ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନେଇ ରାସ୍ତା ଅବରୋଧ

ପାତ୍ରପୁର: ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତର ଡୁଡୁକା ବାଡ ହାଟ ନିକଟ ଦେଇ ପ୍ରବାହିତ ମହେନ୍ଦ୍ର ତନୟା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ ନଦୀ ଉପରେ ପୋଲ ନିର୍ମାଣ ସହିତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ମୃତ ଯୁବକଜଣକ କମଳା ଖତନୁଆଁସାହି ଗ୍ରାମର ସୋମନାଥ ରଇତ(୨୭) ବୋଲି ଜଣା ପଡ଼ିଛି। ଗତକାଲି ସୋମନାଥ ଗ୍ରାମର ଅପର ପାର୍ଶ୍ୱରେ ଥିବା ଡୁଡୁକା ବାଡ ହାଟକୁ ମହେନ୍ଦ୍ରତନୟା ନଦୀ ପାର ହୋଇ ଜିନିଷ କିଣିବା ପାଇଁ ଆସିଥିଲେ। ତେବେ ସେ ଗ୍ରାମକୁ ଫେରିନଥିବା ବେଳେ ଆଜି ସକାଳୁ ତାଙ୍କର ମୃତଦେହ ନଦୀ ଶଯ୍ୟାର ପଥର କୋରଡ ମଧ୍ୟରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଲୋକମାନେ ଏହି ନଦୀରେ ପୋଲ ନିର୍ମାଣ ଦାବିରେ ତୁମ୍ବା ବାରହ। ପଥର ରାସ୍ତାର ଡୁଡୁକା ବାଡ ନିକଟରେ ପଥର ରଖି ରାସ୍ତା ଅବରୋଧକରିଥିଲେ। ଖବର ପାଇ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ, ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ମହେନ୍ଦ୍ର ତନୟ ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନବିଭାଗ କୁଅବଗତ କରାଯିବ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଗତ କିଛିବର୍ଷ ତଳେ ଏହି ପଂଚାୟତର କେତେକ ଗ୍ରାମର ଲୋକମାନେ ପାହାଡ ତଳକୁ ଓହ୍ଲାଇ ନଦୀର ଅପର ପାର୍ଶ୍ୱରେ ନୂତନ ବସତି ସ୍ଥାପନ କରିଥିଲେ। ଏହାକୁ ଦେଖି ସୋମନାଥ ମୁଣ୍ଡେଇସିଙ୍ଗି ଗ୍ରାମରୁ ଆସି ଏହି ଗ୍ରାମରେ ରହୁଥିଲେ। ବିଭିନ୍ନ କାମ ପାଇଁ ଗ୍ରାମର ଲୋକମାନେ ନଦୀ ପାର ହେବାକୁ ପଡୁଥିବା ବେଳେ ପୋଲ ନିର୍ମାଣ ପାଇଁ ଦୀର୍ଘବର୍ଷହେଲା ଦାବୀ ହୋଇ ଆସୁଥିଲା।

Comments are closed.