ଝଲମଲ ହେବ ରାଜପଥ; ଲାଗିବ ୫୫୩୮ ଷ୍ଟ୍ରୀଟ ଲାଇଟ୍

ମଦୁଆଙ୍କୁ ସାବାଡ଼ କରିବାକୁ ଅଣାଯିବ ଆଉ ୨୦୦ ବ୍ରେଥ ଆନାଲାଇଜର

ଭୁବନେଶ୍ବର ଓ ରାଉରକେଲାରେ ସ୍ଥାପନ ହେବ ସୁରକ୍ଷା ସଚେତନତା ପ୍ରକୋଷ୍ଠ

ଦ୍ରୁତ ଗାଡ଼ି ଚାଳନା ଧରିବାକୁ ବିକଶିତ ହେବ ନୂଆ ସଫ୍ଟୱେର ଭିତ୍ତିକ ରାଡ଼ାର

ଭୁବନେଶ୍ବର :  ଝଲମଲ ହେବ ରାଜପଥ  । ରାତିରେ ରାଜପଥରେ ଜଳିବ ଏଲଇଡ଼ି ଆଲୁଅ । ଏଥିପାଇଁ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ମଞ୍ଜୁରୀଲାଭ କରିଛି । ୧୩ଟି ଜାତୀୟ ରାଜପଥ ଡ଼ିଭିଜନରେ ଏହି ବ୍ୟବସ୍ଥା କରାଯିବ ଏବଂ ଏଥିପାଇଁ ପ୍ରାୟ ୨୪.୮୧ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି ।

କେବଳ ରାଜପଥ ଆଲୋକୀକରଣ ନୁହେଁ, ରାଜପଥରେ ଯାତାୟତ କରୁଥିବା ମଦୁଆଙ୍କୁ ମଧ୍ୟ ସାବାଡ଼ କରିବାକୁ ଯୋଜନା ହୋଇଛି । ବିଭିନ୍ନ ଥାନା, କ୍ରାଇମବ୍ରାଞ୍ଚ, ସିଆଇଡ଼ିକୁ ଆଉ ୨୦୦ ନୂଆ ବ୍ରେଥ୍ ଆନାଲାଇଜର ପ୍ରଦାନ କରାଯିବ । ପୂର୍ବରୁ ୧୭୭ଟି ବ୍ରେଥ ଆନାଲାଇଜର ସଡ଼କ ସୁରକ୍ଷା ପାଣ୍ଠିରୁ ବିଭିନ୍ନ ପୁଲିସ ଥାନା ଓ ସଂସ୍ଥାକୁ ପ୍ରଦାନ କରାଯାଇଛି । ତେଣୁ ବ୍ରେଥ ଆନାଲାଇଜର ବ୍ୟବହାର କରାଯାଇ ମଦ୍ୟପାନ କରି ଗାଡ଼ି ଚଳାଚଳ କରାଯାଉଥିବା ଲୋକଙ୍କୁ ନିୟନ୍ତ୍ରିତ କରାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ଟ୍ରାଫିକ ସଚେତନତା ସୃଷ୍ଟି ନିମନ୍ତେ ସୁନ୍ଦରଗଡ଼, ଗଞ୍ଜାମ, କେନ୍ଦୁଝର,କୋରାପୁଟ, ବାଲେଶ୍ବର ଆଦି ସହରରେ ସ୍ବତନ୍ତ୍ର ବ୍ୟାନ ବୁଲିବ । ଏହାର ନାଁ ରହିବ ଟ୍ରାଫିକ୍ ଆୱାରନେସ ଭ୍ୟାନ (ଟିଏଭି) । ଏହା ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରିବ । ଅନୁରୂପ ଭାବରେ ସଡ଼କ ସୁରକ୍ଷାନିମନ୍ତେ ସଫ୍ଟୱେରଭିତ୍ତିକ ରାଡ଼ର ବିକଶିତ କରିବା ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଏହା ଠାବ କରିବାରେ ସକ୍ଷମ ହେବ ବୋଲି କୁହାଯାଇଛି ।  ପୁନଶ୍ଚ ରାଉରକେଲା ଓ ଭୁବନେଶ୍ବରରେ ଡ଼୍ରାଇଭିଂ ପରୀକ୍ଷଣ ପଡ଼ିଆରେ ଦୁଇଟି ସଡ଼କ ସୁରକ୍ଷା ସଚେତନ ନିମନ୍ତେ ଦୁଇଟି ପ୍ରକୋଷ୍ଠ ସ୍ଥାପନ ହେବ ।

ଏତେ ସବୁ ପଦ​‌କ୍ଷେପ ଭିତରେ ଆଇନଶୃଙ୍ଖଳା ଓ ସଡ଼କ ସୁରକ୍ଷାରେ ଗୁରୁଦାୟିତ୍ବ ବହନ କରୁଥିବା ପୁଲିସ ବାହିନୀର ଅବହେଳା ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ପାଇଁ ସୃଷ୍ଟି କରିଛି ଶିରପୀଡ଼ା ।   ପୁଲିସ ମହାନିର୍ଦେଶକଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷରେ ଦିଆଯାଇଥିବା ୧.୦୭ କୋଟି ଟଙ୍କାର ବିନିଯୋଗପତ୍ର ଏଯାଏ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ନିକଟରେ ପହଞ୍ଚି ନାହିଁ । ସେହିପରି କମିଶନରେଟ ପୁଲିସକୁ ଦିଆଯାଇଥିବା ୫୬,୯୯,୨୫୯ ଟଙ୍କାର ବିନିଯୋଗ ପତ୍ର ମଧ୍ୟ ବକେୟା ପଡ଼ିଛି । ତେଣୁ କମିଶନରେଟ ପୁଲିସକୁ ଏହି ଅର୍ଥର ବିନିଯୋଗପତ୍ର ୧୫ ଦିନ ମଧ୍ୟରେ ପଇଠ କରିବାକୁ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ବୈଠକରେ ପରାମର୍ଶ ଦେଇଛନ୍ତି ବିଭାଗୀୟ ପ୍ରମୁଖ ସଚିବ । ଅନୁରୂପ ଭାବରେ ପୁଲିସ ଡ଼ିଜି କାର୍ଯ୍ୟାଳୟ ପାଣ୍ଠି ଉପଯୋଗ ସଂକ୍ରାନ୍ତ ବିବରଣୀ ଦେବାରେ ଖିଲାପ କରିଥିବାରୁ ଓ ଏ ସଂକ୍ରାନ୍ତ ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ଆଉ କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Comments are closed.