରେ ବଳଦ ନଦୀ ପହଁରି ଆରପାରିକୁ ଯାଏ। ବଡ଼ସୁକୁ ଗ୍ରାମ ପଞ୍ଚାୟତକୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ବୃଦ୍ଧବୃଦ୍ଧା ଡଙ୍ଗାର ସାହାରା ନେଇ ଥାଆନ୍ତି। ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ସମୟରେ ମଧ୍ୟ ଏହି ଡଙ୍ଗା ହିଁ ଭରସା। ସବୁଠୁଁ ଆଶ୍ଚର୍ଯ୍ୟର ବିଷୟ ଯେ ଏହି ଡଙ୍ଗାକୁ ସୁକୁ ଗ୍ରାମରୁ ମାସିକ ପାଞ୍ଚ ହଜାର ଭଡ଼ାରେ ଗ୍ରାମବାସୀ ଆଣିଛନ୍ତି ଓ ସମସ୍ତେ ଚାନ୍ଦା କରି ତାହା ଦେଇଥାନ୍ତି।
ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ପାଟନିଆ କୁହନ୍ତି, ଜନସାଧାରଣଙ୍କ ଗମନାଗମନ ସମସ୍ୟା ସମାଧାନ ସକାଶେ ସେ ଗତ ଅକ୍ଟୋବର ୧୦ରେ ଜରୁରୀକାଳୀନ ବିଭାଗକୁ ଦରଖାସ୍ତ କରିଥିଲେ, କିନ୍ତୁ ବିଭାଗ ସ୍ଥାନୀୟ ବିଡ଼ିଓଙ୍କୁ ଏହି ଦାୟିତ୍ବ ଦେଇଥିବା କହିଛି। ବ୍ଲକ କର୍ତ୍ତୃପକ୍ଷ ଡଙ୍ଗା ପାଇଁ ବୋରିଗୁମ୍ମା ଅଞ୍ଚଳର କାରିଗରକୁ ବରାଦ ଦେଇଥିବା କହିଥିବା ବେଳେ ଏହା ପରଠୁଁ କୌଣସି ପଦକ୍ଷେପ ନିଆଯାଇନାହିଁ। ବହୁ ଦାବି ପରେ ଉକ୍ତ ନଦୀରେ ଦୁଇବର୍ଷ ହେବ ପୋଲ ନିର୍ମାଣ ଆରମ୍ଭ ହୋଇଛି, କିନ୍ତୁ କେବେ କାମ ସରିବ ତାହା କେହି ଜାଣନ୍ତିନାହିଁ। ତେଣୁ ଅଞ୍ଚଳବାସୀଙ୍କ ଗମନାଗମନ ନିମନ୍ତେ ପ୍ରଶାସନ ଅନ୍ତତଃ ଗୋଟିଏ ଡଙ୍ଗା ଯୋଗାଇବାକୁ ଦାବି ହେଉଛି। ସେମାନଙ୍କର ଅଭିଯୋଗ ଯେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା କାରଣରୁ ସେମାନେ ଆଜିପର୍ଯ୍ୟନ୍ତ ମୋୖଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ପିତେଇ ଓ ଶିରସିର ତ୍ରିନାଥ ପାଟନିଆ, ଗୋବର୍ଦ୍ଧନ ଟାକିରି, ବାଳକ ଖେମୁଣ୍ଡୁ, ଅର୍ଜ୍ଜୁନ ଟାକିରି, ସନୁ ଭୋଇ, ମଧୁ ଖେମୁଣ୍ଡୁ, ଓ ଘାସିରାମ ଟାକିରି, ଭଗବାନ ସୁକିଆ ସମିତି ସଭ୍ୟ ପ୍ରମୁଖ ଏହାର ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ କୋରାପୁଟ ବିଡିଓ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.