ଚାକିରି ଫେରିପାଇବା ପାଇଁ ବାରଦୁଆର ; ମହାଦେବଙ୍କ ଭରସାରେ ମହାଦେବ ମେହେର

୧୮ ବର୍ଷ ଧରି ରାତ୍ରଜଗୁଆଳି ଭାବେ ପେକ୍ସରେ କାମ କରୁଥିଲେ, ବେଆଇନ ନିଲମ୍ବନ ଅଭିଯୋଗ

ବଲାଙ୍ଗିର : ବର୍ଷ ବର୍ଷ ଧରି କମ ଦରମାରେ ଚତୁର୍ଥ ଶ୍ରେଣୀ ଭାବେ କାମ କଲେ । ୧୮ ବର୍ଷ ଧରି ନିସ୍ୱାର୍ଥପର ଭାବେ କାମ କଲେ । କିନ୍ତୁ ଗତ କିଛି ବର୍ଷ ହେଲା କାମରୁ ବେଆଇନ ଭାବେ ନିଲମ୍ବିତ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି କର୍ମଚାରୀ ଜଣକ । ଏହି ଘଟଣା ହେଉଛି ବଲାଙ୍ଗିର ଜିଲା ଲୋଇସିଂହା ପ୍ରାଥମିକ ସମବାୟ ସମିତିର । ଏହି ସମବାୟ ସମିତିରେ କାମ କରୁଥିବା ମହାଦେବ ମେହେର ଏବେ ନ୍ୟାୟ ପାଇଁ ବାରଦୁଆର ହେଉଥିବା ବେଳେ ଏଆରସିଏସ ମଧ୍ୟ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । ଯଦି ତାଙ୍କୁ ନ୍ୟାୟ ନମିଲେ ତେବେ ସେ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୦୦ ମସିହାରେ ଲୋଇସିଂହା ସମବାୟ ସମିତି କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବେ କାମ କରିଆସୁଥିଲେ  ମହାଦେବ ମେହେର । ତାଙ୍କ ପୂର୍ବରୁ ତାଙ୍କ ବାପା କାମ କରୁଥିବା ବେଳେ ସେ ଅସୁସ୍ଥ ହେବାରୁ ମହାଦେବଙ୍କୁ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ରାତ୍ର ଜଗୁଆଳି ଭାବେ କାମ କରିବା ସହିତ ସେ ଦିନ ବେଳା ପିଅନ ଭାବେ ମଧ୍ୟ କାମ କରୁଥିଲେ । ଦୀର୍ଘ ୧୮ ବର୍ଷ କାମ କରିବା ପରେ ଗତ ଦୁଇ ବର୍ଷ ହେଲା ତାଙ୍କୁ ବେଆଇନ ଭାବେ ନିଲମ୍ବିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କର ବହୁ ପରିମାଣର ପାଉଣା ମଧ୍ୟ ପ୍ରଦାନ କରୁନଥିବା ସେ ଅଭିଯୋଗ କରିଆସୁଛନ୍ତି । ଅଭିଯୋଗ ଅନୁସାରେ ତାଙ୍କ ସ୍ଥାନରେ ବେଆଇନ ଭାବେ ଆଉ ଜଣେ ଯୁବକଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ବେଳେ ବହୁ ପରିମାଣର ଟଙ୍କା କାରବାର ହୋଇଥିବା ସେ ଅଭିଯୋଗ କରିଛନ୍ତି । ସମସ୍ତ ଆଇନ କାନୁନକୁ ଉଲଂଘନ କରି ଏହି ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଗତ କିଛି ମାସ ହେଲା ସେ ନ୍ୟାୟ ପାଇଁ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଧାଇଁ ଧାଇଁ ହଇରାଣ ହେଉଛନ୍ତି । ବୁଧବାର ସେ ବଲାଙ୍ଗିର ଏଆରସିଏସଙ୍କ ପ୍ରତଶୃତିକ୍ରମେ ତାଙ୍କ ସହ ଆଲୋଚନା କରିଥିବା ବେଳେ ସମବାୟ ସମିତି ପରିଚାଳନା କମିଟି ତାଙ୍କୁ ନିଲମ୍ବନ କରିଥିବା ସେ କହିଛନ୍ତି । ତେବେ କେମିତି ଓ କେଉଁ ଆଇନ ବଳରେ ତାଙ୍କୁ ନିଲମ୍ବନ କରାଗଲା ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଟଙ୍କା ଲୋଭରେ ସବୁ କିଛି କାଗଜପତ୍ରରେ ଅନିୟମିତତା କରି ତାଙ୍କୁ ନିଲମ୍ବନ କରିଥିବା ସେ ଅଭିଯୋଗ କରିଥିଲେ । ଫଳରେ ଏଆରସିଏସ ପୁଣି ୧୫ ଦିନର ସମୟ ନେଇଥିବା ଜଣାପଡିଛି । ଏନେଇ ସେ ଗତ ଜୁଲାଇ ମାସରେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଘଟଣାର ବିଧିବଦ୍ଧ ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ଡିଆରସିଏସଙ୍କୁ ଜଣାଇଥିଲେ । ଡିଆରସିଏସ ତଦନ୍ତ ପାଇଁ ଲୋଇସିଂହା ସମବାୟ ସମିତିକୁ କ୍ଷଭୁକ୍ତ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ମହାଦେବଙ୍କୁ ନ୍ୟାୟ ମିଲିନାହିଁ । ଏମିତିରେ ସେ ବାରମ୍ବାର ଗୋଟିଏ ଅଫିସର ଆଉ ଗୋଟିଏ ଅଫିସକୁ ଯାଇ ଯାଇ ହଇରାଣ ହୋଇଥିବା ବେଳେ ତାଙ୍କ ପରିବାର ମଧ୍ୟ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ତାଙ୍କୁ ଆକ୍ରୋଶମୂଳକ ଭାବେ କାମରୁ ନିଲମ୍ବନ କରାଯାଇଥିବା ବେଳେ ସେ ଏହାର ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ତାଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଯୁବକଙ୍କ ବାପା ଜିଲାର ବରିଷ୍ଠ କଂଗ୍ରେସ ନେତାଙ୍କ ପାଖ ଲୋକ ହୋଇଥିବା ବେଳେ ସେ ଗରୀବ ହୋଇଥିବାରୁ ତାଙ୍କୁ ନ୍ୟାୟ ମିଲୁନଥିବା ସେ କ୍ଷୋଭର ସହ କହିଛନ୍ତି । ଏହା ସହିତ ସମବାୟ ସମିତିରେ ଅନେକ ଅନୈତିକ, ଅନିୟମିତତା କରାଯାଉଥିବା ବେଳେ ଆବଶ୍ୟକ ତଦନ୍ତ ହେଲେ ବହୁ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ସେ କହିଛନ୍ତି । ଏଦିଗରେ ଜିଲାପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Comments are closed.