ଶିକ୍ଷକ ଅଧ୍ୟାପକ ମିଳିତମଞ୍ଚର ଆନ୍ଦୋଳନ ଜାରି

0

ଭୁବନେଶ୍ୱର : ଓଡ଼ିଶା ସ୍କୁଲ୍‍ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ଆହ୍ୱାନରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଆଜକୁ ତିନିଦିନ ହେଲା ରାଜରାସ୍ତାରେ ଖରା, ବର୍ଷାରେ ଆନ୍ଦୋଳନ ଚଳାଇଛନ୍ତି। ଶିକ୍ଷକମାନେ ଆନ୍ଦୋଳନକୁ ଆସିଥିବାରୁ ତେଣେ ତିରିଶ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର କେବଳ ଶିକ୍ଷକଙ୍କ ସହିତ ଲୁଚକାଳି ଖେଳୁନାହାନ୍ତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପ୍ରତି ସହାନୁଭୂତି ଥିଲେ ଦାବି ପୂରଣ କରନ୍ତେ ବୋଲି ମିଳିତମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।
୩୦ବର୍ଷ ଶିକ୍ଷକତା କଲା ପରେ ଯଦି ଚାକିରି ସର୍ତ୍ତାବଳୀ ମିଳିବନି ତେବେ ସରକାରଙ୍କ ଘୋଷିତ ଅନୁଦାନ କ’ଣ ଉପକାରରେ ଲାଗିବ।
ଅବସର ନେବା ପରେ ଯଦି ଅବସରକାଳୀନ ସୁବିଧା ସୁଯୋଗରୁ ବଞ୍ଚିତ କରିବେ ତେବେ ଅବସର ନେବା ପରେ ଶିକ୍ଷକ ବଞ୍ଚିବେ କେମିତି ବୋଲି ମଞ୍ଚ ପ୍ରଶ୍ନ କରିଛି। ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ପଙ୍ଗୁ କରିଦେଇ ସମୃଦ୍ଧ ଓଡ଼ିଶା ଗଠନ କରିବାର ଆହ୍ୱାନ ରାଜ୍ୟବାସୀଙ୍କ ପ୍ରତି କେବଳ ଉପହାସ। ତୁରନ୍ତ ଯୋଗ୍ୟ ବିବେଚିତ ଦିନଠାରୁ ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ପୂର୍ଣ୍ଣ ଅନୁଦାନ ଦେବାକୁ ସଂଘ ଦାବି କରିଛି। ତା ନହେଲେ ଆନ୍ଦୋଳନ ଥମିବାର ପ୍ରଶ୍ନ ଉଠୁନାହିଁ ବୋଲି ମିଳିତମଞ୍ଚ ତରଫରୁ ସରକାରଙ୍କୁ ଶିକ୍ଷକ ଓ ଅଧ୍ୟାପକ ଚେତାବନୀ ଦେଇଛନ୍ତି।

Leave A Reply