ଚାପ କମ୍‌ କରେ ଫୁଲ

ମାନସିକଚାପକୁ କମ୍ କରିବାକୁ ଚାହୁଁଥିଲେ ରଙ୍ଗରେବଙ୍ଗର ଫୁଲ ଦେଖିଲେ ଯେତିକି ଆତ୍ମସନ୍ତୋଷ ମିଳେ, ତାହାର ମଧୁର ବାସ୍ନାର ପ୍ରଭାବ ମଧ୍ୟ କିଛି କମ୍ ନୁହେଁ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ଜାପାନର ଶିତୋମୀ ସହର ନିବାସୀ ହୁଙ୍ଗ୍‌ ଜିଓନ୍‌‌ ଓ ତାଙ୍କ ପତ୍ନୀ ଶିନ୍ତାଓ ଏହାର ସୁନ୍ଦର ଉହଦାରଣଟିଏ। ସାଧାରଣ ଜୀବନଯାପନ କରୁଥିବା ଏଇ ଦମ୍ପତି କିଛି ବର୍ଷ ତଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ଶିନ୍ତାଓ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇଥିଲେ। ଦେଖିନପାରିବା କାରଣରୁ ଶିନ୍ତାଓ ଖୁବ୍ ଚିଡ଼ଚିଡ଼ା ସ୍ବଭାବର ହୋଇଗଲେ। ସାମାନ୍ୟ କଥାରେ ବିରକ୍ତି ପ୍ରକାଶ କରିବା ସହ ତାଙ୍କ ମାନସିକ ସ୍ଥିତି ମଧ୍ୟ ଠିକ୍ ରହିଲାନାହିଁ। ସ୍ବାମୀ ହୁଙ୍ଗ୍ ଏସବୁ ଦେଖି ବ୍ୟତିବ୍ୟସ୍ତ ହେଲେ, କିନ୍ତୁ ସେ ମଧ୍ୟ ନିରୁପାୟ ଥିଲେ। କ’ଣ ବା କରିପାରିବେ? ନିୟମିତ ଭାବେ ପତ୍ନୀଙ୍କୁ ପାର୍କ ନେଇଗଲେ। ହୁଙ୍ଗ୍‌ ଲକ୍ଷ୍ୟ କଲେ ପାର୍କରେ ଯେଉଁ ସବୁ ସ୍ଥାନରେ ସୁଗନ୍ଧିତ ଗଛ ଥିଲା, ସେ ସ୍ଥାନରେ ଶିନ୍ତାଓ ଅଧିକ ସମୟ ଅତିବାହିତ କରିବାକୁ ଚାହୁଁଥିଲେ। ପତ୍ନୀଙ୍କ ହାବଭାବ ଦେଖି ସେ ନିଜ ଘର ପାଖ ଜମିରେ ଫୁଲଚାଷ ଆରମ୍ଭ କରିଦେଲେ। ଦିନକେଇଟାରେ ରଙ୍ଗବେରଙ୍ଗ ତଥା ସୁଗନ୍ଧିତ ଫୁଲରେ ଚତୁର୍ଦିଗ ମହକି ଉଠିଲା। ସ୍ବାମୀ-ସ୍ତ୍ରୀ ଦୁହେଁ ଦିନର ଅଧିକାଂଶ ସମୟ ଏଠି ଅତିବାହିତ କରିଥାନ୍ତି। ହୁଙ୍ଗ୍‌୍ଙ୍କର ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶଂସା କରିବା ସହ ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳରେ ପରିଣତ ମଧ୍ୟ ହୋଇଛି। ଗବେଷକଦଳ ସ୍ପଷ୍ଟ କରିଛନ୍ତି, ଫୁଲର ବାସ୍ନା ମାନସିକ ଚାପକୁ ଅନେକାଂଶରେ ନିୟନ୍ତ୍ରିତ କରିଥାଏ।

Comments are closed.