ହରିଆଣାରେ କୋଭିଡ କଟକଣା କଡାକଡି: ଶୋଭାଯାତ୍ରା, ବିକ୍ଷୋଭ ସମାବେଶ ମନା

ଚଣ୍ଡିଗଡ: କୋଭିଡ ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ହରିଆଣା ସରକାର ସୋମବାର ଦିନ ରାଜ୍ୟରେ କୋଭିଡ କଟକଣାକୁ ଅଧିକ କଡାକଡି କରିଛନ୍ତି । ରାଜ୍ୟରେ କୌଣସି ପ୍ରକାର ସମାବେଶ, ଶୋଭାଯାତ୍ରା ଏବଂ ବିକ୍ଷୋଭ ଆଦିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏ ସମ୍ପର୍କରେ ଜାରି ଆଦେଶନାମାରେ ସିନେମା ହଲ୍‍, କ୍ରୀଡାଙ୍ଗନ, ସନ୍ତରଣାଗାର ଆଦିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କଟକଣା ଆଉ ୮ଟି ଜିଲାକୁ ସଂପ୍ରସାରିତ କରାଯାଇଛି । ହରିଆଣା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଏହି ଆଦେଶନାମାରେ କୁହାଯାଇଛି ଯେ କଟକଣା ଜାନୁଆରୀ ୧୯ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେଉଁ ୮ଟି ଜିଲାରେ ଏହି କଟକଣା ବଳବତ୍ତର ରହିବ ସେଗୁଡିକ ହେଉଛି ସିର୍ସା, ରେୱାରି, ଜିନ୍ଦ, ଫତେହାବାଦ, ମହେନ୍ଦ୍ରଗଡ, କଇଥାଲ, ଭିୱାଣି ଏବଂ ହିସାର । ପୂର୍ବରୁ ରାଜ୍ୟର ୧୧ଟି ଜିଲାରେ ଏହି କଟକଣା ଜାରି କରାଯାଇଥିଲା । ସେଗୁଡିକ ହେଉଛି କର୍ନଲ, ପାନିପତ, କୁରୁକ୍ଷେତ୍ର, ଯମୁନାନଗର, ରୋହତକ, ଝାଜର, ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଳା ଓ ସୋନିପତ । ଜାନୁଆରୀ ୫ ତାରିଖରେ ଜାରି କରାଯାଇଥିବା ଏ ସଂକ୍ରାନ୍ତ ଆଦେଶନାମାରେ କୁହାଯାଇଥିଲା ଯେ ସିନେମା ହଲ, ମଞ୍ଚ, ମଲ୍ଟିପ୍ଲେକ୍ସ ଆଦି ବନ୍ଦ ରହିବ ଏବଂ ମଲ୍‍ ଓ ବଜାର ଆଦି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯିବ । ସମସ୍ତ କ୍ରୀଡାଙ୍ଗନ, ସନ୍ତରଣାଗାର ଏବଂ ଷ୍ଟାଡିୟମ ଆଦି ବନ୍ଦ ରହିବ, କେବଳ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କ୍ରୀଡାବିତଙ୍କ ତାଲିମକୁ ଅନୁମତି ଦିଆଯିବ । ସମସ୍ତପ୍ରକାର ପ୍ରଦର୍ଶନୀ ଆଦିକୁ ବନ୍ଦ ରଖାଯାଇଥିବାବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚଳାଇବାକୁ ପରାମର୍ଶ ଦିଆଯାଇଛି ।

Comments are closed.