ଗୋଳାବାରୁଦ କାରଖାନା ସମ୍ମୁଖରେ ଭିଆଇପିର ଧାରଣା

ସଇନ୍ତଲା : ସଇନ୍ତଲା ବ୍ଲକ ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାର ଫପସି ଛକ ସ୍ଥିତ ମୁଖ୍ୟ ଫାଟକ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ମଙ୍ଗଳବାର ଦିନ ବିଭିନ୍ନ ସମସ୍ୟା ନେଇ ଧାରଣା ଦିଆଯାଇଛି। କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବଡ଼ମାଳ ରେଲୱେ ଟ୍ରାକ ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ, ଜମି ହରାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ ତଥା କାରଖାନାର ଘରୋଇକରଣ ପ୍ରତିବାଦରେ କାରଖାନା ମହାପବନ୍ଧକଙ୍କ ଜରିଆରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିର୍ଣ୍ଣୟ ନେଇଥିଲେ। ହେଲେ କାରଖାନା ପକ୍ଷରୁ ଦାବିପତ୍ର ଗ୍ରହଣ ପାଇଁ କେହି ମଧ୍ୟ ନଆସିବାରୁ ଧାରଣାରେ ବସିଥିବା ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଜାରି କରି ଧାରଣାକୁ ବନ୍ଦ କରିଥିବା ଜଣାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦଳର ସଭାପତି ବିପିନ କୁଶଲିଆ ପ୍ରକାଶ କରିଛନ୍ତି। ଏହି ଧାରଣାରେ ଅଶୋକ ଦାସ, ବୈଶାଖୁ ସେଲମା, ପ୍ରସନ୍ନ ଛତ୍ରିଆ, ହରେକୃଷ ସାହୁ, ଜଗନ୍ନାଥ ସେଲମା ଓ ନଦୀର ଭୁଏ ପ୍ରମୁଖ ସାମିଲ ହୋଇଥିଲେ।