କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ କ୍ରୋଏସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା  

ଜାଗରେବ : କ୍ରୋଏସିଆରେ ରବିବାର ଦିନ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। କରୋନା ସଂକ୍ରମଣ ଯୋଗୁଁ ଦେଶର ରାଜଧାନୀ ଜାଗରେବରେ ଆଂଶିକ ବନ୍ଦ ପାଳନ କରାଯାଇଥିବାବେଳେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସମୟ ମଧ୍ୟରେ ରାଜଧାନୀ ଜାଗରେବର ପ୍ରସିଦ୍ଧ ଚର୍ଚ୍ଚ ଘର ସମେତ ବ୍ୟାପକ କ୍ଷତି ଘଟିଥିଲା। ଭୂକମ୍ପ ଯୋଗୁଁ ଲୋକମାନେ ଭୟବୀତ ହୋଇଯାଇଥିଲେ। ​​

ଅଧିକାରୀ କହିଛନ୍ତି ଯେ, ଭୂକମ୍ପ ଯୋଗୁଁ ଜଣେ ୧୫ ବର୍ଷୀୟ ଜଣେ ନାବାଳିକା ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି। ୟୁରୋପୀୟ ଭୂକମ୍ପ ଏଜେନ୍ସି ଇଏମ୍‌ଏସ୍‌ସି (EMSC) ପକ୍ଷରୁ କୁହାଯାଇଛି ଯେ, ସକାଳ ୬ଟା ୨୩ ମିନିଟରେ ଜାଗରେବରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ର ଜାଗରେବ ଠାରୁ ୧୦ କିଲୋମିଟର ଉତ୍ତରରେ ଥିଲା।

କ୍ରୋଏସିଆର ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜେ ପ୍ଲେଙ୍କୋଭିକ୍ କହିଛନ୍ତି ଯେ, ଗତ ୧୪୦ ବର୍ଷ ମଧ୍ୟରେ ଜାଗରେବରେ ଏହା ସବୁଠାରୁ ଭୟଙ୍କର ଭୂକମ୍ପ ଥିଲା। ଏହା ଦ୍ବାରା ଅନେକ ଧନ-ଜୀବନ ନଷ୍ଟ ହୋଇଛି। ଏହି ଭୂକମ୍ପ ଏପରି ଏକ ସମୟରେ ଆସିଥିଲା ଯେତେବେଳେ ରାଜଧାନୀରେ କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ଆଂଶିକ ବନ୍ଦ କରାଯାଇଥିଲା। ଲୋକଙ୍କୁ ସର୍ବସାଧାରଣ ସ୍ଥାନକୁ ନ ଯିବାକୁ କୁହାଯାଇଥିଲା କିନ୍ତୁ ଭୂକମ୍ପ ସମୟରେ ଲୋକମାନେ ଘରୁ ବାହାରିବା ଛଡା ଅନ୍ୟ କୌଣସି ବିକଳ୍ପ ନଥିଲେ।

ସୂଚନାଯୋଗ୍ୟ, କ୍ରୋଏସିଆରେ ବର୍ତ୍ତମାନ ସୁଦ୍ଧା ୨୩୫ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି।

Comments are closed.