୫ କୋଟି ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୫ ବର୍ଷ ମଧ୍ୟରେ ମିଳିବ ଛାତ୍ର ବୃତ୍ତି .- ମୁକ୍ତାର ଆବାସ ନକଭି

ନୂଆଦିଲ୍ଲୀ . – ୫ କୋଟି ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଛାତ୍ର ବୃତ୍ତି ପ୍ରଦାନ କରିବେ । ଦଶମ ପରୀକ୍ଷା ପୂର୍ବରୁ , ଦଶମ ପରୀକ୍ଷା ପରେ ଯୋଗ୍ୟତା ଭିତ୍ତିକ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏଥିରେ ୫୦ ପ୍ରତିଶତ ବାଳିକା ରହିବେ । କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବସ ନକଭି ମଙ୍ଗଳବାରରେ ଏହି ସୂଚନା ଦେଇଛନ୍ତି ।

ମୌଲାନା ଆଜାଦ ଶିକ୍ଷା ସଂସ୍ଥାନର ୬୫ ତମ ସାଧାରଣ ବୈଠକ ଓ ୧୧୨ ତମ ପ୍ରଶାସନିକ ବୈଠକରେ ଯୋଗ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ମୋଦୀ ସରକାର ଏହି ପଦକ୍ଷେପ ଗ୍ରହଣ କରୁଥିବା ସେ ପ୍ରକାଶ କରିଛନ୍ତି । ସମସ୍ତ ବର୍ଗର ଲୋକଙ୍କୁ ନ୍ୟାୟ ଓ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଚେଷ୍ଟା କରୁଥିବା ସେ ସୂଚନା ଦେଇଛନ୍ତି । ଅଳ୍ପସଂଖ୍ୟକ ବର୍ଗର ଯେଉଁ ଝିଅମାନେ ଅଧାରୁ ପାଠ ଛାଡି ଦେଇଛନ୍ତି ସେମାନଙ୍କୁ ପାଠ ପଢିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ମାଦ୍ରାସରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କୁ ସାରା ଦେଶରେ ହିନ୍ଦୀ, ଇଂରାଜୀ, ଗଣିତ , ବିଜ୍ଞାନ ଓ କମ୍ପ୍ୟୁଟର ବିଷୟରେ ତାଲିମ ଦିଆଯିବ । ଅଳ୍ପସଂଖ୍ୟକ ବିଶେଷତଃ ଝିଅମାନଙ୍କୁ ଶିକ୍ଷା, ନିଯୁକ୍ତି ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ବୈଷୟିକ ଶିକ୍ଷାର ବିକାଶ ପାଇଁ ଆଇଟିଆଇ୍, ପଲିଟେକନିକ , ଛାତ୍ରୀନିବାସ , ଗୁରୁକୂଳ ତିଆରି କରାଯାଉଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମରେ ଅନେକ ଶିକ୍ଷାନୁଷ୍ଠାନ ତିଆରି କରାଯାଉଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ମାଗଣାରେ ବିଭିନ୍ନ କୋଚିଂ କେନ୍ଦ୍ରରେ ମୁସଲିମ୍‌, ଖ୍ରୀଷ୍ଟିଆନ,ଶିଖ୍‌,ଜୈନ, ବୌଦ୍ଧ ଓ ପାର୍ସି ପରି ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରଶାସନିକ ସେବା, ବ୍ୟାଙ୍କ ସେବା ,ରେଳ ସେବା ପରୀକ୍ଷା ପାଇଁ ତାଲିମ ଦିଆଯିବ ବୋଲି ନକଭି କହିଛନ୍ତି ।

Comments are closed.