ଷ୍ଟୁଆର୍ଟଙ୍କୁ ଦଣ୍ଡଦେଲେ ପିତା କ୍ରିସ୍‍ ବ୍ରଡ୍‍

ଲଣ୍ଡନ୍‍ : ପ୍ରଥମଥର ପାଇଁ ଆନ୍ତର୍ଜାତିକ କ୍ରିକେଟ୍‍ରେ ପୁଅଙ୍କୁ ଅର୍ଥଦଣ୍ଡ ଦେଇଛନ୍ତି ପିତା। ଏହା ଘଟିଛି ଇଂଲଣ୍ଡର ଅଭିଜ୍ଞ ଫାଷ୍ଟବୋଲର ଷ୍ଟୁଆର୍ଟ ବ୍ରଡ୍‍ଙ୍କ କ୍ଷେତ୍ରରେ। ଗତ ସପ୍ତାହରେ ପାକିସ୍ତାନ ବିପକ୍ଷରେ ଘରୋଇ ଇଂଲଣ୍ଡ ଦଳର ପ୍ରଥମ ଟେଷ୍ଟମ୍ୟାଚ୍‍ରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଯୋଗୁଁ ଷ୍ଟୁଆର୍ଟ ବ୍ରଡ୍‍ଙ୍କର ୧୫ ପ୍ରତିଶତ ମ୍ୟାଚ୍‍ ଫି କାଟି ଦେଇଛନ୍ତି ମ୍ୟାଚ୍‍ ରେଫେରି ତଥା ଷ୍ଟୁଆର୍ଟଙ୍କ ପିତା କ୍ରିସ୍‍ ବ୍ରଡ୍‍। ଇଂଲଣ୍ଡ କ୍ରିକେଟ୍‍ ଦଳର ପୂର୍ବତନ ବାମହାତି ଓପ୍‍ନିଂ ବ୍ୟାଟ୍‍ସମ୍ୟାନ୍‍ କ୍ରିସ୍‍ ବ୍ରଡ୍‍ ଆଇସିସି ପ୍ୟାନେଲର ଜଣେ ଅଭିଜ୍ଞ ମ୍ୟାଚ୍‍ ରେଫେରୀ। ଉକ୍ତ ଘଟଣା ପ୍ରଥମ ଟେଷ୍ଟମ୍ୟାଚ୍‍ର ୪ର୍ଥ ଦିନ ପ୍ରାରମ୍ଭରେ ଘଟିଥିଲା। ପାକିସ୍ତାନ ୨ୟ ଇନିଂସର ୪୬ତମ ଓଭରରେ ୟାସିର ଶାହାଙ୍କୁ ୱିକେଟ ପଛରେ କ୍ୟାଚ୍‍ କରାଇଥିଲେ ଷ୍ଟୁଆର୍ଡ ବ୍ରଡ୍‍। ପରେ ୟାସିରଙ୍କ ଉଦ୍ଦେଶ୍ୟରେ ବ୍ରଡ୍‍ କିଛି ଅପଶବ୍ଦ ପ୍ରୟୋଗ କରିଥିଲେ। ଏହା ବିଷୟରେ ଷ୍ଟୁଆର୍ଟଙ୍କ ପିତା ତଥା ଉକ୍ତ ମ୍ୟାଚ୍‍ର ମ୍ୟାଚ୍‍ ରେଫେରି ଥିବା କ୍ରିସ୍‍ ବ୍ରଡ୍‍ଙ୍କୁ ପଡ଼ିଆ ଅମ୍ପାୟାର ଜଣାଇଥିଲେ। ଷ୍ଟୁଆର୍ଟ ବ୍ରଡ୍‍ ଲେଭ୍‍ଲ-୧ ଅପରାଧ କରିଛନ୍ତି ପିତା କ୍ରିସ୍‍ ଜଣାଇଥିଲେ। ତାଙ୍କର ୧୫ ପ୍ରତିଶତ ମ୍ୟାଚ୍‍ ପରି କାଟିବା ସହ ଗୋଟିଏ ଡିମେରିଟ୍‍ ପଏଣ୍ଟ ମଧ୍ୟ ଦେଇଥିଲେ। ଫଳରେ ଗତ ୨୪ ମାସ ମଧ୍ୟରେ ୩ଟି ଡିମେରିଟ୍‍ ପଏଣ୍ଟ ଷ୍ଟୁଆର୍ଟ ବ୍ରଡ୍‍ ପାଇଛନ୍ତି। ପ୍ରକୃତରେ ଏକ ଦ୍ୱିପାକ୍ଷିକ କ୍ରିକେଟ୍‍ ସିରିଜ୍‍ରେ ନିରପେକ୍ଷ ମ୍ୟାଚ୍‍ ରେଫେରି ରହିଥାଆନ୍ତି। ତେବେ କୋଭିଡ୍‍-୧୯ କଟକଣା ଓ ସୀମିତ ଯାତାୟାତ ଯୋଗୁଁ ଘରୋଇ ଇଂଲଣ୍ଡର ମ୍ୟାଚ୍‍ ରେଫେରି ରଖିବାକୁ ଆଇସିସି ବାଧ୍ୟ ହୋଇଥିଲା।

Comments are closed.