ସୁଶାନ୍ତଙ୍କ ଘରେ ଘଟୁଥିଲା ଅଦ୍ଭୁତ ଓ ଭୟଙ୍କର ଘଟଣା : ରୋଷେୟା ନୀରଜ

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକଦିନ ନୂଆ ନୂଆ ତଥ୍ୟ ଓ ପ୍ରଶ୍ନ ସାମ୍ନାକୁ ଆସୁଛି। ସିବିଆଇ ଏବେ ମାମଲାର ତଦନ୍ତ ଚଳାଇଛି। ଏବେ ଆଉ ଏକ ଚକିତ କଲା ଭଳି କଥା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରୋଷେୟା ନୀରଜ ସିଂହ କହିଛନ୍ତି ଯେ ସୁଶାନ୍ତଙ୍କ ପୁରୁଣା ଘରେ ଆପେ ଆପେ ଡ୍ରମ୍‌ ବାଜିବା, ଲିଫ୍ଟ ଉପର ତଳ ହେବା, ରୁମ୍‌ର ଲାଇଟ୍‌ ଜଳିବା ବନ୍ଦ ହେବା ଆଦି ଅଦ୍ଭୁତ ଘଟଣାମାନ ଘଟୁଥିଲା।

ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ବୟାନରେ ନୀରଜ କହିଛନ୍ତି, “ସୁଶାନ୍ତ ସାର୍‌ ଯେତେବେଳେ ପାଲି ବଜାରରେ କୈପ୍ରି ହାଇଟ୍ସ ବିଲ୍ଡିଂରେ ରହୁଥିଲେ ସେତେବେଳେ ମୁଁ ତାଙ୍କ ସହ କାମ କରିବା ଆରମ୍ଭ କରିଥିଲି। ସେଠାରେ ମୁଁ ଝାଡ଼ୁ କରିବା, କୁକୁର ବୁଲାଇବା, ଚା, ଖାଦ୍ୟ ତିଆରି କରିବା ସହ ଅନ୍ୟ କାମ କରୁଥିଲି। ଏହି ଫ୍ଲାଟରେ ସୁଶାନ୍ତ ସାର୍‌ଙ୍କ ସହ ଯୋଗାଯୋଗ କରିବାକୁ ଆମକୁ ଓ୍ଵାକି-ଟକି ସେଟ୍‌ସ ଦିଆଯାଇଥିଲା”।

ନୀରଜଙ୍କ କହିବାନୁସାରେ, “ଦିନେ ରାତିରେ ଶୋଇଥିବା ବେଳେ ଅଚାନକ ଓ୍ଵାକିରେ ଶବ୍ଦ ଶୁଭିଲା ନୀରଜ ଲାଇଟ୍‌ ବନ୍ଦ କରିଦିଅ। ମୁଁ ଉଠି ସୁଶାନ୍ତ ସାର୍‌ଙ୍କ ରୁମ୍‌ ପାଖକୁ ଗଲା ବେଳକୁ ଦେଖିଲି ଯେ, ସାର ଶୋଇଛନ୍ତି ଓ ଲାଇଟ୍‌ ମଧ୍ୟ ବନ୍ଦ ଅଛି। ମୁଁ ଫେରି ଆସିଲି। ପୁଣି କିଛି ସମୟ ପରେ ମୋତେ ସେହି ଶବ୍ଦ ଶୁଣାଗଲା। ଉଠି ଦେଖିବା ବେଳକୁ ସାର୍‌ ଶୋଇଛନ୍ତି ଓ ଲାଇଟ୍‌ ବନ୍ଦ ଅଛି। ସେଦିନ ମୁଁ ବହୁତ ଡରିଯାଇଥିଲି ଓ ରାତି ସାରା ଶୋଇପାରି ନ ଥିଲି। କୈପ୍ରୀ ହାଇଟ୍ସରେ ଆମେ ଲିଫ୍ଟ ତଳ ଉପର ହେବା ଶବ୍ଦ ଶୁଣିବାକୁ ପାଉଥିଲୁ। ବେଳେବେଳେ ଡ୍ରମ୍‌ ଶବ୍ଦ ମଧ୍ୟ ଆସୁଥିଲା। ଏହି କାରଣରୁ ସୁଶାନ୍ତ ସାର୍‌ କିଛି ଦିନ ପାଇଁ କୈପ୍ରୀ ହାଇଟ୍‌ସରୁ ଯାଇ ଓ୍ଵାଟର ଷ୍ଟୋନ୍‌ ରିସୋର୍ଟରେ ରହୁଥିଲେ”।

ସୂଚନାଯୋଗ୍ୟ, ରବିବାର ସିବିଆଇର ଏକ ଟିମ୍‌ ଓ୍ଵାଟର ଷ୍ଟୋନ୍‌ ରିସୋର୍ଟରେ ପହଞ୍ଚିଥିଲେ, ଯେଉଁଠାରେ ସୁଶାନ୍ତ ପ୍ରାୟ ୨ ମାସ ରହିଥିଲେ। ଭୟଙ୍କର ଘଟଣା ଯୋଗୁ ସୁଶାନ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହ ୨୦୧୯ରେ କୈପ୍ରୀ ହାଇଟ୍ସ ଛାଡ଼ି ଓ୍ଵାଟର ଷ୍ଟୋନ୍‌ ରିସୋର୍ଟରେ ରହିବାକୁ ଆସିଥିଲେ।

Comments are closed.