ନା ସଚେତନ ହେଉଛନ୍ତି, ନା ପରାମର୍ଶ ମାନୁଛନ୍ତି – ସୁନ୍ଦରଗଡ଼ ଉପଖଣ୍ଡ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କଲା ପ୍ରଶାସନ

ସୁନ୍ଦରଗଡ଼: ଲକ୍‍ ଡାଉନ୍‍ ଲୋକଙ୍କ ଉପରେ ସଂପୂର୍ଣ୍ଣ ପ୍ରଭାବ ପକାଇ ନପାରିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ସାମାଜିକ ଦୂରତ୍ୱକୁ ଲୋକେ ମାନିବାକୁ ପ୍ରସ୍ତୁତ ନଥିବା ବେଳେ ସଙ୍ଗରୋଧକୁ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉ ନାହାନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି। କରୋନା ଭୟାବହତାକୁ କେନ୍ଦ୍ର ସରକାର ଜାଣିବା ପରେ ବିଭିନ୍ନ ପ୍ରକାର ନିର୍ଦ୍ଦେଶନାମା ଜାରି କରିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଆସୁଛନ୍ତି। ପ୍ରତ୍ୟକ ଦିନ ରାଜ୍ୟ ଓ ଜିଲାସ୍ତରରୁ ଏକାଧିକ ନିର୍ଦ୍ଦେଶନାମା ଜାରି ହେଉଥିଲେ ହିଁ ଲୋକେ ଏହାକୁ ଗ୍ରହଣ କରୁନଥିବାର ଦୃଷ୍ଟିଗୋଚର ହେଉଛି।

ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ କରୋନା ସଂପର୍କିତ ସମୀକ୍ଷା ବୈଠକମାନ ବସି ସ୍ୱାସ୍ଥ୍ୟ ସେବା ଓ ଆନୁସାଙ୍ଗିକ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା ହେଉଛି। ରାଜନୈତିକ ନେତୃମଣ୍ଡଳୀ, ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ଲୋକଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଓ ଆହ୍ୱାନ ଦେଇଚାଲିଛନ୍ତି ତଥାପି ଲୋକେ ସଚେତନ ନହେବା ଉଦବେଗର ବିଷୟ। ଅପର ପକ୍ଷରେ ଲୋକଙ୍କ ଏହି ଖାମଖିଆଲୀ ନୀତିକୁ ଅଙ୍କୁଶ ଲଗାଇବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ସମଗ୍ର ଉପଖଣ୍ଡ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁସାରେ ପରିବା ମାର୍କେଟ, ଫଳ ଦୋକାନୀ, କିରାନା ଦୋକାନ ପ୍ରଭୁତି ସକାଳ ୭ଟାରୁ ଖୋଲି ୧୧ଟାରେ ବନ୍ଦ ହେବ। ଠିକ ସେହିପରି ଓମଫେଡ୍‍ ବୁଥ, ଦୁଗ୍ଧ ଦୋକାନ ସକାଳ ୫ଟାରୁ ଖୋଲି ୧୧ଟା ଯାଏ ଓ ସନ୍ଧ୍ୟାରେ ୬ଟାରୁ ୮ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ରାସ୍ତାକଡ଼ରେ ଥିବା ଢାବା, ଗ୍ୟାରେଜ ଓ ସ୍ପେୟାର ପାର୍ଟ୍ସ ଦୋକାନ, କ୍ଲିନିକ, ଲ୍ୟାବ ସ୍ୱାଭାବିକ ଭାବେ ଖୋଲା ରହିବ ବୋଲି କହିଛନ୍ତି।

ଜନଗହଳି ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏହି ନିର୍ଦ୍ଦେଶନାମାରେ କୁହଯାଇଛି। ଜିଲାର ରାଉରକେଲାରେ ଥିବା ସରକାରୀ ହସ୍ପିଟାଲ, ଇସ୍ପାତ ଜେନେରାଲ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ଯାଏ ମୋଟ ୭୧ଟି ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଆଜି ସୁଦ୍ଧା ଏଥିରୁ ୫୬ଜଣଙ୍କ ନେଗେଟିଭ୍‍ ଆସିଥିବା କଥା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ଅପେକ୍ଷା କରିଛି।

Comments are closed.