ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତି ; ଅକ୍ଟୋବର ୧୨ରେ ନିର୍ବାଚନ, ୧୩ରେ ଶପଥ ଗ୍ରହଣ

0

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଅକ୍ଟୋବର ୧୪ରୁ ୨୪ ପର୍ୟ୍ୟନ୍ତ ଦଶହରା ଛୁଟି ହେବ। ଅକ୍ଟୋବର ୧୩ ପୂଜା ଛୁଟିର ଶେଷ କାର୍ଯ୍ୟ ଦିବସ। ତେଣୁ ଅକ୍ଟୋବର ୧୨ରେ ଛାତ୍ର ସଂସଦ ନିର୍ବାଚନ କରାଯିବ ଏବଂ ୧୩ରେ ନବ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଏଥିପାଇଁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ। ମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ପ୍ରସ୍ତାବ ପଠାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀ ଏବଂ ଲିଙ୍ଗ୍‍ଡୋ କମିଶନ୍‍ଙ୍କ ସୁପାରିସ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ସଂକ୍ରାନ୍ତ ନିୟମକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ର ସଂସଦ ନିର୍ବାଚନ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷିତ ହେବ। ନିର୍ବାଚନରେ ଭାଗ ନେବା ପାଇଁ ସର୍ତ୍ତାବଳି ଜାରି କରାଯିବ। ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ‘ଅଭିଯୋଗ ପ୍ରକୋଷ୍ଠ’ ଗଠନ କରି ନିର୍ବାଚନ ସଂକ୍ରାନ୍ତ ଅଭିଯୋଗ ସମାଧାନ କରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply