ଚାପ କମ୍ କରିବାର ନୂତନ ଉପାୟ

-ନିକଟରେ ଜାପାନ ଗବେଷକଦଳ ସେଠାକାର ୫୫ଟି କମ୍ପାନୀର କର୍ମଚାରୀଙ୍କୁ ସାମିଲ କରି ଅଢ଼େଇ ବର୍ଷ ଅନୁଧ୍ୟାନ କରିବା ପରେ ଏକ ତଥ୍ୟ ପ୍ରକାଶ କରିଛନ୍ତି। କାମର ଚାପ ବଢ଼ୁଥିବା କାରଣରୁ ଲୋକଙ୍କର ଜୀବନଶୈଳୀ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏହା କାରଣରୁ ସେମାନଙ୍କ ପାରିବାରିକ ଜୀବନ ସବୁଠୁ ଅଧିକ ପ୍ରଭାବିତ ହେଉଛି। ଏଣୁ ଚାପ କମ୍ କରିବାକୁ ଗବେଷକଦଳ ବିଭିନ୍ନ ପରୀକ୍ଷାରେ କର୍ମଚାରୀଙ୍କୁ ଅନ୍ତର୍ଗତ କଲେ। ଗୋଟିଏ ଯୋଜନାରେ ସେମାନେ ଫଳାଫଳ ସବୁଠୁ ଭଲ ପାଇଥିବାର ପ୍ରକାଶ କରିଛନ୍ତି। କାର୍ୟ୍ୟାଳୟରେ ଯେଉଁ କର୍ମଚାରୀମାନଙ୍କ ଟେବୁଲ୍‌ ନିକଟରେ ଛୋଟ ଗଛ ରଖାଗଲା, ସେମାନଙ୍କ ମାନସିକ ଚାପ ଅନେକାଂଶରେ କମ୍ ହେଉଥିବାର ସମୟକ୍ରମେ ଲକ୍ଷ୍ୟ କରାଗଲା। ୱେବ୍‌ସାଇଟ୍‌ରେ ମଧ୍ୟ ସମାନ ତଥ୍ୟ ଉଲ୍ଲେଖ କରାଯିବା ସହ ୬୩ଜଣ କର୍ମଚାରୀଙ୍କ ନାମ ସହ ମତାମତ ରହିଛି। ଛୋଟ ଫୁଲ ଚାରା ହେଉ କିମ୍ବା ବୋନ୍‌ସାଇ ପ୍ଲାଣ୍ଟ, ଗଛର ସବୁଜିମାର ପ୍ରଭାବ ପ୍ରକୃତରେ ମନୁଷ୍ୟର ଜୀବନର ଗତିପଥ ପରିବର୍ତ୍ତନ କରିଥାଏ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି।

ଏହା ମଧ୍ୟ ପ୍ରମାଣିତ ହୋଇଛି କିଛି ସମୟ ଫୁଲ ଗଛକୁ ଲକ୍ଷ୍ୟ କଲେ ରକ୍ତଚାପ ମଧ୍ୟ କମ୍ ହୋଇଥାଏ। କେବଳ ଇନ୍‌ଡୋର୍ ପ୍ଲାଣ୍ଟ ନୁହେଁ, ବରଂ ଟେବୁଲ୍ ପାଖରେ ମଧ୍ୟ ଗଛ ରଖିଲେ ତାହାର ପ୍ରଭାବ ଭଲ ହୋଇଥାଏ ବୋଲି ଗବେଷକଙ୍କ ମତ।

Comments are closed.